କନକ ବ୍ୟୁରୋ: ପାଦେ ଚାଲିବାକୁ ଏ ପାଦରେ ଆଉ ଆଗପରି ବଳ ନାହିଁ, ଦେହରେ ଶକ୍ତି ନାହିଁ ବି ପରିବାରର ବୋଝକୁ ବୋହିବାକୁ । ଗୋଟିଏ ଦୁର୍ଘଟଣା ସବୁକିଛି ଓଲଟପାଲଟ କରିଦେଇଛି । ଶକ୍ତିଶାଳୀ ପାଦକୁ ଶକ୍ତିହୀନ କରିଦେଇଛି, ବାଟ ଚାଲିବାକୁ ହ୍ୱିଲ ଚେୟାର ଓ ଆଶାବାଡି ଧରେଇ ଦେଇଛି । ଜୀବନ ଏବେ ଯନ୍ତ୍ରଣାଦାୟକ, ସ୍ୱପ୍ନ ଏବେ ରୋଗଶଯ୍ୟାରେ । ଭାବିଲେ ବା ଲାଭ କଣ, ନା କିଛି କରି ହେଉଛି ନା ସରକାରୀ ସହାୟତା ମିଳୁଛି । ଦୁଃଖ କଷ୍ଟରେ ଏମିତି ଏ ଭଙ୍ଗା ଘରେ ଜୀବନ ବିତୁଛି ।

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଅସିମିଳା ଗାଁର ରାମଚନ୍ଦ୍ର ମଲ୍ଲିକ ଗାଁରେ ଟିଉସନ କରି ଚଳନ୍ତି । ପିଲାଙ୍କୁ ପଢାଇ ଯେତିକି ରୋଜଗାର କରନ୍ତି ସେତିକିରେ ତାଙ୍କ ପରିବାର ଚଳେ । କିନ୍ତୁ ଦୁର୍ଭାଗ୍ୟ ଏକ ଦୁର୍ଘଟଣାରେ ଦୁଇ ଗୋଡ ପାରାଲିସିସ ହୋଇଗଲା । ପତ୍ନୀଙ୍କ ଗହଣା, ପୈତୃକ ସମ୍ପତ୍ତି ସବୁ ବିକ୍ରି କରି ନିଜ ଚିକିତ୍ସା ଏବଂ ଔଷଧ କିଣା ହେଉଥିବା ବେଳେ ଏବେ ହାତରେ ଟଙ୍କାଟିଏ ନଥିବାରୁ ୪ ମାସ ହେବ ନା ମେଡିକାଲ ଯାଇ ପାରୁଛନ୍ତି ନା ଔଷଧ କିଣିପାରୁଛନ୍ତି । ସେପଟେ ଅର୍ଥାଭାବରୁ ଘର ଚଳିବା ଏକ ପ୍ରକାର ମୁସକିଲ ହୋଇପଡିଛି ।

ସ୍ତ୍ରୀ ନର୍ସିଂ ପାସ୍ କରିଥିଲେ ବି ସ୍ୱାମୀଙ୍କ ଏ ଅବସ୍ଥା ପାଇଁ ତାଙ୍କୁ ଛାଡି କେଉଁଠି ଚାକିରି କରିବାକୁ ଯାଇ ପାରୁନାହାନ୍ତି । ଏତେ ଦୁଃଖ ଭିତରେ ଏ ବର୍ଷା ଦିନରେ ଏ ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିବା କଷ୍ଟକର ହୋଇପଡିଛି । ବର୍ଷା ହେଲେ ଘର ଭିତରେ ପାଣି ପଶୁଛି, କେତେବେଳେ ଘର ଭାଙ୍ଗିଯିବ ତା କହିବା ମୁସକିଲ । ଆଉ ଏମିତି ଅବସ୍ଥାରେ ଘର ଖଣ୍ଡେ ପାଇଁ ଯେତେ କାକୁତି ମିନତି ହେଲେ ବି କେହି ଶୁଣିବାକୁ ନାରାଜ ।

ସରପଞ୍ଚଠୁ ବିଡିଓ, ଜିଲ୍ଲାପାଳଙ୍କ ଠାରୁ ନେତାମନ୍ତ୍ରୀ । ହ୍ୱିଲଚେୟାରରେ ସ୍ୱାମୀଙ୍କୁ ନେଇ ବାରମ୍ବାର ଅଫିସ ଦୌଡୁଥିଲେ ବି କୌଣସି ସୁଫଳ ମିଳୁନି । ବରଂ ଘର ଖଣ୍ଡିଏ ପାଇଁ ବାବୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି । ଏଥିସହ ବାହାନଗା ବିଡିଓ ନାଲି ଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ରାମଚନ୍ଦ୍ରଙ୍କ ପତ୍ନୀ । ତେବେ ରାଜ୍ୟ ସରକାର ଶାସନରେ ସ୍ୱଚ୍ଛତା ନେଇ ଯେତେବେଳେ ଡିଣ୍ଡିମ ପିଟୁଛନ୍ତି ଠିକ୍ ସେତେବେଳେ ଜଣେ ଯୋଗ୍ୟ ହିତାଧିକାରୀକୁ ଘର ନମିଳିବା ଦୁର୍ଭାଗ୍ୟ ଜନକ ଏବଂ ସରକାରଙ୍କ କଥା ଓ କାମରେ ଫରକ ଥିବା ଦର୍ଶାଉଛି ।