ବାବୁ ପରିବା ନିଅ...ମା’ ପରିବା ନବ, ଭଲ ସଜ ଆଉ ତାଜା ପରିବା ଆଣିଛି । ଜହ୍ନି, ଭେଣ୍ଡି, ବାଇଗଣ ସବୁ ପରିବା ଅଛି । ଏ ଡାକ କଉ ପରିବା ମାର୍କେଟର ନୁହଁ । ଆଉ ଇଏ ମଧ୍ୟ କେଉଁ ବ୍ୟବସାୟୀ ନୁହନ୍ତି । ଏ ଡାକ ହେଉଛି ଜଣେ ଭିନ୍ନକ୍ଷମ ବୁଢା ବାପାର, ଜଣେ ଅସହାୟ ସ୍ୱାମୀର । ସକାଳୁ ସକାଳୁ ଏମିତି ଡାକ ନମାରିଲେ, ତିନି ପ୍ରାଣୀ ପେଟକୁ ଦାନା ମିଳିବନି ।

Advertisment

ଏ କାହାଣୀ ହେଉଛି, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପାଳପୁର ଗାଁର ଭିନ୍ନକ୍ଷମ ବୃଦ୍ଧ ଜଗବନ୍ଧୁ ଗିରିଙ୍କର । ବୟସ ୬୦ ଛୁଇଁଲାଣି । ଭଗବାନ ସିନା ତାଙ୍କୁ ଭିନ୍ନକ୍ଷମ କରି ଜନ୍ମ ଦେଇଛି, କିନ୍ତୁ ଜୀବନ ଯୁଦ୍ଧରେ ସେ ହାରିଯାଇନାହାନ୍ତି । ପିଲାଟି ଦିନରୁ ଚାଲିପାରୁନାହାନ୍ତି ଜଗବନ୍ଧୁ । କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ସେ କାହା ଉପରେ ନିର୍ଭର କରିନାହାନ୍ତି । ରାତିପାହିଲେ ଏହି ଟ୍ରାଇ ସାଇକେଲରେ ବସି ଗାଁରୁ ଗାଁ ବୁଲି ପରିବା ବିକନ୍ତି ।

ଜଗବନ୍ଧୁଙ୍କ ପରିବାର କହିଲେ, ଦୁଇ ଝିଅ ଓ ପତ୍ନୀ । ସାନ ଝିଅର ବାହାଘର ସରିଥିବା ବେଳେ ୩୧ ବର୍ଷୀୟା ବଡ ଝିଅ, ଆକାଶମାରି ବାତ ରୋଗରେ ପୀଡିତ । ଆଖିକୁ ଭଲ ସେ ଦେଖାବିଯାଉନି । ଜଗବନ୍ଧୁଙ୍କ ସ୍ତ୍ରୀ ଶାନ୍ତିଲତା ଥାଇରଏଡ ରୋଗରେ ପୀଡିତ ଥିବାବେଳେ କାନକୁ ଭଲସେ ଶୁଣାଯାଉନାହିଁ ।

ପରିବା ବିକ୍ରି କରି ଏମିତି କେତେ ଟଙ୍କା ଯେ ସଂଚୟ ହେବ । ଝିଅର ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଓଳିଏ ଖାଇଲେ ଯେଉଁଠି ଆରଓଳିକୁ ଓପାସ ରହିବାକୁ ପଡୁଛି, ସେଠି ଝିଅ ଓ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଏତେ ଟଙ୍କା ଆଣିବେ ବା କେଉଁଠୁ । ସତରେ ଯେମିତି, ନିଷ୍ଠୁର ବିଧାତା ଦୁନିଆର ସବୁ ଦୁଃଖ ଆଉ କଷ୍ଟ ଜଗବନ୍ଧୁଙ୍କ ଉପରେ ଅଜାଡି ଦେଇଛି । ଅସହାୟ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ତେବେ ଜଗବନ୍ଧୁଙ୍କ ପାଖରେ ସରକାରୀ ବ୍ୟବସ୍ଥା ଆଉ ପ୍ରଶାସନ ପହଞ୍ଚିପାରିଲେ, ବୁଢା ବାପାଟିର କଷ୍ଟ ଦୂର ହୁଅନ୍ତା ଆଉ ଏହି ଦୁଃଖି ପରିବାର ମୁହଁରେ ଟିକେ ହସ ଫୁଟିପାରନ୍ତା ।