ପ୍ଲାଷ୍ଟିକ ହାତରେ ପ୍ଲସଟୁ ପାସ୍ । ଦୁର୍ଘଟଣାରେ ଦୁଇ ହାତ କଟିଗଲା ହେଲେ ହାରିଲାନି ପୁଅ । ଶାରୀରିକ ଅକ୍ଷମତା ସତ୍ୱେ ପାଠ ପଢିଲା, ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପାସ୍ କଲା । ଯୁକ୍ତ ୨ ପରୀକ୍ଷାରେ ଭଲ ନମ୍ବର ରଖି ସଫଳ ହେଲେ ଦିବ୍ୟାଙ୍ଗ ସୌମ୍ୟ । ପୁଅର ସଫଳତା ଦେଖି କାନ୍ଦି କାନ୍ଦି ମାଆ କହିଲା, ମମତାର ମୂଲ ଦେଇଦେଲା ମୋ ସୁନା ପୁଅ…

4,478

କନକ ବ୍ୟୁରୋ: ମାଆ ଆଖିର ଏ ଲୁହ ଦୁଃଖର ନୁହେଁ, ଖୁସିର ଲୁହ । ଯନ୍ତ୍ରଣାର ନୁହେଁ ଜିତର ଲୁହ । ଦିନେ ଯେଉଁ ମାଆ ପୁଅକୁ ନେଇ ସବୁ ଆଶା ଛାଡି ଦେଇଥିଲା, ଆଜି ସେହି ମାଆ ଖୁସିରେ ଆତ୍ମହରା ହେଉଛି । ଦିନେ ଯେଉଁ ପୁଅକୁ ମାଆ ବିଷ ଦେଇ ମାରିଦେବ ବୋଲି ଭାବିଥିଲା ଆଜି ସେହି ପୁଅ ମାଆ ମମତାର ମୂଲ ଦେଇଛି । ଆଉ ପୁଅ ପାଇଁ ମାଆ ଛାତି ପିଟି ଗର୍ବ କରୁଛି । ତା ସଂଘର୍ଷ, ଗୌରବର କଥା କହିବା ବେଳେ ମାଆ ଆଖିରୁ ଲୁହ ଧାର ଧାର ହୋଇ ନିଗିଡି ପଡୁଛି । କାରଣ ତା ପୁଅ ହାତ ନଥାଇ ବି ହାରିନି । ପ୍ଲାଷ୍ଟିକ ହାତରେ ପରୀକ୍ଷା ଦେଇ ପାସ୍ କରିଛି, ସଫଳତା ପାଇଛି ।

ଖୋର୍ଦ୍ଧା ଜିଲ୍ଲାର ସୌମ୍ୟରଞ୍ଜନ ସାହୁ । ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ବେଶ ଭଲ ନମ୍ବର ରଖିଛନ୍ତି । ଶାରୀରିକ ଅକ୍ଷମତା ସତ୍ୱେ ୮୬ ପ୍ରତିଶତ ନମ୍ବର ରଖି ସଫଳତା ସାଉଁଟିଛନ୍ତି । ସବୁଠାରୁ ବଡକଥା ହେଲା ଦୁର୍ଘଟଣାରେ ସୌମ୍ୟଙ୍କ ଦୁଇ ହାତ ନଥିବା ବେଳେ ପ୍ଲାଷ୍ଟିକ ହାତରେ ପାଠ ପଢି, କଷ୍ଟଯନ୍ତ୍ରଣାରେ ବି ଖାତା କଲମ ସହ ସମ୍ପର୍କ ଯୋଡି ପାସ୍ କରିଛନ୍ତି ସୌମ୍ୟ । ଆଉ ପ୍ରମାଣ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ହେଲେ ବି ସେ କୌଣସି କାମରେ କମ୍ ନୁହଁନ୍ତି । ମାନସିକ ସଂକଳ୍ପ ଦୃଢ ଥିଲେ ସଫଳତାର ବାଟରେ ବାଧା ସାଜେନି ଶାରିରୀକ ଅକ୍ଷମତା ।

ତେବେ ୨୦୧୭ ମସିହା ମାର୍ଚ୍ଚ ୯ ତାରିଖରେ ଛାତ ଉପରେ ଭଉଣୀ ସହ ଖେଳୁଥିବା ବେଳେ ବିଦ୍ୟୁତ୍ ଝଟକାରେ ଛାତରୁ ଖସି ପଡିଥିଲେ ସୌମ୍ୟ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପୋଡ଼ି ଯାଇଥିଲା ଦେହର ଅଧିକାଂଶ ଅଂଶ । ଜୀବନ ସିନା ବଞ୍ଚିଗଲା ହେଲେ ହରାଇବାକୁ ପଡିଲା ଦୁଇ ହାତ । କହୁଣି ଠାରୁ ପାପୁଲି ଯାଏଁ ଅଧିକ ପୋଡ଼ି ଯାଇଥିବାରୁ ୨ଟି ହାତକୁ କାଟିବାକୁ ପଡ଼ିଥିଲା । ଅପରେସନ ପରେ ଆଶା ଛାଡି ଦେଇଥିଲେ ବାପାମାଆ, ଅନ୍ୟ ପିଲାଙ୍କ ପରି ଜୀବନ ଜିଇଁପାରିବନି ବୋଲି ପରିବାର ଲୋକେ ଚିନ୍ତାଗ୍ରସ୍ତ ଥିଲେ । ହେଲେ ଜୀବନ ଯୁଦ୍ଧରେ ହାରି ନଯାଇ ଜିତିଯାଇଛି ସୁନା ପୁଅ ସୌମ୍ୟ ।

ବାପାମାଆ ସରକାରୀ ଚାକିରିରେ ଥାଇ ପୁଅକୁ ନେଇ ଦେଖିଥିବା ସ୍ୱପ୍ନ ଯେତେବେଳେ ମରିମରି ଯାଉଥିଲା ଠିକ୍ ସେତିକି ବେଳେ ବାପାମାଆଙ୍କ ସ୍ନେହମମତାର ମୂଲ ଦେବାକୁ ପ୍ଲାଷ୍ଟିକ ହାତରେ ସଫଳତା ଧରେଇ ସ୍ୱପ୍ନର ପ୍ରଥମ ସୋପାନ ପୂରା କରିଛି ସୁନା ପୁଅ ।