ଅଟୋଚାଳକ ଅଙ୍କିତାଙ୍କ ଆଗରେ ମୁଣ୍ଡ ନୁଆଁଇଛି ଅକ୍ଷମତା : ପିଲାଟି ଦିନରୁ ପୋଲିଓରେ ପୀଡିତ କିନ୍ତୁ ବାପାଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ହାତରେ ଧରିଲେ ଷ୍ଟିୟରିଙ୍ଗ୍ । 

120

ନାରୀ ଯେତେବେଳେ ଲାଜ ଏବଂ ନିନ୍ଦାର ଓଢଣାକୁ କାଢି ଦୁନିଆ ଦେଖେ ତା’ଆଗରେ ପୁରୁଷ ମଧ୍ୟ ହାର ମାନନ୍ତି । ଅଭାବ ହିଁ ବେଳେବେଳେ ମଣିଷ ମଧ୍ୟରେ ସ୍ୱତନ୍ତ୍ରତାକୁ ଆବିଷ୍କାର କରେ । ଅଭାବ ଆଗରେ ଶାରୀରିକ ଅକ୍ଷମତା ମଧ୍ୟ ତୁଚ୍ଛ ହୋଇପଡେ । ଅହମ୍ମଦାବାଦର ୩୫ ବର୍ଷୀୟା ଅଙ୍କିତା ଶାହ୍ ଏହି କଥାକୁ ସତ ସାବ୍ୟସ୍ତ କରି ଦେଖାଇଛନ୍ତି । ଶାରୀରିକ କ୍ଷେତ୍ରରେ ଦିବ୍ୟାଙ୍ଗ ହେଲେ ମଧ୍ୟ ଅଙ୍କିତାଙ୍କ ଦୃଢ ମନୋବଳ ସମାଜରେ ଉଦାହରଣ ସୃଷ୍ଟି କରିପାରିଛି ।     

ଅହମ୍ମଦାବାଦର ୩୫ ବର୍ଷୀୟା ଅଙ୍କିତା ଜନ୍ମରୁ ପୋଲିଓ ରୋଗରେ ପିଡୀତ ଥିଲେ । ଏହି କାରଣରୁ ଛୋଟ ବେଳୁ ତାଙ୍କ ଡାହାଣ ଗୋଡ କାଟିବାକୁ ପଡିଥିଲା । ଅଙ୍କିତା ହାର ନ ମାନି ୬ ମାସ ହେବ ଅଟୋ ରିକ୍ସା ଚଳାଇ କ୍ୟାନସର ରୋଗରେ ପିଡୀତ ଥିବା ବାପାଙ୍କ ଚିକିତ୍ସା କରୁଛନ୍ତି । ଶାରୀରିକ ଅକ୍ଷମତା ଥିବା ସତ୍ତେ୍ୱ ଅହମ୍ମଦାବାଦର ପ୍ରଥମ ଦିବ୍ୟାଙ୍ଗ ମହିଳା ଅଟୋ ରିକ୍ସା ଚାଳକ ସାଜି ସେ ପ୍ରଶଂସାର ପାତ୍ର ହୋଇଛନ୍ତି। ଅର୍ଥନୈତିକ ଶାସ୍ତ୍ରରେ ସ୍ନାତକତ୍ୱ ହାସଲ କରିଥିବା ଅଙ୍କିତା ୫ ଭଉଣୀଙ୍କ ମଧ୍ୟରେ ବଡ । ୨୦୧୨ ମସିହାରେ ସେ ଏକ କଲ ସେଣ୍ଟରରେ ଚାକିରୀ କରିଥିଲେ । କିନ୍ତୁ ବାପାଙ୍କ ଚିକିତ୍ସା ପାଇଁ ସେ ଚାକିରୀ ଛାଡି ଅଟୋ ଚଳାଇବା ଆରମ୍ଭ କରିଥିଲେ । ଅଙ୍କିତା କହିଛନ୍ତି ଯେ, ୧୨ ଘଣ୍ଟା ଅଟୋ ଚଳାଇ ତାଙ୍କୁ ପାଖାପାଖି ଦିନକୁ ୧୨୦୦ ଟଙ୍କା ହୋଇଯାଉଛି । ବାପାଙ୍କ ରୋଗ ବିଷୟରେ ଜାଣିବା ପରେ ସେ ଟଙ୍କା ରୋଜଗାର କରିବା ପାଇଁ ଅହମ୍ମଦାବାଦରୁ ସୁରଟ୍ ଯାଇଥିଲେ । ଚାକିରୀରେ ଛୁଟି ନମିଳିବା ଓ କମ୍ପାନୀକୁ ତାଙ୍କ ଦିବ୍ୟାଙ୍ଗ ହେବାର ଚିନ୍ତା ଥିବାରୁ ସେ ଚାକିରୀ ଛାଡିଥିବା କଥା କୁହନ୍ତି । ତେବେ ଅଟୋ ଚଲାଇବା ପାଇଁ ସେ ବନ୍ଧୁ ଲାଲାଜୀ ବାରୋଟଙ୍କ ସାହାଯ୍ୟ ମାଗିଥିଲେ । ବନ୍ଧୁ ତାଙ୍କୁ ଅଟୋ ଚଲାଇବା ଶିକ୍ଷା ଦେବା ସହ ଏକ କଷ୍ଟମାଇଜ ଅଟୋ ଓ ଅପଡେଟ୍ ବ୍ରେକ ଥିବା ଅଟୋ କିଣିବାରେ ସହଯୋଗ କରିଥିଲେ । ବର୍ତ୍ତମାନ ଅଙ୍କିତା ୮ ଘଣ୍ଟା ଗାଡି ଛଳାଇ ମାସକ ୨୦ ହଜାର ଟଙ୍କା ରୋଜଗାର କରୁଛନ୍ତି ।