ଦୁଃଖ ଦରିଆରେ ବି ପର ପାଇଁ ଚିନ୍ତା…ଅସହାୟ ପିଲାଙ୍କ ଭବିଷ୍ୟତ ଗଢିବାକୁ ସରକାରୀ ଚାକିରିକୁ ବି କରିଦେଲେ ତୁଚ୍ଛ…ଚାଟଶାଳୀ ଖୋଲି ୨୫ ବର୍ଷ ହେଲା ବିନା ପଇସାରେ ଗରିବ ଛୁଆଙ୍କୁ ପାଠପଢାଉଛନ୍ତି ଦିବ୍ୟାଙ୍ଗ ଅଗାଧୂ ସାର୍

241

କନକ ବ୍ୟୁରୋ: ଶିକ୍ଷା ଜଣେ ଛାତ୍ରକୁ ଶିର୍ଷରେ ପହଁଚାଏ । ସେହି ଛାତ୍ରଟି ଗୁରୁକୁ ମନେ ପକାଏ । ଆଉ ସେହି ଗୁରୁ ହିଁ ତାର ଜୀବନର ଅଙ୍କାବଙ୍କା ରେଖାକୁ ଗୋଟିଏ ସରଳ ରେଖାରେ ଚାଲିବାକୁ ବାଟ ଦେଖାଏ । ଚାଲିବା ବାଟରେ ଥକିପଡୁଥିବା ଛାତ୍ରଟିକୁ ସେ ହାତ ଧରି ଆଗକୁ ଯିବା ପାଇଁ ପ୍ରେରଣା ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ କହିବୁ ଯାହା ଆଜିର ଶିକ୍ଷା ଏବଂ ଶିକ୍ଷା ବ୍ୟବସ୍ଥାକୁ ଶିକ୍ଷା ଦେବ ।

ପ୍ରାଚୀନ ଯୁଗରେ ଗୁରୁକୂଳ ଆଶ୍ରମରେ ଶିକ୍ଷାଦାନ ଗ୍ରହଣ କରୁଥିଲେ ଛାତ୍ରଛାତ୍ରୀ । ଏବେ ଏବ୍ୟବସ୍ଥା ଆଉ ଦେଖିବାକୁ ମିଳୁନି । କାହିଁକି ନା ଏବେ ଉନ୍ନତ ଶିକ୍ଷାବ୍ୟବସ୍ଥାରେ ଦେଖିବାକୁ ମିଳୁଛି କେବଳ ଆଧୁନିକତାର ଛାପ । ଗାଁ ଗଣ୍ଡାରେ ଆଉ ଦେଖିବାକୁ ମିଳୁନି ପୂର୍ବର ସେହି ‘ଚାଟଶାଳୀର ଦୃଶ୍ୟ । ହେଲେ ତଥାପି ବଂଚିଛି ସେହି ଗାଁ ଚାଟଶାଳି । ଏ ‘ଚାଟଶାଳୀ ଏପରି ଯାହା ପ୍ରାଚୀନଯୁଗର ଗୁରୁକୂଳ ଆଶ୍ରମଠାରୁ ବି କିଛି କମ୍ ନୁହଁ । ଶାନ୍ତ ପରିବେଶ ସାଙ୍ଗକୁ ସୁସ୍ଥ ବାତାବରଣ ଏ ‘ଚାଟଶାଳୀକୁ ଦେଇଛି ସ୍ୱତନ୍ତ୍ର ପରିଚୟ ।

ଗୁରୁ ବ୍ରହ୍ମା ଗୁରୁ ବିଷ୍ନୁ ଗୁରୁଦେବ ମହେଶ୍ୱର… ଆଜିର ଦିନରେ ଗୁରୁ ଏମାତ୍ର ମାଧ୍ୟମ ଶିକ୍ଷାକୁ ଶିର୍ଷକରେ ପହଂଚାଇବାକୁ । ସେମିତି ଜଣେ ଗୁରୁ ହେଉଛନ୍ତିି ନିଆଳୀ କରାଙ୍ଗ ଗାଁର ଅଗାଧୂ ସାର୍ । ଅଗାଧୂ ଜଣେ ଦିବ୍ୟାଙ୍ଗ । ହେଲେ ତାଙ୍କର କାର୍ଯ୍ୟ କିନ୍ତୁ ବାକିମାନଙ୍କଠାରୁ ପୂରା ଅଲଗା । ଅଗାଧୂଙ୍କ ଶିକ୍ଷାଗତ ଯୋଗ୍ୟତା ଏକାଦଶ । ପୂର୍ବରୁ ସେ କଟକ ସରକାରୀ ପ୍ରେସରେ ଚାକିର ମଧ୍ୟ କରିଥିଲେ । ତେବେ ନିଆଳୀରୁ ନିପଟ ମସଲ ଗାଁରୁ କଟକ ଯାଇ ଚାକିରି କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା ତେଣୁ ନିଜ ଅଚଂଳରେ ଅଗାଧୂ ଆଣିଥିଲେ ଶିକ୍ଷାର ଏକ ଅଭିନବ ବିପ୍ଳବ । ନିଜେ ଏକ ଗାଁ ଚାଟଶାଳୀ କରି କିଛି ଗରିବ ବାପା ଓ ମାଆର ଭବିଷ୍ୟତକୁ ତିଆରୀ କରିବାରେ ମୂଳଦୁଆ ଥାପିଲେ । ସେ ସମୟରେ ବାପାମାଆ ପିଲା ପାଇଁ ଗୁରୁଦକ୍ଷିଣା ଦେଉଥିଲେ ମୁଠି ଚାଉଳ ଆଉ ସେବେଠୁ ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଅଗାଧୂ ଯେତେ ବାଧା ବିଘ୍ନ ଆସୁପଛେ ଆଜିବି ସେ ପରମ୍ପରାକୁ ବଂଚାଇ ଆସିଛନ୍ତି । ବିନା ପାରିଶ୍ରମିକରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯନ୍ତ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ଅଗାଧୂ ସାର୍ ।

ତେବେ ଅନେକଙ୍କ ଭବିଷ୍ୟତ ଗଢୁଥିବା ଅଗାଧୂ ସାରଙ୍କ ଜୀବନରେ କିନ୍ତୁ ଭରିରହିଛି ଘନ ଅନ୍ଧକାର । ଦିବ୍ୟାଙ୍ଗ ହୋଇ ବି ଅଗାଧୂ ସାରଙ୍କ ପାଇଁ ସରକାରୀ ଯୋଜନା ସତେ ଯେମିତି ସାତ ସପନ ପାଲଟିଯାଇଛି ଆଉ ଏକ ଭଙ୍ଗାଦଦରା କୁଡିଆ ଘରେ ବିତୁଛି ଅଗାଧୂଙ୍କ ଜୀବନ ।

Comments are closed.