ବିନା ଏଫଡି ଭାଙ୍ଗି ବି ଦରକାର ପଡିଲେ ଏଟିଏମରୁ ଉଠାଇ ପାରିବେ ଟଙ୍କା ! ଜାଣନ୍ତୁ ପୂରା ପ୍ରକ୍ରିୟା

25

ସୁରକ୍ଷିତ ନିବେଶ ଏବଂ ଅଧିକ ରିଟର୍ଣ୍ଣ ଲାଳସାରେ ଅଧିକାଂଶ ଲୋକେ ବ୍ୟାଙ୍କରେ ଫିସ୍ଡ ଡିପୋଜିଟ୍ ଚୟନ କରିଥାନ୍ତି । ବ୍ୟାଙ୍କ ଏଫଡି ସହ ସବୁଠାରୁ ବଡ ସମସ୍ୟା ଏହା ହେଲା କି ଆପଣଙ୍କ ଦରକାରୀ ସମୟରେ ଆପଣ ଚାହିଁଲେ ବି ଏଥିରୁ ଟଙ୍କା ଉଠାଇପାରିବେ ନାହିଁ । ହେଲେ ଏହି ସମସ୍ୟାର ସମାଧାନ ବି ବର୍ତମାନ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କରିଛି । ଏସବିଆଇ ଏକ ସ୍ୱତନ୍ତ୍ର ଧରଣର ଏଫଡି ସୁବିଧା ଦେଇରଖିଛି, ଯେଉଁଥିରେ ଆପଣ ଆପଣଙ୍କ ଦରକାରୀ ସମୟରେ ବି ଏଥିରୁ ଟଙ୍କା ଉଠାଇପାରିବେ ।

ସାଧାରଣତଃ ଏଫଡିରେ ଲକ ଇନ୍ ପିରିୟଡକୁ ନେଇ ଲୋକଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ଲକ ଇନ୍ ପିରିୟଡ ପୂର୍ବରୁ ଟଙ୍କା ବାହାର କରିବା ପାଇଁ ତାଙ୍କୁ ନିଜର ଏଫଡିକୁ ଭାଙ୍ଗିବାକୁ ପଡିଥାଏ । ହେଲେ ଏବେ ଆଉ ଏଭଳି କରିବାକୁ ପଡିବ ନାହିଁ । ଆଜି ଆମେ ଏହି ଖବର ଜରିଆରେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ଆପଣ ଏସବିଆଇରେ ମଲ୍ଟି ଅପସନ ଡିପୋଜିଟ ତଥା ଏମଓଡି ନାମକ ଏଫଡି ଖୋଲି ପାରିବେ । ଏହି ଏଫଡିର ସବୁଠାରୁ ବଡ ଫାଇଦା ହେଲା କି ଆପଣ ଚାହିଁଲେ ତଥା ଆପଣଙ୍କ ଦରକାରୀ ସମୟରେ ଏଥିରୁ କୌଣସି ବି ସମୟରେ ଟଙ୍କା ଉଠାଇପାରିବେ । ଏଥିସହିତ ହିଁ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କକୁ ବି ଦୌଡିବାକୁ ପଡିବନି । କାରଣ ଏହି ଟଙ୍କାକୁ ଆପଣ ଏଟିଏମରୁ ବି ବାହାର କରିପାରିବେ ।

ଏମଓଡି ଟର୍ମ ଡିପୋଜିଟ ଅନ୍ତର୍ଭୁକ୍ତ । ହେଲେ ଏହା ଜମାକାରୀଙ୍କ ସେଭିଂ କିମ୍ବା କରେଂଟ ଆକାଉଂଟ ସହିତ ଲିଙ୍କ ହୋଇଥାଏ । ଏହାଦ୍ୱାରା ଯଦି ଜମାକାରୀ ଲିଙ୍କ ହୋଇଥିବା ଖାତାରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ଏବଂ ସେତିକି ଟଙ୍କା ଖାତାରେ ଉପଲବ୍ଧ ନାହିଁ ତେବେ ଏଭଳି ପରିସ୍ଥିତିରେ ସେ ଏମଓଡିରୁ ମଧ୍ୟ ଟଙ୍କା ଉଠାଇ ପାରିବେ ।

ମିଳିଥିବା ସୂଚନା ମୁତାବକ, ମଲ୍ଟି ଅପସନ ଡିପୋଜିଟ୍ ତଥା ଏମଓଡି ଡିପୋଜିଟର ତଥା ଜମାକାରୀଙ୍କ ସେଭିଂ କରେଂଟ ଆକାଉଂଟ ସହ ଲିଙ୍କ ହୋଇଥାଏ । ତେଣୁ କୌଣସି ବି ପରିସ୍ଥିତିରେ ଯଦି ଦରକାର ପଡେ ତେବେ ଡିପୋଜିଟର ଏହି ଲିଙ୍କ ଆକାଉଂଟରୁ ଟଙ୍କା ଉଠାଇବାକୁ ଚାହଁଛନ୍ତି ଏବଂ ସେହି ଆକାଉଂଟରେ ଉପଯୁକ୍ତ ପରିମାଣରେ ଟଙ୍କା ନଥାଏ ତେବେ ଏଭଳି ପରିସ୍ଥିତିରେ ଜମାକାରୀ ଏମଓଡିରୁ ଟଙ୍କା ଉଠାଇ ପାରିବେ । ଏମଓଡି ଉପରେ ମଧ୍ୟ ସେତିକି ହିଁ ସୁଧ ମିଳିଥାଏ ଯେତିକି ଏସବିଆଇର ଏକ ସାଧାରଣ ଏଫଡି ଉପରେ ମିଳିଥାଏ ।

ତେବେ ଏହି ମଲ୍ଟି ଅପସନ ଡିପୋଜିଟରେ ସର୍ବନିମ୍ନ ଡିପୋଜିଟ୍ ଲିମିଟ୍ ରହିଛି ୧୦ହଜାର ଟଙ୍କା । ସେହିପରି ଏଥିରେ ସର୍ବାଧିକ ଜମାରାଶିର କୌଣସି ନିର୍ଦ୍ଦିଷ୍ଟ ସାମୀ ରଖାଯାଇନାହିଁ । ଏହି ଏଫଡିକୁ ଆପଣ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଖୋଲି ପାରିବେ । ଏଥିରେ ଆପଣ ଟର୍ମ ପୁରିବା ପୂର୍ବରୁ ବି ଟଙ୍କା ଉଠାଇପାରିବେ । ଏଥି ସହିତ ହିଁ ଏହି ଆକାଉଂଟରେ ଲୋନ ନେବାର ସୁବିଧା ମଧ୍ୟ ଦିଆଯାଇଥାଏ ।