ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମୋଦର ମୁଖ୍ୟ ମସୁଦ ଅଜହରର ପାକିସ୍ତାନରେ ମୃତ୍ୟୁ ହେବା ଖବର ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ବି ମୁଖ୍ୟ ଖବର ପାଲଟିଯାଇଛି । ପ୍ରକୃତରେ ଅଜହର ମରିଛି ନା ଏହା ପାକିସ୍ତାନର ଆଉ ଏକ ନୂଆ ଚାଲ୍, ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଯାଂଚ କଡାକଡି କରାଯାଇଛି । ଅନ୍ୟପଟେ ଅଜହରର ମୃତ୍ୟୁକୁ ଖଣ୍ଡନ କରିଛି ପାକିସ୍ତାନ । ମସୁଦ ମରି ନାହିଁ, ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାକୁ ପାକ୍ ଆର୍ମି ହସପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ମସୁଦର କିଡନୀ ଖରାପ ହୋଇଯାଇଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସୋସିଆଲ ମିଡିଆରେ ଅଜହରର ମୃତ୍ୟୁକୁ ନେଇ ଅନେକ କଥା ଭାଇରାଲ ହେଉଛି , କିନ୍ତୁ ବାସ୍ତବରେ ଅଜହର ମୃତ ନା ଜୀବିତ ତାହା ଏବେବି ଅସ୍ପଷ୍ଟ ରହିଛି । ତେବେ ସେ ଯାହା ହେଉନା କାହିକି ସମୁଦ ଅଜହର ପ୍ରକୃତରେ କିଏ , ସେ କିଭଳି ଆତଙ୍କବାଦୀ ପାଲଟିଲା ସେ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ..
ମସୁଦ ଅଜହର କିଏ
ମସୁଦର ଜନ୍ମ ପାକିସ୍ତାନର ବହାବଲପୁରରେ ହୋଇଥିଲା । ସୂଚନା ମୁତାବକ, ଅଜହରର ବାପା , ଅଲ୍ଲାହ ବଶ୍ୟ ଶବିର ଜଣେ ପ୍ରିନ୍ସିପାଲ। ମସୁଦର ପରିବାର ଦୁଗ୍ଧ ବ୍ୟବସାୟ କରି ଚଳନ୍ତି । ଅଜହର ପାଠପଢା କରାଚିର ଜାମିୟା ଉଲ୍ ଇସଲାମିୟାରେ ହୋଇଥିଲା ଏବଂ ସେଠାରେ ହରକତ-ଉଲ-ଅନସାରରେ ସାମିଲ ହୋଇଯାଇଥିଲା, ଆଉ ଏହିଠୁ ହିଁ ଅଜହରର ଆତଙ୍କୀ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିଲା । ପାଖାପାଖି ୧୯୯୪ରେ ସେ ଶ୍ରୀନଗର ଚାଲିଆସିଥିଲା । ତାକୁ ସେହି ବର୍ଷ ଫେବୃଆରୀରେ ହିଁ ପୁଲିସ ଗିରଫ କରି ଜେଲରେ ବନ୍ଦୀ କରିଦେଇଥିଲା । ତେବେ ଆତଙ୍କବାଦୀମାନେ ଅଜହରକକୁ ଜେଲରୁ ମୁକ୍ତ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ । ୧୯୯୫ରେ ଜମ୍ମୁକାଶ୍ମୀରରେ କିଛି ବିଦେଶୀ ପର୍ଯ୍ୟଟକକୁ ଛାଡିବା ବଦଳରେ ମସୁଦ ଅଜହରକୁ ଜେଲରୁ ମୁକ୍ତ କରିବାକୁ ଦାବି ଆରମ୍ଭ କରିଥିଲେ । ହେଲେ ଆତଙ୍କୀଙ୍କ କବଳରୁ ଜଣେ ବିଦେଶୀ ପର୍ଯ୍ୟଟକ ଖସି ଆସିବା ପରେ ସେମାନେ ବନ୍ଧକ ରଖିଥିବା ସବୁ ପର୍ଯ୍ୟଟକଙ୍କୁ ହତ୍ୟା କରିଦେଇଥିଲେ ।
ଆତଙ୍କୀ ଦୁନିଆରେ ଅଜହର
ଅଜହର ବହୁ ପୂର୍ବରୁ ହିଁ ଆତଙ୍କୀ ଜଗତରେ ପାଦ ରଖିସାରିଥିଲା । ସୂଚନା ମୁତାବକ, ସେ ପ୍ରଥମେ ହରକତ-ଉଲ-ଅନସାରର ଜେନେରାଲ ସେକ୍ରେଟାରୀ ରୂପରେ କାମ ଆରମ୍ଭ କରିଥିଲା । ମିଡିଆ ରିପୋର୍ଟ ମୁତାବକ, ୧୯୯୪ରେ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହି ନେଟଓର୍କର ହାତ ଥିଲା, ଯେଉଁଥିରେ କି ମସୁଦର ଗୁରୁତ୍ୱପୂର୍ଣ୍ମ ଭୂମିକା ରହିଥିଲା ।
ଯଦିଓ ତାକୁ ସେହି ସମୟରେ ଗିରଫ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଛାଡି ଦିଆଯାଇଥିଲା । ସେପର୍ଯ୍ୟନ୍ତ ଆମେରୀକାକୁ ଅଜହରର ଶକ୍ତି ସଂପର୍କରେ ସୂଚନା ମିଳିସାରିଥିଲା । ଏବଂ ଆମେରିକା ହରକତ-ଉଲ-ଅନସାର କୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ତାଲିକାରେ ତାର ନାଁ ଉଠାଇଦେଇଥିଲା । ତେବେ ଏହି ତାଲିକାରୁ ବାହାରିବା ପାଇଁ ଆତଙ୍କୀ ସଂଗଠନ ଦଳର ନାଁ ବଦଳାଇ ହରକତ-ଉଲ-ମୁଜାହିଦ୍ଦିନ କରିଦେଇଥିଲା । ପାକିସ୍ତାନୀ ଅଧିକାରୀମାନେ ଭାରତରେ ହୋଇଥିବା ପଠାନକୋଟ ଆକ୍ରମଣ ପରେ ତାକୁ ନିଜ କବଜାରେ ନେଇଯାଇଥିଲେ । ଯାହାପରେ ଭାରତ ମସୁଦକୁ ତାର ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ତାକୁ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆତଙ୍କବାଦୀମାନଙ୍କ ତାଲିକାରେ ରଖିଛି ।
ଆତଙ୍କୀ ସମୂହକୁ ଆହୁରୀ ମଜଭୁତ କରିବା ପାଇଁ ଅଜହର ଜୈସ-ଏ-ମୋହମ୍ମଦ ଗଠନ କରିଥିଲା । ଏଥିରେ ପାକିସ୍ତାନର ସେନା ଗୁଇନ୍ଦା ଏଜେନ୍ସି, ଆଇଏସଆଇର ପୂରା ସମର୍ଥନ ମିଳିଥିଲା । ଆଇଏସଆଇ ତାକୁ ବହୁ ମାତ୍ରାରେ ଅର୍ଥ ଯୋଗାଇଲା ଏବଂ ସବୁ ଦିଗରୁ ସପୋର୍ଟ ମଧ୍ୟ କଲା । ଆଫଗାନିସ୍ତାନ ସ୍ଥିତ ତାଲିବାନ ଏବଂ ଓସାମା ବିନ ଲାଦେନର ସମୁହ ବି ଏହାକୁ ମଜଭୁତ କରିବାକୁ ଅଜହରର ପୂରା ସାଥ୍ ଦେଇଥିଲେ ।
ବଡ ବଡ ଆକ୍ରମଣରେ ରହିଥିଲା ହାତ
ଏହାପରେ ଅଜହର ନିଜର ଭାଷଣବାଜୀ ପାଇଁ ପାକିସ୍ତାନ ପାଇଁ ହିରୋ ବନିଯାଇଥିଲା ଆଉ ବିଶ୍ୱ ପାଇଁ ବଡ ଶତ୍ରୁ । ନିଜର ଭାଷଣବାଜୀରେ ଅଣ ମୁସଲମାନ ସଂପ୍ରଦାୟ ପ୍ରତି ବିଷ ଓଗାଳିବା ସହ କାଶ୍ମୀରକୁ ନେଇ ଉତ୍ତେଜନା ମୂଳକ ଭାଷଣ ପାଇଁ ଆତଙ୍କୀ ଦୁନିଆରେ ତାର ନାଁ ବେଶ୍ ଚର୍ଚ୍ଚିତ ହୋଇଗଲା । ୧୪ ଫେବୃଆରୀରେ ପୁଲବାମା ଆକ୍ରମଣ ପଛରେ ଏହି ଜୈସ-ଏ-ମୋହମ୍ମଦର ହାତ ଥିବା ସ୍ୱୀକାର କରିଛି ଖୋଦ୍ ଅଜହର । ସେହିଭଳି ୨୦୧୬, ଜାନୁଆରୀରେ ପଠାନକୋଟ ହମଲାରରେ ୭ ଜଣ ଭାରତୀୟ ଯବାନଙ୍କର ଜୀବନ ମଧ୍ୟ ଏହି ସଂଗଠନ ନେଇଥିଲା । ସେପ୍ଟମ୍ବର ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପଛରେ ବି ଏହି ସଂଗଠନର ହାତ ରହିଥିଲା । ତେବେ ଏହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ।
ଭାରତର ଚାପରେ ନଇଁଲା ପାକିସ୍ତାନ
ମସୁଦ ଆଝାର ଓ ଜୈସ୍ -ଏ-ମହମ୍ମଦ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ସୂଚନା ମିଳିଛି । ଅନ୍ତର୍ଜାତୀୟ ଚାପ ଯୋଗୁଁ ପାକିସ୍ତାନ ଏପରି କରିବାକୁ ଯାଉଛି । ମସୁଦ ଆଝାରକୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ହେବା ନେଇ ପାକିସ୍ତାନ ଯେଉଁ ଆପତି କରିଆସୁଥିଲା, ସେଥିରୁ ହଟିଯାଇପାରେ । ଯଦି ଏପରି ହୁଏ ଏହା ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ବୋଲି ଗଣନା କରାଯିବ । ମସୁଦଙ୍କୁ ବିଶ୍ୱ ଆତଂକବାଦୀ ତାଲିକାରେ ସାମିଲ ସହ ତା ଉପରେ କଟକଣା ଲଗାଇବାକୁ ଦାବି କରି ପୂର୍ବରୁ ଅନେକଥର ଜାତିସଂଘରେ ପ୍ରସ୍ତାବ ଆସିଛି ।
ତେବେ ପାକସ୍ତାନର ବିରୋଧ ଓ ଚୀନର ଭିଟୋ ପାୱାର ଯୋଗୁଁ ଏହା ସମ୍ଭବ ହୋଇ ପାରି ନାହିଁ । ଗତ ସପ୍ତାହରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମସୁଦ୍ ଓ ତାର ସଂଗଠନକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଣିଥିଲା । ୧୦ ବର୍ଷ ମଧ୍ୟରେ ମସୁଦକୁ ଆନ୍ତର୍ଜାତୀୟ କଳା ତାଲିକାଭୁକ୍ତ କରିବାକୁ ୪ଥର ପ୍ରସ୍ତାବ ଆସିଛି । ହେଲେ ସବୁଥର ପରି ଚୀନର ବିରୋଧ ଯୋଗୁଁ ପାରିତ ହୋଇ ପାରି ନଥିଲା । କିନ୍ତୁ ଏଥର ଚୀନ ନୀରବ ରହିଛି । ତେବେ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବ ନେଇ ନିଜର ମତ ରଖିପାରିବେ ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର ।