ଚକ୍ରବ୍ୟୂହରେ ଇନଫୋସିସ୍‌ ସିଇଓ ! ନାରାୟଣମୂର୍ତ୍ତିଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ବିଶାଲ ସିକ୍କା

21

ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଇନଫୋସିସର ସିଇଓ ତଥା ପରିଚାଳନା ନିର୍ଦେଶକ ବିଶାଲ ସିକ୍କା ଇସ୍ତଫା ପ୍ରଦାନ କରିଛନ୍ତି । ଇସ୍ତଫା ପାଇଁ ସେ ଇନଫୋସିସର ପ୍ରମୁଖ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତିଙ୍କୁ ଦାୟୀ କରିଛନ୍ତି । ସିକ୍କାଙ୍କ ଉପରେ ନାରାୟଣମୂର୍ତ୍ତିଙ୍କ ବାକ୍ୟ ଆକ୍ରମଣ ଏବଂ ସମାଲୋଚନା ତଥା ନାରାୟଣମୂର୍ତ୍ତି ନିକଟରେ ଦେଇଥିବା ଏକ ଚିଠି ହେଉଛି ସିକ୍କା ଇସ୍ତଫା ଦେବାର ପ୍ରମୁଖ କାରଣ ବୋଲି କଂପାନି ବୋର୍ଡ ପକ୍ଷରୁ କୁହାଯାଇଛି ।

ନାରାୟଣମୂର୍ତ୍ତି ନିକଟରେ ଦେଇଥିବା ଏକ ଚିଠିରେ ଲେଖିଥିଲେ ଯେ ସିକ୍କା ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବା ବଦଳରେ ଜଣେ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ (ସିଟିଓ) ହେବାକୁ ଯୋଗ୍ୟ । ମୂର୍ତ୍ତିଙ୍କ ଚିଠିରେ ତଥ୍ୟଗତ ଭୁଲ ଏବଂ ଗୁଜବ ଆଦି ରହିଥିଲା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସିକ୍କା ଇସ୍ତଫା ପ୍ରଦାନ କରିବା ପରେ କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ୟୁ ବି ପ୍ରବୀଣ ରାଓଙ୍କୁ ଅନ୍ତରୀଣ ସିଇଓ ଦାୟିତ୍ୱ ଦିଆଯାଇଛି ।

ନାରାୟଣମୂର୍ତ୍ତି ଏବଂ ସିକ୍କାଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ । ସିକ୍କା ଯେଉଁଭଳି ଭାବେ ଇନଫୋସିସର ପରିଚାଳନା କରୁଥିଲେ ତାହାକୁ ନେଇ ନାରାୟଣମୂର୍ତ୍ତି ଅତ୍ୟନ୍ତ କ୍ଷୁବ୍ଧ ଥିଲେ । ଏ ବିଷୟରେ ସେ ଗଣମାଧ୍ୟମରେ କିଛି ମାସ ପର୍ଯ୍ୟନ୍ତ ଚର୍ଚ୍ଚା ସୃଷ୍ଟି କରିଥିଲେ । କଂପାନିକୁ ଚଳାଉଥିବା ବର୍ତ୍ତମାନର ବୋର୍ଡ ସିକ୍କାଙ୍କୁ ସମର୍ଥନ କରୁଛି । ମାତ୍ର ନାରାୟଣମୂର୍ତ୍ତି ଏବଂ ଅନ୍ୟ ପ୍ରତିଷ୍ଠାତା ସଦସ୍ୟମାନେ ତାଙ୍କ କାର୍ଯ୍ୟ କରିବା ଶୈଳୀକୁ ପସନ୍ଦ କରୁନଥିଲେ । ଅନ୍ତରୀଣ ସିଇଓ ଦାୟିତ୍ୱ ପ୍ରଦାନ କରାଯାଇଥିବା ପ୍ରବୀଣ ରାଓଙ୍କୁ ଦିଆଯାଇଥିବା ୩୩% ବେତନ ବୃଦ୍ଧିକୁ ମଧ୍ୟ ଅତୀତରେ ନାରାୟଣମୂର୍ତ୍ତି ସମାଲୋଚନା କରିଥିଲେ ।

ସିକ୍କା ଇସ୍ତଫା ପତ୍ରରେ ନାରାୟଣମୂର୍ତ୍ତିଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି । ତାହାର ଜବାବ ଦେଇଛନ୍ତି ନାରାୟଣମୂର୍ତ୍ତି । କହିଛନ୍ତି ଯେ କଂପାନି ବୋର୍ଡ ଏବଂ ସିକ୍କା ଯେଉଁ ଅଭିଯୋଗ କରିଛନ୍ତି ତାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । ଚଳିତ ବର୍ଷ ଫେବ୍ରୁଆରିରେ ଯେତେବେଳେ ଇନଫୋସିସର ପ୍ରତିଷ୍ଠାତା ଏନ୍ ଆର୍ ନାରାଣମୂର୍ତ୍ତି ଏବଂ କଂପାନି ବୋର୍ଡ ମଧ୍ୟରେ ତିକ୍ତତା ଚରମ ସ୍ତରରେ ପହଞ୍ଚିଥିଲା ସେତେବେଳେ ଇନଫୋସିସରେ ନେତୃତ୍ୱ ସଙ୍କଟ ଦେଖାଦେବ ବୋଲି ନିବେଶକମାନେ ଆଶଂକା ପ୍ରକଟ କରିଥିଲେ । ସେହି ସମୟରେ ନିବେଶକମାନଙ୍କ ମନରୁ ଭୟ ଦୂର କରିବା ପାଇଁ କଂପାନିର ସିଇଓ ବିଶାଲ ସିକ୍କା କହିଥିଲେ ଯେ, ମୁଁ ଜଣେ କ୍ଷତ୍ରିୟ ଯୋଦ୍ଧା । ମୁଁ ଏଠାରେ ରହିବି ଏବଂ ଲଢ଼େଇ କରିବି । କିନ୍ତୁ ସେ ନିଜର କଥା ରଖିପାରିଲେ ନାହିଁ । ପ୍ରତିଷ୍ଠାତାମାନଙ୍କ ଚକ୍ରବ୍ୟୂହରେ ଫସିଗଲେ ଏହି କ୍ଷତ୍ରିୟ ଯୋଦ୍ଧା । ସେ ଅଂଶଧନଧାରୀ ଏବଂ ପ୍ରତିଷ୍ଠାତାଙ୍କ ଦ୍ୱାରା ପକାଯାଇଥିବା ଚାପକୁ ସହିଯିବେ ବୋଲି ସେତେବେଳେ ଭାବିଥିଲେ । କିନ୍ତୁ ବେଶି ଦିନ ଚାପ ସହ୍ୟ କରିପାରିଲେ ନାହିଁ । ଇସ୍ତଫା ଦେଇଦେଲେ ।

ସିକ୍କା ଇନଫୋସିସରେ ଏଭଳି ଏକ ସମୟରେ ଯୋଗ ଦେଇଥିଲେ ଯେତେବେଳେ କଂପାନି ଦିଗହରା ହୋଇପଡ଼ିଥିଲା । କାରବାର ଏବଂ ରାଜନୈତିକ ପରିବେଶ କଂପାନି ସପକ୍ଷରେ ନଥିଲା । ଅଟୋମେସନ୍ ଏବଂ ନୂଆ ପ୍ରଯୁକ୍ତି ଇନଫୋସିସର ବ୍ୟବସାୟ ମଡେଲ୍ ପ୍ରତି ବିପଦ ସୃଷ୍ଟି କରିଥିଲା । ଗତକାଲି ଇସ୍ତଫା ପ୍ରଦାନ କରିବା ପରେ ସିକ୍କା ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, କିଭଳି ସେ ନକାରାତ୍ମକ ଚକ୍ରବ୍ୟୂହରେ ଫସିଯାଇଥିଲେ ଏବଂ ଶେଷରେ ହାରି ଯାଇଥିଲେ ।

ଗତ କିଛି ମାସ ହେଲାଣି ମୋ ବିରୋଧରେ ଭିତ୍ତିହୀନ, ଭୁଲ ଏବଂ ବ୍ୟକ୍ତିଗତ ଆକ୍ରମଣ କରାଯାଉଥିଲା । ସ୍ୱାଧୀନ ତଦନ୍ତ ଦ୍ୱାରା ଅନେକ ସମୟରେ ଅଭିଯୋଗଗୁଡ଼ିକ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି । ଏହା ସତ୍ତ୍ୱେ ମୋ ଉପରେ ଆକ୍ରମଣ ଜାରି ରହିଥିଲା । ଯେଉଁମାନଙ୍କଠାରୁ ମୁଁ ସମର୍ଥନ ଆଶା କରୁଥିଲି ସେମାନେ ମୋତେ ଅଧିକ ସମାଲୋଚନା କରୁଥିଲେ ବୋଲି ସିକ୍କା ଇସ୍ତଫା ପତ୍ରରେ ଲେଖିଛନ୍ତି । ଏଭଳି ନକାରାତ୍ମକ ପରିବେଶ ଯୋଗୁଁ ସେ କଂପାନିରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ସଂଘର୍ଷ କରିଥିଲେ । ମାତ୍ର ସଂସ୍ଥା ଭିତରେ ଏଭଳି କିଛି ଢାଞ୍ଚାଗତ ପରିବର୍ତ୍ତନ କରାଯାଇଥିଲା ଯାହାକୁ ନେଇ ସେ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିଲେ ।

ସିକ୍କା ଥିଲେ ଇନଫୋସିସର ପ୍ରଥମ ଅଣ ପ୍ରତିଷ୍ଠାତା ସିଇଓ । କାଲିଫର୍ଣ୍ଣିଆରେ ପ୍ରଯୁକ୍ତି ଜଗତର ଜଣେ ସଫଳ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିଥିବା ସିକ୍କା ଇନଫୋସିସରେ ଯୋଗ ଦେବା ପରେ ତାଙ୍କ କାର୍ଯ୍ୟାଳୟ ବାଙ୍ଗାଲୋରରୁ ଆମେରିକାର ପାଓଲୋ ଆଲ୍ଟୋକୁ ନେଇଯାଇଥିଲେ । ସେହିଠାରେ ରହି ସେ କଂପାନିର କାରବାର ଦେଖାଶୁଣା କରୁଥିଲେ । ବାଙ୍ଗାଲୋର ବାହାରେ ରହି କାରବାର ପରିଚାଳନା କରିବାରେ ସେ ଥିଲେ ଇନଫୋସିସର ପ୍ରଥମ ସିଇଓ । ସିକ୍କା ନୂତନତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଇନଫୋସିସ୍ ପାଇଁ ସେ ସବୁଠୁ ବଡ଼ ଅଧିଗ୍ରହଣ କରିଥିଲେ । ମାତ୍ର ସିକ୍କାଙ୍କ କଂପାନି ପରିଚାଳନା ତରିକାକୁ ପସନ୍ଦ କରୁନଥିଲେ ନାରାୟଣମୂର୍ତ୍ତି । ସେ ଚାହୁଁଥିଲେ ପୁରୁଣା ଢ଼ାଞ୍ଚାରେ କଂପାନି ଆଗକୁ ବଢ଼ୁ । ବିଶେଷ କରି କଠୋର ଘୋଷଣାନାମା ନିୟମକୁ ପାଳନ କରିବା, ଦାୟିତ୍ୱାବୋଧ ଏବଂ ଗଭର୍ଣ୍ଣାସ ନିୟମ ଠିକ୍ ଭାବେ ପାଳନ କରାଯାଉ ବୋଲି ନାରାୟଣମୂର୍ତ୍ତି ଚାହୁଁଥିଲେ । ସିକ୍କାଙ୍କ ପାଇଁ ତାହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

ମଙ୍ଗ ସମ୍ଭାଳିପାରନ୍ତି ନିଲେକାନି

ବିଶାଲ ସିକ୍କା ଇନଫୋସିସ୍ ସିଇଓ ଏବଂ ଏମଡି ପଦରୁ ଇସ୍ତଫା ପ୍ରଦାନ କରିବା ପରେ କଂପାନିର ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କଂପାନିର ଅନ୍ୟତମ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଇନଫୋସିସର କର୍ପୋରେଟ୍ ସଂସ୍କୃତିକୁ ନିଲେକାନି ଭଲ ଭାବେ ବୁଝିଛନ୍ତି । ତେଣୁ ସେ ହିଁ କଂପାନିକୁ ଏହିଠାରୁ ଆଗକୁ ବଢ଼ାଇପାରିବେ ବୋଲି ଆଲୋଚନା ହେଉଛି ।

ନିବେଶକଙ୍କ କ୍ଷତି ୩୦ ହଜାର କୋଟି

ଇନଫୋସିସର ସିଇଓ ଏବଂ ଏମଡି ପଦରୁ ବିଶାଳ ସିକ୍କା ଇସ୍ତଫା ଦେବା ପରେ ଏହାର ନିବେଶକମାନେ ଗତକାଲି ଗୋଟିଏ ଦିନରେ ୩୦ ହଜାର କୋଟି ଟଙ୍କା ହରାଇଛନ୍ତି । ଶୁକ୍ରବାର ଷ୍ଟକ୍ ମାର୍କେଟରେ ଇନଫୋସିସର ସେୟାର ମୂଲ୍ୟ ୧୩ ପ୍ରତିଶତରୁ ଅଧିକ ଖସିଆସି ୮୮୪ ଟଙ୍କା ରହିଛି । ଶୁକ୍ରବାର ଇନଫୋସିସର ବଜାରପୁଞ୍ଜି ୨.୩୪ ଲକ୍ଷ କୋଟି ଟଙ୍କାରୁ ୨.୦୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ନାରାୟଣମୂର୍ତ୍ତିଙ୍କ ପରିବାରର ୧୦୦୦ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ଅନ୍ୟ ନିବେଶକମାନଙ୍କର ୨୯ ହଜାର କୋଟି ଟଙ୍କା କ୍ଷତି ହୋଇଛି ।

ମୂଳ କାରଣ ପାନାୟା ଅଧିଗ୍ରହଣ

ଇନଫୋସିସ୍ ପକ୍ଷରୁ ୨୦୧୫ରେ ପାନାୟା ନାମକ କଂପାନିକୁ ଅଧିଗ୍ରହଣ କରାଯାଇଥିଲା । ୨୦୦ ନିୟୁତ ଡଲାରରେ କଂପାନିକୁ ଅଧିଗ୍ରହଣ କରାଯାଇଥିଲା । ଏହାକୁ ଅଧିକ ଦାମ ଦେଇ ଅଧିଗ୍ରହଣ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ତାହାକୁ ନେଇ କଂପାନି ବୋର୍ଡ ଏବଂ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କଂପାନି ବୋର୍ଡ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ପ୍ରତିଷ୍ଠାତାମାନଙ୍କୁ ତତ୍କାଳ ଜଣାଉନଥିଲେ । ଅନେକ ମାସ ପରେ ସେମାନଙ୍କୁ ଖବର ଦିଆଯାଉଥିଲା ।

ବାରମ୍ବାର ଆକ୍ରମଣ ଯୋଗୁଁ କାମ କରିବାର ଉତ୍ସାହ କମିଗଲା: ସିକ୍କା

ମୁଁ କଂପାନିକୁ ଅଭିବୃଦ୍ଧି ପଥରେ ଆଗକୁ ବଢ଼ାଇ ନେବା ପାଇଁ ଏଠାକୁ ଆସିଥିଲି । ତିନି ବର୍ଷ ଭିତରେ ଅନେକ କିଛି କରିପାରିଛି । ପ୍ରଯୁକ୍ତି ପ୍ରତି ମୋର ରହିଥିବା ଅହେତୁକ ଦୁର୍ବଳତାକୁ ପାଥେୟ କରି ମୁଁ କଂପାନି ପାଇଁ ଉତ୍ସାହିତ ହୋଇ କାମ କରିଛି । ବ୍ରେକଜିଟ୍, ଭିସା ଏବଂ ଟ୍ରମ୍ପ୍ ଭଳି ସ୍ଥିତି ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହାକୁ ଆମେ ସୁଯୋଗରେ ପରିଣତ କଲେ । ମାତ୍ର କିଛି ଦିନ ହେଲା ଯେଉଁ ବାରମ୍ବାର ଆକ୍ରମଣ କରାଗଲା ତାହା ମୋର କାମ କରିବା ଉତ୍ସାହକୁ କମାଇ ଦେଇଛି । ବାରମ୍ବାର ଅଭିଯୋଗ କରାଯାଉଥିଲା । ପ୍ରତିଦିନ ସକାଳୁ ଉଠିବା ବେଳେ କିଛି ନା କିଛି ଖବର ବାହାରୁଥିଲା । ଏହା ଧୀରେ ଧୀରେ ବ୍ୟକ୍ତିଗତ ଆକ୍ରମଣରେ ପରିଣତ ହୋଇଥିଲା । ସେଥିପାଇଁ ମୁଁ କଂପାନିରେ ମୋର ଯାତ୍ରା ଶେଷ କରିବାକୁ ନିଷ୍ପତ୍ତି ନେଇଛି ।

ମୂର୍ତ୍ତିଙ୍କ ଯୋଗୁଁ ସିକ୍କା ଇସ୍ତଫା ଦେଇଛନ୍ତି: କଂପାନି ବୋର୍ଡ

ଏନ୍ ଆର୍ ନାରାୟଣମୂତ୍ତିଙ୍କ ବାରମ୍ବାର ବାକ୍ୟ ଆକ୍ରମଣ ଯୋଗୁଁ ସିଇଓ ବିଶାଲ ସିକ୍କା ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଇନଫୋସିସର ବୋର୍ଡ ପକ୍ଷରୁ କୁହାଯାଇଛି । କଂପାନିରେ ୧୨.୭୫% ଅଂଶଧନ ଥିବା ପ୍ରତିଷ୍ଠାତାଙ୍କ ସମସ୍ୟା ସମାଧାନ କରିବାକୁ କଂପାନି ପକ୍ଷରୁ ଉଦ୍ୟମ ଜାରି ରହିଥିଲା ଏବଂ ଆଲୋଚନା କରାଯାଉଥିଲା । ଏହା ସତ୍ତ୍ୱେ ଏନ୍ ଆର୍ ନାରାୟଣମୂର୍ତ୍ତି ନିଜର ଆକ୍ରମଣ ଜାରି ରଖିଥିଲେ । ସିକ୍କା ଇସ୍ତଫା ପ୍ରଦାନ କରିବାର ଏହା ପ୍ରମୁଖ କାରଣ ବୋଲି କଂପାନି ବୋର୍ଡ ପକ୍ଷରୁ କୁହାଯାଇଛି । ଏହା ସହିତ ସିକ୍କାଙ୍କ କାମକୁ କଂପାନି ବୋର୍ଡ ବହୁତ ପ୍ରଶଂସା କରିଛି । ତାଙ୍କ ଯୋଗୁଁ କଂପାନିର ରାଜସ୍ୱ ବଢ଼ିଥିବା କହିଛି । ନାରାୟଣମୂର୍ତ୍ତି ଗଣମାଧ୍ୟମରେ ଭିତ୍ତିହୀନ ଏବଂ ଭୁଲ ତଥ୍ୟ ପ୍ରଦାନ କରୁଥିବା ବୋର୍ଡ ଅଭିଯୋଗ କରିଛି । ସମୟ ଗଡ଼ିଚାଲିବା ସହିତ ନାରାୟଣମୂର୍ତ୍ତିଙ୍କ ଆକ୍ରମଣ ବଢ଼ିଯାଇଥିଲା ବୋଲି କୁହାଯାଇଛି ।

ମୁଁ କ୍ଷମତା କିମ୍ବା ପିଲାଙ୍କ ପାଇଁ ଟଙ୍କା, ପଦବି ଚାହୁଁନାହିଁ: ନାରାୟଣମୂର୍ତ୍ତି

ମୋ ବିରୋଧରେ ଯେଉଁ ଅଭିଯୋଗ ସବୁ କରାଯାଉଛି ତାହାକୁ ନେଇ ମୁଁ ଅତ୍ୟନ୍ତ ମର୍ମାହତ । ମୁଁ ୨୦୧୪ରେ ସ୍ୱେଚ୍ଛାକୃତ ଭାବେ ଇନଫୋସିସ୍ ଛାଡ଼ିଥିଲି । ମୁଁ କଂପାନିରେ କୌଣସି କ୍ଷମତା କିମ୍ବା ମୋ ପିଲାମାନଙ୍କ ପାଇଁ ଟଙ୍କା ଏବଂ ପଦପଦବି ଚାହୁଁନାହିଁ । କଂପାନିର କର୍ପୋରେଟ୍ ଗଭର୍ଣ୍ଣାସ ମାନରେ ଯେଉଁ ଅବନତି ହେଉଥିଲା ତାହାକୁ ନେଇ ମୁଁ ଚିନ୍ତିତ ଥିଲି । ମୁଁ ଏ ବିଷୟରେ ଅନେକ ଥର କଂପାନିର ବୋର୍ଡକୁ ଜଣାଇଛି । ମୁଁ ସିକ୍କାଙ୍କ କାମକୁ ନେଇ ମୋତେ କେବେ ସମସ୍ୟା ହୋଇନାହିଁ । ମୋର ଏକମାତ୍ର ସମସ୍ୟା ଥିଲା କର୍ପୋରେଟ୍ ଗଭର୍ଣ୍ଣାନ୍ସରେ ଅବନତି । ମୋର ବିଶ୍ୱାସ ରହିଛି ଯେ ସମସ୍ୟା କଂପାନି ବୋର୍ଡ ଭିତରେ ରହିଛି । ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ତାହା ଉପରେ ମତାମତ ଦେବା ତାଙ୍କ ମର୍ଯ୍ୟାଦା ବିରୋଧୀ ବୋଲି ନାରାୟଣମୂର୍ତ୍ତି କହିଛନ୍ତି ।