ସହରାନନପୁର ଜିଲ୍ଲାର ଗଙ୍ଗୌହ ବ୍ଲକ୍ ଅଲିପୁରା ଗାଁର ବାସିନ୍ଦା ଅରୁଣ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗତ ଗୋଟିଏ ବର୍ଷ ହେଲା କୋମାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏବଂ ଅରୁଣଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସବୁଠାରୁ ବଡ କଥା ହେଲା, ବାପାଙ୍କର ଚିକିତ୍ସା ଓ ମାଆଙ୍କ ଯନ୍ତ୍ରଣାକୁ ଦେଖି ସହି ପାରିନଥିଲା ତାଙ୍କର ଏହି ୬ବର୍ଷର କୁନି ଝିଅ ଇସୁ ଆଉ ଲେଖିଥିଲା ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ।

Advertisment

ସୂଚନା ମୁତାବକ, ଗଙ୍ଗୌହ ବ୍ଲକର ଅଲିପୁରା ବାସିନ୍ଦା ଅରୁଣ ପେସାରେ ଜଣେ ଫଟୋଗ୍ରାଫର । ବର୍ଷେ ପୂର୍ବରୁ ଅରୁଣ ମିର୍ଜାପୁରର ଏକ ଗାଁରେ ଫଟୋଗ୍ରାଫି କରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଟ୍ରାକ୍ଟର ସହ ତାଙ୍କ ବାଇକର ଧକ୍କା ହୋଇଥିଲା ଯାହାଦ୍ୱାରା ସେ ଗଭୀର ଭାବେ ଆହତ ହୋଇଥିଲେ ଏବଂ ପରେ ସେ କୋମାକୁ ଚାଲିଯାଇଥିଲେ ।

ଅରୁଣ ଥିଲେ ପରିବାରର ଏକମାତ୍ର ସାହାଭରସା । ଦୁର୍ଘଟଣାର ୧୫ ଦିନ ପୂର୍ବରୁ ହିଁ ତାଙ୍କ ପତ୍ନୀ ଏକ ଶିଶୁପୂତ୍ର ଜନ୍ମ ଦେଇଥିଲେ । ଝିଅ ଇସୁ ସେହି ସମୟରେ ମାତ୍ର ୫ ବର୍ଷର ଥିଲା । ଅରୁଣଙ୍କର ବାପା ଏବଂ ଭାଇ ମୁଲ ଲାଗି ନିଜର ପରିବାର ଭରଣପୋଷଣ କରନ୍ତି । ଅରୁଣଙ୍କର ଗୋଟିଏ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କର ଏଯାବତ୍ ବିବାହ ବି ହୋଇପାରିନି । ତେବେ ଦୁର୍ଘଟଣା ପରେ ଅରୁଣଙ୍କର ପତ୍ନୀ ଜଗାଧରୀରେ ତାଙ୍କର ଚିକିତ୍ସା କରିଥିଲେ । ହେଲେ ଅରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରିଦିଆଯାଇଥିଲା ।

ଏଭଳି ଭାବେ ବର୍ଷେ ଯାଏଁ ଅରୁଣଙ୍କର ଚିକିତ୍ସା କରିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଦେଇଯାଇନଥିଲା । ଘରର ସମସ୍ତ ସଂଚୟ ଧନ ଅରୁଣଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଥିଲା । ଏହାପରେ ବାଧ୍ୟହୋଇ ଅରୁଣଙ୍କୁ ଘରକୁ ଫେରାଇ ଆଣିଥିଲେ ପତ୍ନୀ ପ୍ରିୟଙ୍କା । ଅରୁଣ ବର୍ତ୍ତନମାନ ଘରେ ରହି ଚିକିତ୍ସା ଅପେକ୍ଷାରେ ପଡିରହିଛନ୍ତି ।

publive-imageବାପାଙ୍କର ଚିକିତ୍ସା ଏବଂ ମାଆଙ୍କ ଯନ୍ତ୍ରଣାକୁ ଦେଖି ପାରି ନଥିଲା ୬ବର୍ଷର ଝିଅ ଇସୁ । ଆଉ ଘରର ଆର୍ଥିକ ପରିସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିବା ସହ ବାପାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲା । ଏହି ଚିଠିରେ କୁନି ଝିଅଟି ଲେଖିଥିଲାକି , ତାଙ୍କର ସବୁ ଟଙ୍କା ବାପାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି ଏବେ ବାପାଙ୍କ ପାଇଁ ଔଷଧ ଆଣିବା ତ ଦୂରର କଥା ପେଟକୁ ଓଳିଏ ଖାଇବାକୁ ମଧ୍ୟ ତାଙ୍କ ପାଖରେ ଆଉ ଟଙ୍କା ନାହିଁ । ତେବେ କୁନି ଝିଅଟିର ବିଶ୍ୱାସ ଥିଲା କି ପ୍ରଧାନମନ୍ତ୍ରୀ ନିଶ୍ଚୟ ତାର ଗୁହାରୀ ଶୁଣିବେ ଏବଂ ଅର୍ଥ ରାଶି ସହାୟତା କରିବେ । ଶେଷରେ ତାହାହିଁ ଘଟିଥିଲା ଶିଶୁଟିର ଚିଠିକୁ ପଢିବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହାରନପୁରର ଜିଲ୍ଲାଧିକାରୀଙ୍କୁ ଅରୁଣଙ୍କର ଚିକିତ୍ସା ପାଇଁ ଯଥୋଚିତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ, ଏସଂପର୍କରେ ଯେତେବେଳେ ଇସୁର ମାଆ ପ୍ରିୟଙ୍କାକୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ କି, ଦୁର୍ଘଟଣା କାରଣରୁ ଅରୁଣଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ଆଉ ଆମ ପାଖରେ ତାଙ୍କୁ ଚିକିତ୍ସା କରିବା ପାଇଁ ଟଙ୍କା ନାହିଁ, ତାସତ୍ୱେ ବି ଯାହାଥିଲା ସେସବୁକୁ ତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିବାକୁ ପଡିଛି । କିନ୍ତୁ ଏତେ ବଡ ଚିକିତ୍ସା ପାଇଁ ଏବେ ଆମ ନିକଟରେ ଆଉ ଟଙ୍କା ନାହିଁ । ହଁ ମୋ ଝିଅ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛି । ସେ ପଡୋଶୀ ଘରେ ଟିଭି ଦେଖିବାକୁ ଯାଇଥିଲା । ସେଠାରେ ସେ ପ୍ରାଧାନମନ୍ତ୍ରୀ ମୋଦିଙ୍କୁ ଦେଖିଥିଲା । ଆଉ ମୋତେ ଆସି କହିଥିଲା କି ମାଆ ପ୍ରଧାନମନ୍ତ୍ରୀ ମୋଦି ବାପାଙ୍କର ଚିକିତ୍ସା କରାଇବେ । ଏହାପରେ ସେ ଏକ ଚିଠି ମୋଦିଙ୍କ ନାଁରେ ଲେଖିଥିଲା ।

ସୌଜନ୍ୟ: ଆଜତକ୍