୪ଟି ଟ୍ରେନରେ ପହଞ୍ଚିଲେ ୪୮୦୦ ପ୍ରବାସୀ: ଆଜି ପହଞ୍ଚିବ ଆଉ ୫ଟି ଟ୍ରେନ୍; ୬ ହଜାର ଶ୍ରମିକ ଓଡ଼ିଶାରେ ପହଞ୍ଚିବା ନେଇ ସୂଚନା

1,335

କନକ ବ୍ୟୁରୋ: ଓଡ଼ିଶାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ପ୍ରତିଦିନ ସୁରଟରୁ ଏକାଧିକ ଟ୍ରେନ୍ ରାଜ୍ୟର ବିଭିନ୍ନ ଷ୍ଟେସନରେ ପହଞ୍ଚୁଥିବା ବେଳେ ଏବେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରୁ ବି ଟ୍ରେନ୍ ଆସିବା ଆରମ୍ଭ ହୋଇଛି। ପୂର୍ବତଟ ରେଳପଥର ପୂର୍ବ ସୂଚନା ଅନୁଯାୟୀ ଗତକାଲି ୪ଟି ଶ୍ରମିକ ଟ୍ରେନ୍ ଖୋର୍ଦ୍ଧା ରୋଡ, ଜଗନ୍ନାଥପୁର ଓ ଟିଟିଲାଗଡ଼ରେ ପହଞ୍ଚିଛି। ପ୍ରତି ଟ୍ରେନରେ ପାଖାପାଖି ୧୨୦୦ ଯାତ୍ରୀ ରହିଥିଲେ। ଏହିପରି ଭାବେ ମୋଟ ୪୮୦୦ ପ୍ରବାସୀ ଅପରାହ୍ନ ୩ଟା ସୁଦ୍ଧା ଓଡ଼ିଶାରେ ପହଞ୍ଚିଛନ୍ତି। ଅହମ୍ମଦାବାଦରୁ ବାହାରିଥିବା ୨ଟି ଟ୍ରେନ୍ ଆଜି ଖୋର୍ଧାରୋଡ୍ରେ ପହଞ୍ଚିଛି।

ସେହିପରି ଶନିବାର ମୁମ୍ବାଇରୁ ବାହାରିଥିବା ଗୋଟିଏ ଟ୍ରେନ୍ ଟିଟିଲାଗଡ଼ରେ ଓ ସୁରତରୁ ବାହାରିଥିବା ଗୋଟିଏ ଟ୍ରେନ୍ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବାସୀମାନଙ୍କୁ ଧରି ଆଉ ୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଗତକାଲି ଓଡ଼ିଶା ଅଭିମୁଖେ ବାହାରିଛି।

ଆନ୍ଧ୍ରପ୍ରଦେଶର ରାୟନପାଡ଼ୁରୁ ଟିଟିଲାଗଡ଼ ଅଭିମୁଖେ ଗୋଟିଏ ଟ୍ରେନ୍ ବାହାରିଥିବା ବେଳେ ସୁରତରୁ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନ ଅଭିମୁଖେ ୩ଟି ଟ୍ରେନ୍ ଆସୁଛି। ସୁରତରୁ ପ୍ରାୟ ୩୬୦୦ ପ୍ରବାସୀ ଓଡ଼ିଆ ଏହି ଟ୍ରେନ୍ରେ ଆସୁଥିବା ଜଣାପଡ଼ିଛି। ଏହି ଟ୍ରେନଗୁଡ଼ିକ ବ୍ୟତୀତ ଶନିବାର ରାତିରେ ଚେନ୍ନାଇରୁ ଜଗନ୍ନାଥପୁର ଅଭିମୁଖେ ଆଉ ଏକ ଟ୍ରେନ୍ ବାହାରିଛି। ଏଥିରେ ବି ୧୨୦୦ ଯାତ୍ରୀ ରହିଛନ୍ତି। ଉକ୍ତ ଟ୍ରେନଟି ଆଜି ପହଞ୍ଚିବ। ତେଣୁ ସୋମବାର ମୋଟ ୫ଟି ଟ୍ରେନରେ ୬ ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିବେ ବୋଲି ଜଣାପଡ଼ିଛି।