ନୂଆବର୍ଷ ପାଇଁ ରେଳବାଇର ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀ-ବ୍ରହ୍ମପୁର ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।

317

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀରେ ନୂଆବର୍ଷ ଅବସରରେ ମାତ୍ରାଧିକ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବୁଧବାର ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନ୍‌ ଆଜି ସନ୍ଧ୍ୟାରେ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ କରିବ ।

ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ପୁରୀ ଠାରୁ ଆଜି ସନ୍ଧ୍ୟା ୬ ଘଟିକାରେ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବ । ପୁରୀ-ବ୍ରହ୍ମପୁର ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲଟମାନଙ୍କରେ ରହଣି କରିବ ।

ନୂଆବର୍ଷ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ଭିଡ଼ ହୋଇଥିଲା । ପୁରୀ ବାଟମଙ୍ଗଳା ଠାରୁ ଏହି ଭିଡ଼ ଆରମ୍ଭ ହୋଇଥିବା ବେଳେ ମେଡିକାଲ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲୋକାରଣ୍ୟ ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ସାଧାରଣ ଦର୍ଶକଙ୍କୁ ଆଜି ରାତି ୧ଟା ପରେ ପ୍ରବେଶ ଦିଆଯାଇଥିଲା । ରାତି ପାହିଲା ବେଳକୁ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଛିଡ଼ା ହୋଇଥିଲେ । ଏହି ଭିଡ଼ ଅପରାହ୍ନରେ ମଧ୍ୟ କମ୍‌ ହୋଇ ନ ଥିଲା ।

ସେପଟେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୂଆବର୍ଷ ଦିନ ସୁରକ୍ଷା ପାଇଁ ୬୫ ପ୍ଲାଟୁନ୍‌ ଫୋର୍ସ ପୁରୀ ସହରରେ ମୁତୟନ କରାଯାଇଛି।  ଆଜି ରାତି ୯ଟା ଯାଏଁ ଶ୍ରୀକ୍ଷେତ୍ର ପୁରୀରେ ଭିଡ଼ ରହିବ ବୋଲି ଅନୁମାନ କରାଯାଉଛି ।