ମଝି ରାସ୍ତାରେ ବାରମ୍ବାର ଟ୍ରାଫିକ୍ ପୁଲିସ ଅଟଳାଉଛନ୍ତି କି? ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି, ଜାଣି ରଖନ୍ତୁ କଣ ରହିଛି ଆପଣଙ୍କ ଅଧିକାର

48

ଅଧିକାଂଶ ସମୟରେ ଲୋକେ ଟ୍ରାଫିକ ନିୟମ ଭାଙ୍ଗୁଥିବାର ଘଟଣା ସାମ୍ନାକୁ ଆସୁଛି । ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା ଦେବାକୁ ପଡିବ ଜାଣି ସୁଦ୍ଧା ଏହି ନିୟମ ଅନେକ ପାଳନ କରନ୍ତି ନାହିଁ । ଟ୍ରାଫିକ ପୋଷ୍ଟରେ ଚେକିଂ ଦେଖିବା ମାତ୍ରେ ଅନେକ ଲୋକଙ୍କ ଛାତିରେ ଛନକା ପଶିଥାଏ । ଯଦି କୌଣସି ଛକରେ ଟ୍ରାଫିକ ପୋଲିସ ଅଟକାନ୍ତି ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ଜଣେ ଗାଡି ଚାଳକ ହିସାବରେ ଯଦି ଆପଣ ଟ୍ରାଫିକ ନିୟମ ଜାଣିଥିବେ ତେବେ ଆପଣଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣ କାଟିବାକୁ ପଡିଥାଏ ଏକଥା ସମସ୍ତେ ଜାଣିଥାନ୍ତି । କିନ୍ତୁ ଚାଲାଣ କାଟିବା ପାଇଁ ମଧ୍ୟ କିଛି ନିୟମ ରହିଛି । ଚାଲାଣ ବହି କିମ୍ବା ଇ-ଚାଲାଣ ମେସିନ ବିନା ଟ୍ରାଫିକ ପୋଲିସ ଚାଲାଣ କାଟିପାରିବେ ନାହିଁ । ଯଦି ବିନା ଚାଲାଣ ବହିରେ କେହି ଜରିମାନା ଆଦାୟ କରୁଥାନ୍ତି ତେବେ ଆଦୌ ଜରିମାନା ଦିଅନ୍ତୁ ନାହିଁ ।ରାସ୍ତାରେ ଯିବା ବେଳେ ଟ୍ରାଫିକ ପୋଲିସ ଯଦି ଚେକିଂ ପାଇଁ ଗାଡି ଅଟକାନ୍ତି ତେବେ ପ୍ରଥମେ ଗାଡି ଅଟକାଇ କାଗଜପତ୍ର ଦେଖାନ୍ତୁ । ମନେରଖନ୍ତୁ ଗାଡି ଚେକିଂ ବେଳେ ପୋଲିସକୁ କେବଳ ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାନ୍ତୁ । ଅନ୍ୟ କୌଣସି କାଗଜପତ୍ର ଦେଖାଇବେ କି ନାହିଁ ତାହା ଆପଣଙ୍କ ଉପରେ ନିର୍ଭର କରେ । ମୋଟରଯାନ ଅଧିନିୟମର ଧାରା ୧୩୦ ଅନୁଯାୟୀ, ସାର୍ବଜନିକ ସ୍ଥାନରେ ପୋଲିସ ପୋଷାକରେ ଥିବା ଅଧିକାରୀ କେବଳ ଗାଡି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସର ଚେକିଂ କରିପାରିବେ ।

ମୋଟରଯାନ ଅଧିନିୟମ ଅନୁଯାୟୀ, ନାଲି ବତି ଜଳିବା ପରେ ରୋଡ ପାର କରିବା, ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କରିବା, ହେଲମେଟ, ଲାଇସେନ୍ସ ବିନା ଯାତ୍ରା କରିବା, ଅତ୍ୟଧିକ ବେଗରେ ଗାଡି ଚଳାଇବା, ଗାଡି ଚଳାଇବା ବେଳେ ଧୁମ୍ରପାନ କରିବା, ବିନା ନମ୍ବରରେ ଗାଡି ଚଳାଇବା,ପଞ୍ଜିକରଣ ହୋଇନଥିବା ଗାଡି ଚଳାଇବା, ବୀମା ଓ ବାୟୁ ପ୍ରଦୂଷଣର ଡକ୍ୟୁମେଣ୍ଟ ନିଥିଲେ ତାହା ଟ୍ରାଫିକ ନିୟମର ଉଲ୍ଲଂଘନ କରିଥାଏ । କେବଳ ଏଥିପାଇଁ ଚାଲାଣ କଟାଯାଇଥାଏ । ପୋଲିସ ଯଦି ବିନା ଚାଲାଣରେ ଟଙ୍କା ମାଗୁଥାନ୍ତି ତେବେ ଆଦୌ ଦିଅନ୍ତୁ ନାହିଁ । ଏପରିକି ପୋଲିସକୁ କିଛି ପଇସା ଲାଞ୍ଚ ଦେଇ ଖସିଯିବାକୁ ଚେଷ୍ଟା କରନ୍ତୁ ନାହିଁ । ସର୍ବଦା ଚାଲାଣ କାଟୁଥିବା ପୋଲିସ ଅଧିକାରୀଙ୍କ ବକଲ ନମ୍ବର ଓ ନାଁ ପଚାରିବାକୁ ଆଦୌ ଭୁଲନ୍ତୁ ନାହିଁ । ଏପରିକି ତାଙ୍କ ଆଇଡି କାର୍ଡ ଦେଖାଇବାକୁ ମଧ୍ୟ କହିପାରିବେ । ଯଦି ପୋଲିସ ଅଧିକାରୀ ଏହି ତଥ୍ୟ ଦେବାକୁ ମନା କରନ୍ତି ତେବେ ନିୟମ ଅନୁଯାୟୀ, ଆପଣ ମଧ୍ୟ ଗାଡି କାଗଜପତ୍ର ଦିଅନ୍ତୁ ନାହିଁ ।

ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ପରମିଟ ବିନା ଯଦି ଗାଡି ଚଳାଉଥାନ୍ତି ତେବେ ନିୟମ ଅନୁଯାୟୀ ପୋଲିସ ଆପଣଙ୍କ ଗାଡିକୁ ଅଟକାଇପାରିବ । ଏହାଛଡା ପଞ୍ଜିକରଣ ବିନା ଚାଲୁଥିବା ଗାଡିକୁ ମଧ୍ୟ ପୋଲିସ ଚେକିଂ ପାଇଁ ଅଟକାଇପାରିବ । ଏହାଛଡା ବିନା ରସିଦରେ ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନେଇ ପାରିବେ ନାହିଁ । ତେବେ ଯଦି ଆପଣ ଲାଲ ବତି ଜଳିବା ପରେ ରାସ୍ତା ପାର କରିବା, ଓଭରଲୋଡିଙ୍ଗ, ମଦ୍ୟପାନ କରି ଗାଡି ଚଳାଇବା କିମ୍ବା ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରି ପାରିବେ । ଟ୍ରାଫିକ ନିୟମ ଅନୁଯାୟୀ, ଯେତେବେଳ ଯାଏଁ ଗାଡି ଚାଳକ ଗାଡିରେ ବସିଛନ୍ତି ସେତେବେଳ ଯାଏଁ ଗାଡିକୁ ଟ୍ରାଫିକ ପୋଲିସ ଜବତ କରି ପାରିବେ ନାହିଁ ।ଯଦି ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ଯଦି ଆପଣଙ୍କୁ ପୋଲିସ ଅଟକ ରଖିଥାଏ ତେବେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ବିଚାରପତିଙ୍କ ଆଗରେ ହାଜର କରାଇବା ଆବଶ୍ୟକ ।

ଏହାଛଡା ଯଦି କୌଣସି କାରଣରୁ ଟ୍ରାଫିକ ପୋଲିସ ଆପଣଙ୍କୁ ହଇରାଣ କରୁଥାନ୍ତି ତେବେ ତାଙ୍କ ନାଁରେ ଥାନରେ ଏଫଆଇର ଫାଇଲ କରି ପାରିବେ । ଏସବୁ ବ୍ୟତୀତ ଯଦି ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ଚାଲାଣ କାଟିଥାନ୍ତି ତେବେ ଏହି ଚାଲାଣ ଉପରେ ଥରେ ନଜର ପକାଇଦିଅନ୍ତୁ । କାରଣ ଟ୍ରାଫିକ ପୋଲିସ ଦ୍ୱାରା କଟାଯାଉଥିବା ଚାଲାଣରେ ନିଦ୍ଦିଷ୍ଟ କିଛି ବିଷୟରେ ଉଲ୍ଲେଖ ରହିବା ଆବଶ୍ୟକ ।

୧- ନ୍ୟାୟଳୟର ନାମ ଓ ଠିକଣା ରହିବା ଆବଶ୍ୟକ ଯେଉଁଠାରେ ଆପଣଙ୍କ କେସ ଲଢାଯିବ

୨- ଟ୍ରାଫିକ ନିୟମ ଉଲ୍ଲଘଂନର ସମ୍ପୂର୍ଣ୍ଣ ବିବରଣୀ ରହିବା ଆବଶ୍ୟକ

୩- ଟ୍ରାଏଲର ତାରିଖ

୪- ଗାଡିର ସମ୍ପୂର୍ଣ୍ଣ ତଥ୍ୟ

୫- ଟ୍ରାଫିକ ନିୟମ ଭାଙ୍ଗିଥିବା ବ୍ୟକ୍ତିର ନାମ ଓ ଠିକଣା

୬- ଚାଲାଣ କାଟିଥିବା ଅଧିକାରୀଙ୍କ ଦସ୍ତଖତ

୭- ସମ୍ପୂର୍ଣ୍ଣ କାଗଜପତ୍ରର ବିବରଣୀ