ନନ୍ଦିଗ୍ରାମରେ ମମତା ଆକ୍ରମଣ ଘଟଣା ନେଇ ଆସିଲା ରିପୋର୍ଟ ।  ବିଶେଷ ପର୍ଯ୍ୟବେକ୍ଷକ ଟିମ କହିଲା, ଦୁର୍ଘଟଣାରୁ ମମତାଙ୍କୁ ଲାଗିଛି ଆଘାତ ।

394

କନକ ବ୍ୟୁରୋ: ନନ୍ଦିଗ୍ରାମରେ କେମିତି ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଏହା ଉପରେ ରହିଛି ସାରା ଦେଶର ନଜର । ଏବେ ଏହାକୁ ନେଇ ଏକ ରିପୋର୍ଟ ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ମମତାଙ୍କ ଉପରେ ଆକ୍ରମଣ ହୋଇନଥିଲା, ସେ ଏକ ଦୁର୍ଘଟଣାରୁ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଏପରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି ଘଟଣାର ଅନୁଧ୍ୟାନ କରିଥିବା ଦୁଇ ଜଣିଆ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଘାତ ସମସ୍ୟାକୁ ନେଇ ବିଶେଷ ପର୍ଯ୍ୟବେକ୍ଷକ ଟିମ୍ , ଶନିବାର ସଂଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ବିଶେଷ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ଅଜୟ ନାୟକ ଏହି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି – ଘଟଣା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡାସୁରକ୍ଷା ମଧ୍ୟରେ ରହିଥିଲେ । କୌଣସି ପ୍ରକାର ଆକ୍ରମଣ ଅଭିଯୋଗକୁ ଏହି ବିଶେଷ ପର୍ଯ୍ୟବେକ୍ଷକ ଟିମ୍ ଖାରଜ କରିଦେଇଛି ।

ସେପଟେ ଆଜି ସଂଧ୍ୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କେମିତି ଆଘାତ ଲାଗିଥିଲା , ସେ ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲାପନ ବନ୍ଦୋପାଧ୍ୟାୟ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଗତକାଲି ସେ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଅସନ୍ତୁଷ୍ଟ ଥିଲେ । ଏହି ରିପୋର୍ଟରେ ପୁରା ଘଟଣା ଥିଲେ ମଧ୍ୟ , ମମତାଙ୍କୁ କିପରି ଆଘାତ ଲାଗିଲା ଓ କାହିଁକି ଏପରି ଘଟଣା ଘଟିଲା ତାହା ଲେଖା ନଥିଲା ।

ପଶ୍ଚିମବଙ୍ଗ ମୁଖ୍ୟ ସଚିବ ତାଙ୍କର ପ୍ରଥମ ରିପୋର୍ଟରେ  ଭିଡର ଚାପ, ଖରାପ ରାସ୍ତା, ରାସ୍ତା କଡରେ ଥିବା ଲୁହା ଖମ୍ୱ, ଗାଡିର କବାଟ ଜୋରରେ ବନ୍ଦ ହେବା, ମମତାଙ୍କ ଗୋଡ ବାହାରକୁ ଥିବା କାରଣରୁ ମମତା ବାନାର୍ଜୀଙ୍କୁ ଆଘାତ ଲାଗିଥିବା ଉଲ୍ଲେଖ କରିଥିବା ସୂଚନା ମିଳିଛି । ଦ୍ୱିତୀୟ ରିପୋର୍ଟରେ କଣ ଉଲ୍ଲେଖ କରିଛନ୍ତି ତାହା ଜଣାପଡିନାହିଁ । ଗତ ୧୦ ତାରିଖରେ ମମତା ନନ୍ଦିଗ୍ରାମରେ ନାମାଙ୍କନ କରି ଫେରିବା ସମୟରେ , ବୁରୁଲିଆ ଗାଁ ନିକଟରେ ତାଙ୍କ ଗୋଡରେ ଜୋରଦାର ଆଘାତ ଲାଗିଥିଲା ।