ଇଂଲିସବାଲିର ଚା’ । ଦେଉଛି ସ୍ୱାଭିମାନ ଓ ଆତ୍ମନିର୍ଭରର ଟେଷ୍ଟ ।

208

କନକ ବ୍ୟୁରୋ: ଶିକ୍ଷାଗତ ଯୋଗ୍ୟତା ଇଂରାଜୀରେ ସ୍ନାତକୋତ୍ତର । ହେଲେ ବୃତ୍ତି ଚା’ ବିକାଳି । ଅପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ , ଏପରି କ’ଣ ହେଲା ଯେ ଏତେ ପାଠ ପଢି ଚା ବିକିଲେ ଯୁବତୀ  । ଏହା ପଛର କାହାଣୀ ଜାଣିଲେ ଯୁବତୀଙ୍କୁ ବାହାବା ନକରି ରହିପାରିବେ ନାହିଁ ।

କୋଲକାତାର ଟୁକଟୁକି ଦାସ । ପିଲାବେଳୁ ବାପା ମା’ ଭାବିଥିଲେ ଝିଅ ତାଙ୍କର ଭଲ ପାଠ ପଢି ସରକାରୀ ଚାକିରିଟିଏ କରିବ । ବାପା, ମା’ଙ୍କ ଏହି ସ୍ୱପ୍ନ ବାଟରେ ଝିଅ ବି ଚାଲିଲା । ଅନେକ କଷ୍ଟରେ ଭଲ ନମ୍ବର ରଖି ଇଂରାଜୀରେ ସ୍ନାତକୋତ୍ତର କଲେ । ଏହାପରେ ଶିକ୍ଷକ ଚାକିରିଟିଏ ପାଇଁ ଅନେକ ଚେଷ୍ଟା କଲେ ଟୁକଟୁକି । ହେଲେ ବିଫଳ ହେଲେ  । ଏହାପରେ ଅନେକ ସରକାରୀ ଚାକିରି ପାଇଁ ଆବଦେନ କଲେ । ହେଲେ ସରକାରୀ ଚାକିରି ତ ଦୂରର କଥା ବେସରକାରୀ ସଂସ୍ଥାରେ ମଧ୍ୟ ଚାକିରିଟିଏ ମିଳିଲାନି । ହେଲେ ଦିନ ମଜୁରିଆ  ଭାବେ କାମ କରୁଥିବାକୁ ଉଭୟ ବାପା, ମା’ଙ୍କ ବୋଝକୁ ହାଲକା କରିବାକୁ ଅଣ୍ଟା ଭିଡିଲେ ଟୁକଟୁକି । ତାଙ୍କର ଏହି ଇଚ୍ଛା ତାଙ୍କୁ ବାଟ କଢେଇଲା । ଥରେ ଏମବିଏ ଛାତ୍ରଙ୍କ ଟି’ ଷ୍ଟଲ ଷ୍ଟୋରୀକୁ ପଢି ନିଜ ମନକୁ ବି ଦୃଢ କଲେ । ଆଉ ହାୱଡା ଷ୍ଟେସନରେ ଏକ ଚା’ ଷ୍ଟଲ କଲେ, ଆଉ ତା ଆଗରେ ଲେଖିଦେଲେ ‘ ଏମଏ ଇଂଲିସ୍ ଚାୟ ବାଲି’ ।

ପ୍ରଥମେ ଏଥିପାଇଁ ଘର ଲୋକ ରାଜି ନଥିଲେ । ସାହିପଡିଶା ବି ଟାହିଟାପରା କରୁଥିଲେ । ହେଲେ ଏସବୁକୁ ଖାତିର ନଥିଲା ଟୁକଟୁକିଙ୍କର । କର୍ମ କଲେ ଲାଜ କ’ଣ କହି ବାପା, ମା’ଙ୍କୁ ବୁଝାଇଥିଲେ ।ଆଉ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ ସମୟକୁ । ତାଙ୍କର ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ନୂଆ ରଙ୍ଗ ଆଣିଲା । ଦୈବାତ୍ ତାଙ୍କର ପ୍ରଥମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କର ଲୋକପ୍ରିୟତା ବଢିବାକୁ ଲାଗିଲା । ଏହାପରେ ସେ ନିଜେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଲେ । ଏବେ ତାଙ୍କର ଅନେକ ପ୍ରଶଂସକ । ଏହାପରେ ବାହାବା କରୁଛନ୍ତି ଆଖପାଖ ଲୋକେ । ଖାଲି ପାଖଲୋକ ନୁହଁନ୍ତି ଖୋଦ୍ ମନ୍ତ୍ରୀ ବି ପ୍ରଶଂସା କରୁଛନ୍ତି । ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ତାଙ୍କ ସହ କଥା ହେବା ସହ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୁତି ଦେଇଛନ୍ତି  ।

ଏହାପରେ ଆସିଥିଲା ଟୁକଟୁକିଙ୍କ ବିବାହ ନେଇ ଆଶଙ୍କା । ଚା ବିକୁଥିବାରୁ ତାଙ୍କୁ କିଏ ବିବାହ କରିବ ବୋଲି ଭାବୁଥିଲେ ତାଙ୍କ ବାପା, ମା’ । ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ବଢିବା ପରେ ତାଙ୍କ ପାଇଁ ଆସୁଛି ମାଳ ମାଳ ପ୍ରସ୍ତାବ । ଯୁବ ଗୋଷ୍ଠୀଙ୍କୁ ବାର୍ତ୍ତା ଦେବାକୁ ଯାଇ ଟୁକଟୁକି କୁହନ୍ତି, ମଣିଷ ଜୀବନରେ ପ୍ରତିକୂଳ ପରିସ୍ଥିତି ଆସିବା ବଡ କଥା ନୁହେଁ  ।ବଡ କଥା ହେଉଛି ତାକୁ ଦୃଢତାର ସହ ସାମନା କରିବା । ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ କରି ଏହା ଉପରେ ବିଜୟ ଲାଭ କରିବା ।