କେଉଁ ଦଣ୍ଡରେ ଦଣ୍ଡିତ ହୋଇଥିଲେ ଗାନ୍ଧିଜୀଙ୍କ ହତ୍ୟାକାରୀ? ନାଥୁରାମଙ୍କୁ ହୋଇଥିଲା ଫାଶୀ, ଜାଣନ୍ତୁ ଅନ୍ୟ ଅଭିଯୁକ୍ତଙ୍କ ସହ କଣ ହୋଇଥିଲା?

657

ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ ନାଥୁରାମ ଗଡସେ ଦେଶଭକ୍ତ ବୟାନକୁ ନେଇ ବିବାଦ ବଢିଚାଲିଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ଏହି ବିବାଦ ଆରମ୍ଭ କରିଛନ୍ତି ସ୍ୱାଧୀ । ଚାରିଆଡୁ ସମାଲୋଚନା ପରେ ଅବଶ୍ୟ ଏହି ବୟାନ ପାଇଁ ସ୍ୱାଧୀ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଗାନ୍ଧିଜୀଙ୍କ ହତ୍ୟାକାଣ୍ଡ ପଛରେ ନାଥୁରାମଙ୍କ ସମେତ ଅନ୍ୟ ୭ ଜଣଙ୍କର ମଧ୍ୟ ସମ୍ପୃକ୍ତି ରହିଥିଲା । ନାଥୁରାମ ଗଡସେଙ୍କୁ ଫାଶି ହୋଇଥିବା କଥା ସମସ୍ତେ ଜାଣିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ କି ଦଣ୍ଡ ମିଳିଲା ତାହା ହୁଏତ ବହୁତ କମ ଲୋକ ଜାଣିଥିବେ ।

ନାଥୁରାମଙ୍କ ବ୍ୟତୀତ ଶଙ୍କର କିସ୍ତିୟା, ଗୋପାଳ ଗଡସେ, ମଦନଲାଲ ପାହବା, ଦିଗମ୍ବର ବଡଗେ, ନାରାୟଣ ଆପ୍ଟେ, ବୀର ସାବରକର, ବିଷ୍ଣୁ ରାମକୃଷ୍ଣଙ୍କୁ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଥିଲା । ତେବେ ଦିଗମ୍ବର ବଡଗେ ସରକାରୀ ସାକ୍ଷୀ ହେବାରୁ ତାଙ୍କୁ ଛଡାଯାଇଥିଲା । ସେହିଭଳି ସାବରକରଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଶଙ୍କର କିସ୍ତେୟାଙ୍କୁ ନିମ୍ନ ଅଦାଲତରେ ଆଜୀବନ କାରାଦଣ୍ଡ ମିଳିଥିବା ବେଳେ ଉଚ୍ଚ ଅଦାଲତରେ ଏହି ରାୟକୁ ଚ୍ୟାଲେଞ୍ଜ କରି ଦଣ୍ଡରୁ ମୁକ୍ତ ହୋଇଥିଲେ । ଅନ୍ୟ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଗୋପାଳ ଗଡସେ, ମଦନଲାଲ ପାହବା ଓ ବିଷ୍ଣୁ ରାମକୃଷ୍ଣଙ୍କୁ ଆଜୀବନ ଜେଲ ହୋଇଥିବା ବେଳେ ନାଥୁରାମ ଗଡସେ ଓ ନାରାୟଣ ଆପ୍ଟେଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

୩୦ ଜାନୁଆରୀ ୧୯୪୮ । ସନ୍ଧ୍ୟା ୫ଟା ସମୟ । ବିର୍ଲା ଭବନରେ ପ୍ରାର୍ଥନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । କିନ୍ତୁ ଗାନ୍ଧିଜୀ ସର୍ଦ୍ଦାର ପଟେଲଙ୍କ ସହ ଏକ ଆଲୋଚନାରେ ବ୍ୟସ୍ତ ରହିଥିଲେ । କିନ୍ତୁ ପ୍ରାର୍ଥନା ପାଇଁ ବିଳମ୍ବ ହେଉଥିବା ଜାଣିବା ପରେ ଆଲୋଚନାରୁ ଉଠି ସିଧାସଳଖ ମଞ୍ଚ ଆଡକୁ ଯାଇଥିଲେ ଗାନ୍ଧିଜୀ । ସାଙ୍ଗରେ ଥିଲେ ଆଭା ଓ ମନୁ । ଗାନ୍ଧିଜୀ ମଞ୍ଚ ଆଡକୁ ଯାଉଥିବା ବେଳେ ସାମ୍ନାକୁ ଆସିଥିଲେ ନାଥୁରାମ ଗଡସେ । ଗାନ୍ଧିଜୀଙ୍କ ପାଦ ଛୁଇଁ ନମସ୍କାର କରିଥିଲେ ନାଥୁରାମ । ତେବେ ସାଙ୍ଗରେ ଥିବା ମନୁ ନାଥୁରାମଙ୍କୁ ଆଡେଇ ଦେଇ ଗାନ୍ଧିଜୀଙ୍କୁ ବାଟ କଢେଇ ନେଉଥିଲେ । ଆଉ ଏହି ସମୟରେ ମନୁଙ୍କୁ ଧକ୍କା ମାରିବା ସହ ଗାନ୍ଧିଙ୍କ ଛାତିକୁ ଲଗାତାର ୩ଟି ଗୁଳି ମାରିଥିଲେ ନାଥୁରାମ । ୨ଟି ଗୁଳି ଗାନ୍ଧିଜୀଙ୍କ ଶରୀର ଆର ପାର କରିଥିବା ବେଳେ ଗୋଟିଏ ଗୁଳି ବାପୁଙ୍କ ଶରୀରରେ ରହିଥିଲା । ଆଉ ସେହିଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବାପୁ ।