ଅନ୍ୟପାଇଁ ବଞ୍ଚୁଥିବା ମଣିଷଟିଏ ! ‘ବିକ୍ରମ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା, ନିଜ ରୋଜଗାର ଟଙ୍କାରେ ଅନ୍ୟମାନଙ୍କୁ ସାହାଯ୍ୟ କରି ପାଆନ୍ତି ଆତ୍ମସନ୍ତୋଷ ।

258

କନକ ବ୍ୟୁରୋ : ମାତ୍ର ୩୦ ବର୍ଷ ବୟସରେ ସେ ସମାଜସେବାକୁ ନିଜର ବ୍ରତ ଭାବେ ଧରିନେଇଛନ୍ତି । ପେଶା ବ୍ୟବସାୟ ହେଲେ ନିଶା ହେଉଛି ସମାଜସେବା । ଉଚ୍ଚ ବେତନଯୁକ୍ତ ଚାକିରୀ ଛାଡ଼ି ସମାଜରେ ଅବହେଳିତ ହୋଇ ରହିଥିବା ଦୁଖୀରଙ୍କିକୁ ସେବା କରିବା ପାଇଁ ଆଗେଇଆସିଛନ୍ତି ପୁରୀ ଜିଲ୍ଲା ନିମାପଡା ଅଂଚଳର ବିକ୍ରମ କେଶରୀ ସାମଲ । ବିନା ସହାୟତାରେ ନିଜସ୍ୱ ଅର୍ଥରେ ଟ୍ରଷ୍ଟ ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଆଦି କରିବା କ୍ଷେତ୍ରରେ ଗୁରୁତ୍ୱ ଦେଇଥାନ୍ତି । ସେଥିପାଇଁ ବହୁସ୍ଥାନରେ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ଅନ୍ୟପାଇଁ ବଞ୍ଚୁଥିବା ମଣିଷଟିଏ । ‘ବିକ୍ରମ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା । ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ବାଛିନେଇଥିବାରୁ ରାତିପାହିଲେ ଅନେକ ଗରିବ ଅସହାୟମାନେ ପହଞ୍ଚିଯାଆନ୍ତି ବିକ୍ରମଙ୍କ ଘରେ । ଖବରପାଇବା ମାତ୍ରକେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ବିକ୍ରମ । ଏମିତି ଜଣେ ସମାଜସେବୀ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ଅଂଚଳର ବିକ୍ରମ କେଶରୀ ସାମଲ । ଯିଏ ନିଜ ବ୍ୟବସାୟରୁ ଆୟ କରିଥିବା ଅର୍ଥରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇଥାଆନ୍ତି ।

ଉଚ୍ଚ ଶିକ୍ଷିତ ଇଂଜିନିୟରିଂ ଅଧ୍ୟାପକ ଚାକିରି ଛାଡି ବିକ୍ରମ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ନିଜର ଏକ ଗାର୍ମେଣ୍ଟଦୋକାନ ଖୋଲି ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାଇବା ସହ ସମାଜସେବା କରନ୍ତି ବିକ୍ରମ । ରିମେଡ଼ିଆଲ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ନିଜ ବ୍ୟବସାୟରୁ ଯାହା ଆୟ କରନ୍ତି ସେଥିରୁ ଅଧିକାଂଶ ଅର୍ଥ ଜନସେବାରେ ଖର୍ଚ୍ଚ କରିଥାନ୍ତି ।

ଏହି ଟ୍ରଷ୍ଟ ଜରିଆରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ଗରିବ ପିଲାଙ୍କୁ ପାଠପଢ଼ାଇବା, ଅସହାୟ ପେଟକୁ ଦାନା ଗଣ୍ଡିଏ ଯୋଗାଇଦେବା ଏବଂ ଦୁସାଧ୍ୟରୋଗରେ ପୀଡ଼ିତ ରୋଗୀମାନଙ୍କୁ ଆର୍ଥିକ ସହାୟତା କରିବା ବିକ୍ରମଙ୍କ ମୁଖ୍ୟ କାମ । ନିଜର ମହାନତା ପାଇଁ ଆଜିର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିକ୍ରମ । ଆଉ ସମାଜରେ ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ ।