ଦୁର୍ଘଟଣା କରିଦେଲା ବଡଦାଣ୍ଡର ଭିକାରି । ଗୋଡ ଭାଙ୍ଗିଯିବା ପରେ ପୁଅର ପାଠପଢା ପାଇଁ ଭିକ ମାଗୁଛନ୍ତି, ସ୍ୱାଭିମାନର ସହ ବଞ୍ଚିବାକୁ ପ୍ରୟାସ ବି ଚଳାଇଛନ୍ତି ।

505

କନକ ବ୍ୟୁରୋ : ଭିକ୍ଷାବୃତିକୁ କେହି ଆପଣାଛାଏଁ ବାଛି ନାହାନ୍ତି । ପରିସ୍ଥିତି ଏମାନଙ୍କୁ ବାଧ୍ୟ କରିଛି । ସୁରଟରେ ସୂତା ମିଲରେ କାମ କରୁଥିବାବେଳେ ପୁଅକୁ ବଡ ମଣିଷ କରିବାକୁ ସ୍ୱପ୍ନ ଦେଖିଥିଲେ ରାଜେନ୍ଦ୍ର ଡାକୁଆ । ଗୋଡ ଭାଙ୍ଗିଯିବା ପରେ ଭିକ ମାରୁଛନ୍ତି ସିନା, ପୁଅକୁ ବଡ କରିବାର ସ୍ୱପ୍ନ ଛାଡି ନାହାନ୍ତି । ପଇସା ଯୋଗାଡ କରୁଛନ୍ତି, ଗାଁରେ ଦୋକାନ ଟିଏ କରିବେ । ଆଉ ଭିକ୍ଷାବୃତି ଛାଡି ସମ୍ମାନର ସହ ବଂଚିବେ ।

ପୁରୀ ବଡଦାଣ୍ଡରେ ଭିକାରିଙ୍କ କାହାଣୀକୁ ଅନୁଧ୍ୟାନ କଲାବେଳେ ଆମ ନଜର ପଡିଥିଲା ଜଣେ ଯୁବକଙ୍କ ଉପରେ । ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇବା ପରେ ସାହାରା ପାଲଟିଛି ଏହି ହ୍ୱିଲ ଚେୟାର । ତିନି ଚକିଆରେ ପୁରୀ ବଡଦାଣ୍ଡସାରା ବୁଲି ବୁଲି ଭିକ ମାଗୁଥିବା ଏହି ଯୁବକଙ୍କ ଆଖିରେ ଆଖିଏ ସ୍ୱପ୍ନ । ପରିସ୍ଥିତିରେ ପଡି ଭିକ୍ଷାବୃତି କରୁଛନ୍ତି ସିନା, ତାରି ଭିତରେ ସ୍ୱାଭିମାନର ସହ ବଂଚିବା ପାଇଁ ପ୍ରୟାସ ବି ଚଳାଇଛନ୍ତି । କିଛି ପଇସା ସଂଚୟ କରି ଗାଁରେ ଗୋଟିଏ ଦୋକାନ କରିବାକୁ ଆଶା ରଖିଛନ୍ତି ଏହି ଯୁବକ ରାଜେନ୍ଦ୍ର ଡାକୁଆ ।

ପରିସ୍ଥିତିରେ ପଡି ପୁରୀ ଚାଲି ଆସିଛନ୍ତି ରାଜେନ୍ଦ୍ର । ଘର ତାଙ୍କର ଗଞ୍ଜାମ ଜିଲ୍ଲା ଆସିକା । ସ୍ତ୍ରୀ ଓ ଛୋଟିଆ ପୁଅଟିଏ ଅଛନ୍ତି । ପୂର୍ବରୁ ସୁରଟରେ ଏକ ସୂତା ମିଲରେ କାମ କରି ପରିବାର ଚଳାଉଥିଲେ । କିନ୍ତୁ ଗାଡି ଦୂର୍ଘଟଣାରେ ଗୋଡ ହରାଇବା ପରେ, ବଦଳି ଯାଇଛି ତାଙ୍କ ଜୀବନର ଗତିପଥ । ଗାଁରେ ଘରଟିଏ କରିଥିବାବେଳେ ମୁଣ୍ଡ ଉପରେ ରୁଣ ବୋଝ । ଭାଇ ମାନେ ଅଲଗା କରିଦେବାରୁ ପରିବାର ଚଳାଇବା ପାଇଁ ପୁରୀକୁ ଚାଲିଆସିଛନ୍ତି । ଭିକ ମାଗି ଯାହା ରୋଜଗାର କରନ୍ତି ଘରକୁ ପଠାଇ ଦିଅନ୍ତି ।

ଦୂର୍ଘଟଣା ତାଙ୍କ ଗତିରୋଧ କରିଛି ସତ ହେଲେ ପୁଅ ପାଇଁ ଦେଖିଥିବା ସ୍ୱପ୍ନକୁ ଭାଙ୍ଗିଦେଇ ପାରିନାହିଁ । ସବୁ ପ୍ରତିବନ୍ଧକକୁ ପାର କରି ପୁଅକୁ ପାଠ ପଢାଇ ମଣିଷ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ପ୍ରତିଦିନ । ପୁରୀ ବଡଦାଣ୍ଡରେ ଯେତେଜଣଙ୍କୁ ଭେଟିଲୁ, ଜାଣିପାରିଲୁ ଭିକ୍ଷାବୃତିକୁ କେହି ଆପଣାଛାଏଁ ବାଛି ନାହାନ୍ତି । ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଛି । ଗଞ୍ଜାମରୁ ଛତିଶଗଡ, କାହିଁ କେତେଆଡୁ ଶ୍ରୀକ୍ଷେତ୍ରକୁ ଚାଲିଆସିଛନ୍ତି ଭିକାରି । ପୁଅକୁ ପାଠ ପଢାଇବାର ସ୍ୱପ୍ନ ନେଇ ବଡଦାଣ୍ଡରେ ପଡି ରହିଛନ୍ତି ।