ପରିବାର ପାଇଁ ଯିଏ ପରିବା ବେପାରୀ, ପ୍ରକୃତରେ ସିଏ ବଡଦାଣ୍ଡର ଭିକାରି । ଦୁର୍ଘଟଣାରେ ଗୋଡ ଭାଙ୍ଗିଯିବା ପରେ ଅନ୍ୟର ହାତଟେକାକୁ ଅନାଇ ରହିଛନ୍ତି ଦେବରାଜ ।

383

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ଯିଏ ଭିକାରି, ପରିବାର ପାଇଁ ସେ ପରିବା ବେପାରୀ । ଭିକାରିଙ୍କ କାହାଣୀ ଖୋଜିଲାବେଳେ ଏମିତି ରୋଚକ ତଥ୍ୟ ବି ସାମ୍ନାକୁ ଆସିଛି । ଅନ୍ୟର ହାତଟେକାକୁ ଅନାଇ ରହିଥିବା ଦେବରାଜ ପ୍ରଧାନ, ଏବେ ବି ପରିବାର ଆଗରେ ନିଜ କାମକୁ ଗୋପନ ରଖିଛନ୍ତି । ପୂର୍ବରୁ ଢେଙ୍କାନାଳରେ ପରିବା ବ୍ୟବସାୟ କରୁଥିଲେ । ଦୁର୍ଘଟଣାରେ ଗୋଡ ଭାଙ୍ଗିଯିବା ପରେ ଆଉ ବ୍ୟବସାୟ ସମ୍ଭବ ହେଲାନି । ଭିକ୍ଷାବୃତି କରି ପରିବାର ଚଳାଉଛନ୍ତି । ହେଲେ ଟଙ୍କା କେଉଁଠୁ ଆସୁଛି ନା ପରିବାର କେବେ ପଚାରିଛି, ନା ସେ କେବେ ସତକଥା କହିଛନ୍ତି ।

ପରିବାର ପାଇଁ ଯିଏ ପରିବା ବେପାରୀ, ପ୍ରକୃତରେ ସିଏ ବଡଦାଣ୍ଡର ଭିକାରି । ପୁରୀ ବଡଦାଣ୍ଡରେ ବର୍ଷବର୍ଷ ଧରି ଭିକ୍ଷାବୃତି କରିଆସୁଛନ୍ତି ଦେବରାଜ ପ୍ରଧାନ । ମୁଣ୍ଡରେ ପାନିଆ ବାଜୁନି । ଯତ୍ନ ଅଭାବରୁ ମୁହଁରେ ବଢି ଚାଲିଛି ଦାଢି, ନିଶ । ଦେହରେ ଛିଣ୍ଡା ପୋଷାକ ପିନ୍ଧି ପାଗଳ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି ଏମିତି ଦିନତମାମ ବଦଡାଣ୍ଡରେ ବସି ରହିଥାନ୍ତି । କାଳିଆ ଠାକୁରଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ତାଙ୍କ ଭିକ୍ଷାଥାଳରେ ଦେଇଯାଉଥିବା ଦାନକୁ ଆଦରରେ ଗ୍ରଣହ କରନ୍ତି । ସେହିଥିରେ ଚଳନ୍ତି ଆଉ ପରିବାରକୁ ପଇସା ବି ପଠାନ୍ତି । ଦୁର୍ଘଟଣାରେ ଗୋଡ ଭାଙ୍ଗିଯିବା ପରେ ଏମିତି ଅନ୍ୟତ ହାତଟେକାକୁ ଅନାଇ ରହିଛନ୍ତି ଦେବରାଜ । ହେଲେ ତାଙ୍କ ଅତୀତ କାହାଣୀ ଆପଣଙ୍କୁ ଚକିତ କରିଦେବ ।

ଢେଙ୍କାନାଳ ଗଁଦିଆରେ ପରିବା ବେପାର କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ଦେବରାଜ । ହେଲେ ପରିସ୍ଥିତିରେ ପଡି ପୁରୀ ଚାଲିଆସିବା ସହ ଏହିଠାରେ ରହିଗଲେ । ନିଜ ପରିବା ବେପାର ଅନୁଭୂତିକୁ ପୁରୀରେ ପ୍ରୟୋଗ କରି ଫେଲ ମାରିଲେ । ପୋଲିସ ବାଲା ତାଙ୍କଠାରୁ ପରିବା ଛଡାଇ ନେଉଥିବା ଅଭିଯୋଗ ବି କରିଛନ୍ତି ଦେବରାଜ ।

ଦୁର୍ଘଟଣାରେ ଗୋଡ ଭାଙ୍ଗିଯିବା ପରେ ପରିବା ବ୍ୟବସାୟ କରିବା ଆଉ ସମ୍ଭବ ହେଲାନାହିଁ । ଶେଷରେ ଏହି ଭିକ୍ଷାବୃତିକୁ ବାଛି ନେଇଛନ୍ତି । କିଏ ପଇସା, କିଏ ଚାଉଳ ତ ଆଉକେହି ଟାୱେଲ ଓ କମ୍ବଳ ବି ଦେଇଯାଆନ୍ତି । ବ୍ୟବହାର ପାଇଁ ରଖିବା ପରେ ବଳକା ଜିନିଷକୁ ବିକି ଦିଅନ୍ତି ଦେବରାଜ ।

ସବୁଠାରୁ ବଡକଥା ହେଉଛି ଆଜିଯାଏ ପରିବାର ଆଗରେ ନିଜର ପରିଚୟକୁ ଗୋପନ ରଖିଛନ୍ତି ଦେବରାଜ । ଅର୍ଥାତ ଘର ଲୋକଙ୍କ ଧାରଣା ଏବେ ବି ପୁରୀରେ ପରିବା ବେପାର କରୁଛନ୍ତି ସେ । କାରଣ ଭିକ୍ଷାବୃତିରୁ ଯାହା ମିଳେ ତାକୁ ସାଇତି ରଖିବା ସହ ମଝିରେ ମଝିରେ ଘରକୁ ଯାଇ ଦେଇଆସନ୍ତି ଦେବରାଜ ।

ପୁରୀରେ ଏକ ଗଣ୍ଡଗୋଳରୁ ସାମ୍ନାକୁ ଆସିଥିଲା ଜଣେ ଇଂଜିନିୟର ଭିକାରିଙ୍କ ପରିଚୟ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଯେତିକି ବଢିଲା, ବଡଦାଣ୍ଡର ଭିକାରିଙ୍କୁ ନେଇ ଆମର ଉତ୍ସୁକତା ସେତିକି ବଢିଥିଲା । ତେଣୁ ଏମାନଙ୍କ କାହାଣୀ ଜାଣିବାକୁ ଆମେ ପ୍ରୟାସ କରିଥିଲୁ । ଆଉ ଯାହା ସାଙ୍ଗରେ ଭେଟିଲୁ ତାଙ୍କ ପାଖରେ ଆମକୁ ଶୁଣାଇବା ପାଇଁ ରହିଥିଲା ଭିନ୍ନ ଏକ କାହାଣୀ ।