କନକ ବ୍ୟୁରୋ : ଉଉଣୀ, କେବଳ ଏକ ସମ୍ପର୍କର ନାଁ ନୁହେଁ । ଇଏ ଏକ ଦାୟୀତ୍ୱ । ଏହି ଦାୟୀତ୍ୱରେ ମଣିଷକୁ ଭିନ୍ନ ଭିନ୍ନ ଭୂମିକା ତୁଲାଇବାକୁ ପଡ଼େ । କେତେବେଳେ ମା’ ଭଳି ଭଉଣୀଙ୍କୁ ମମତା ବାଣ୍ଟିବାକୁ ପଡ଼େ, ତ’ ଆଉ କେତେବେଳେ ଶିକ୍ଷକ ଭଳି ହାତଧରି ବାଟ ଚାଲିବାକୁ ପଡ଼େ । କଳାହାଣ୍ଡି ଜିଲ୍ଲାରୁ ଆସିଥିବା ଏହି ସବୁ ଚିତ୍ର ଠିକ୍ ସେଇଆ ହିଁ ବୟାନ କରୁଛି । ନିଜେ ଉପାସ ରହି ଭାଇଙ୍କ ମୁହଁରେ ଦାନା ଦେଉଛନ୍ତି ଭଉଣୀ । ଦିବ୍ୟାଙ୍ଗ ଭାଇଙ୍କୁ ଦମ୍ଭ ଦେଉଛି, ନିଜ ପିଲା ଭଳି ଲାଳନପାଳନ କରୁଛନ୍ତି । କଲମପୁର ବ୍ଲକ ଦୁଲୁକିବନ୍ଧ ଗାଁର କୈଳାଶ ମାଝୀଙ୍କ ଝିଅ ମନିଷା । ଭାଇଙ୍କ ଶୁଭ ମନାସି ରାକ୍ଷୀ ବାନ୍ଧିଛନ୍ତି, ହେଲେ ଏଠି ଭାଇ ଭଉଣୀକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇ ନାହାନ୍ତି, ବରଂ ଦିବ୍ୟାଙ୍ଗ ଦୁଇ ଭାଇଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ଭଉଣୀ ମନୀଷା ।

Advertisment

କଳାହାଣ୍ଡୀର ମନୀଷାଙ୍କ କାହାଣୀଠାରୁ ବାଲେଶ୍ୱରର ଜୟସ୍ମିତାଙ୍କ କାହାଣୀ ହୁଏତ ଭିନ୍ନ । କିନ୍ତୁ ଭାଇଙ୍କ ପ୍ରତି ଥିବା ସେବା ଓ ଉତ୍ସର୍ଗ ସମାନ । ବିଛଣାରେ ଶଯ୍ୟାସାୟୀ ଭାଇ । ଆଉ ଭାଇ ପାଇଁ ଜୀବନ ଉତ୍ସର୍ଗ କରିଛି ଭଉଣୀ    । ଏ କାହାଣୀ ହେଉଛି ବାଲେଶ୍ୱର ଜିଲ୍ଲା ଦାମୋଦରପୁରରେ ରହୁଥିବା ସରୋଜ ଓ ଜୟସ୍ମିତାଙ୍କ । ୩୦ ବର୍ଷରୁ ଅଧିକ ହେବ ବିଛଣାରେ ଶଯ୍ୟାସାୟୀ ହୋଇ ପଡି ରହିଛନ୍ତି ସରୋଜ । ଆଉ ଭାଇର ସେବା କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଦେଇଛନ୍ତି ସାନ ଭଉଣୀ ଜୟସ୍ମିତା । ୨ ଭଉଣୀରେ ଗୋଟିଏ ଭାଇ ସରୋଜ । ସରୋଜ ଛୋଟ ଥିବା ବେଳେ ଅଂଟାରେ ସମସ୍ୟା ହୋଇଥିଲା । ହେଲେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରିଲାନି । ଆଉ ସବୁ ଦିନ ପାଇଁ ଶର୍ଯ୍ୟାସାୟୀ ହୋଇଗଲେ ଭାଇ । ଏବେ ଭାଇଙ୍କୁ ୫୮ ବର୍ଷ ହେଲାଣୀ । ହେଲେ ରକ୍ଷା କବଚ ହୋଇ ରହିଛନ୍ତି ସାନ ଭଉଣୀ ଜୟସ୍ମିତା ।

ଭଉଣୀ ପାଇଁ ଭାଇ ରକ୍ଷା କବଚ ସାଜିବାର ଅନେକ ଉଦାହରଣ ଆମ ସମାଜରେ ଦେଖିବାକୁ ମିଳେ ହେଲେ ଭଉଣୀ, ଭାଇର ଏଠି ସାଜିଛି ରକ୍ଷା କବଚ । କଳାହାଣ୍ଡିର ମନୀଷା ଓ ବାଲେଶ୍ୱରର ଜୟସ୍ମିତାଙ୍କ କାହାଣୀରେ ରହିଛି ନିଃସ୍ୱାର୍ଥପର ସେବା, ସ୍ନେହ ଓ ତ୍ୟାଗ ।