‘ପୁଅରେ ଟିକେ ମହାଦେବଙ୍କ ମନ୍ଦିରକୁ ମତେ ନେଇଯାଆନ୍ତୁନି’ । ‘ଆ ବୋଉ ତତେ ବୁଲେଇନେବି’ । ବୁଢୀ ମା’କୁ କାନ୍ଧରେ ବସାଇ ଶିବଙ୍କ ଦର୍ଶନ କରାଇଲା ସୁନା ପୁଅ ।
କନକ ବ୍ୟୁରୋ : ନିତି ପାହାନ୍ତିରେ ବୋଉ ଗୁଣୁଗୁଣୁ ହୋଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଗାଏ, ଠାକୁର ଆସ୍ଥାନ ପାଖକୁ ନ ଯାଇପାରିଲେ ବି ହାତ ଯୋଡି ମୁଣ୍ଡିଆଟିଏ ମାରିଦିଏ । ମହାଦେବଙ୍କ ପ୍ରତି ନିଜ ୮୫ ବର୍ଷୀୟ ମା’ର ଏହି ଭକ୍ତି ଦେଖି ପୁଅ ନିର ଜେନା କିଛି କୁହନ୍ତିନି ସତ କିନ୍ତୁ ମା’ର ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ମହାଦେବଙ୍କ କରୁଣା ତାଙ୍କୁ ବି ଈଶ୍ୱରବିଶ୍ୱାସୀ ସହ ମାତୃ ଭକ୍ତଟିଏ କରିଦେଇଛି । ସେଥିପାଇଁ ତ ମହା ଶିବରାତ୍ରିରେ ଆଜି ବୋଉକୁ ନିଜ କାନ୍ଧରେ ବସାଇ ମହାଦେବଙ୍କ ମନ୍ଦିର ବୁଲାଇଛନ୍ତି ପୁଅ ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡସ୍ଥିତ ବାବା ଲଙ୍କେଶ୍ବର ପୀଠରେ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ମାର ମହାଦେବଙ୍କ ପ୍ରତି ଥିବା ଅଖଣ୍ଡ ବିଶ୍ୱାସକୁ କାୟମ ରଖିବା ପାଇଁ ପୁଅ ହେଳା କରିନାହିଁ । ରୋଗ ପାଇଁ ଶିବ ମନ୍ଦିର ଚାଲିଯାଇପାରୁନଥିବା ନିଜ ବୁଢ଼ୀ ମା’ର ଆଗ୍ରହକୁ ଅଣଦେଖା କରିନାହିଁ ପୁଅ । ମା’ର ଇଚ୍ଛାକୁ ବେଖାତିର ନ କରି ନିଜ କାନ୍ଧରେ ମା’କୁ ବସାଇ ମନ୍ଦିରକୁ ନେଇଯାଇଥିଲେ ନିର । ମନ୍ଦିରର ପାହାଚ ପରେ ପାହାଚକୁ ଅତିକ୍ରମ କରି ମହାଦେବଙ୍କ ଦର୍ଶନ କରାଇଥିଲେ ପୁଅ । ମା’ର ଆଶୀର୍ବାଦ ଯେତେବେଳେ ସାଥିରେ ଥିଲା ସେତେବେଳେ ବାଧା ହୋଇନି, ବରଂ ପ୍ରଚୁର ଆତ୍ମସନ୍ତୋଷ ମିଳିଛି ।