କନକ ବ୍ୟୁରୋ : ଦିନେ ସାହାରା ଖୋଜୁଥିଲେ ଆଜି ସେ ଅନ୍ୟଙ୍କୁ ସାହାରା ଦେଉଛନ୍ତି । ନିଜ ଉଦ୍ୟମରେ ପରିବାରର ଭବିଷ୍ୟତ ଗଢ଼ିବା ସାଙ୍ଗକୁ ନିଜ ପାଇଁ ଖୋଜିଛନ୍ତି ଜୀବନ ଜିଇଁବାର ବାଟ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ସହରର ଜୟନଗରରେ । ଦିବ୍ୟାଙ୍ଗ ହୋଇ ବି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମନୋଜ ।
ବାପା ଓ ବଡ ଭାଇ ଆରପାରିରେ । ଆଉ ଏବେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ ବିଧବା ମାଆ, ଭାଉଜ ଓ ପୁତୁରା ଝିଆରୀଙ୍କ ଭରଣପୋଷଣ ଦାୟିତ୍ୱ । ନା ଠିକରେ ଠିଆ ହୋଇ ପାରୁଛନ୍ତି, ନା ଚାଲି ପାରୁଛନ୍ତି । କିନ୍ତୁ ସେ ଅନ୍ୟମାନଙ୍କୁ ସାହାରା ଦେଉଛନ୍ତି । ସାହାରା ଖୋଜୁଥିବା ଜୟପୁର ଜୟନଗରର ମନୋଜ ପାଣିଗ୍ରାହୀ ନିଜ ଉଦ୍ୟମରେ ଏକ କମ୍ପ୍ୟୁଟର ଦୋକାନ କରିଛନ୍ତି । ଯୁକ୍ତ ୨ ପାଠ ପଢ଼ିବା ବେଳେ କମ୍ପ୍ୟୁଟର ଶିଖିଥିଲେ ମନୋଜ, ଯାହା ଆଜି ତାଙ୍କୁ ବଂଚିବାର ନୂଆ ରାହା ଦେଇଛି । ଡ଼ାଟା ଏଂଟ୍ରି କାମ କରିବା ସହ ଜେରକ୍ସ କରି ଭଲ-ଦୁଇ ପଇସା ରୋଜଗାର କରୁଛନ୍ତି । ଆଉ ୬ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷୁଛନ୍ତି ମନୋଜ ।
ପୁଅର କଷ୍ଟକୁ ମାଆ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀଙ୍କ ଆଖିରୁ ଲୁହ ସୁଖୁନି । ହସ ଖୁସିରେ ଭରି ରହିଥିଲା ପରିବାର, ସମୟର କାଳଚକ୍ରରେ ସ୍ୱାମୀ ଚାଲିଗଲେ, ବଡ଼ ପୁଅ ବି ପର କରି ଆଖିବୁଝି ଦେଲେ । ଆଉ ଏବେ ପରିବାରରେ ସମସ୍ତଙ୍କ ଅଭାବ ମେଣ୍ଟାଉଛି ଦିବ୍ୟାଙ୍ଗ ପୁଅ । ମାଆ, ମନୋଜଙ୍କ ଦୋକାନ ଖୋଲିବା ସହ ଦୋକାନରେ ମନୋଜଙ୍କୁ ସହଯୋଗ କରିଥାନ୍ତି । ଆଉ ସନ୍ଧ୍ୟାରେ ଘରକୁ ଫେରିଲେ ମନୋଜଙ୍କୁ ଅପେକ୍ଷା କରିଥାନ୍ତି ଭାଉଜ ଓ ଝିଆରି ପୁତୁରା ।
ତେବେ ଦୃଢ ଇଚ୍ଛା ଶକ୍ତି ପାଇଁ ଦିବ୍ୟାଙ୍ଗ ହୋଇ ବି ନିଜ ମୁଣ୍ଡରେ ଏତେ ବଡ ବୋଝ ବୋହିଛନ୍ତି ମନୋଜ । ଆଉ ତାଙ୍କୁ ସରକାରୀ ସହାୟତା ମିଳିପାରିଲେ ସେ ଅଧିକ ସ୍ୱାବଲମ୍ବୀ ହେବା ସହ ଭଲ ଭାବେ ପରିବାର ପ୍ରତିପୋଷଣ କରିପାରିବେ ।