କନକ ବ୍ୟୁରୋ : ଆନ୍ଧ୍ରକୁ ଚାଲାଣ ହେଉଛି ଓଡ଼ିଶା ଧାନ । ଦଲାଲ ସାହାଯ୍ୟରେ ଇଡଲି ଓ ଚକୁଳି ପାଇଁ ଉତ୍କୃଷ୍ଟ ଆକାଶ ଗଙ୍ଗା ଧାନ ଓଡ଼ିଶାରୁ ନେଉଛି ଆନ୍ଧ୍ର । କ୍ୱିଣ୍ଟାଲ ପିଛା ୧୯ରୁ ୨୧ଶହ ଟଙ୍କାରେ ବିକ୍ରି କରୁଛନ୍ତି ବରଗଡ଼ ଜିଲ୍ଲାର ଚାଷୀ । ଦଲାଲ ମଧ୍ୟ ତୁରନ୍ତ ଚାଷୀଙ୍କୁ ନଗଦ ଟଙ୍କା ଧରାଇ ଦେଉଛନ୍ତି । ଏହା ଦ୍ୱାରା ଚାଷୀଙ୍କୁ ଆଉ ବସ୍ତା, ଲୋଡିଂ ଏବଂ ପରିବହନ ଝାମଲାରେ ପଡିବାକୁ ପଡ଼ୁନାହିଁ । ଯାହା ପାଇଁ ଚାଷୀ ଆନ୍ଧ୍ର ଦଲାଲଙ୍କୁ ପ୍ରଚୁର ମାତ୍ରାରେ ଧାନ ଦେଉଛନ୍ତି ଓଡ଼ିଶା ଚାଷୀ ।
କଟନି ଛଟନିର ଶିକାର ହୋଇ ଚାଷୀ ୧୨୦୦ରୁ ୧୪୦୦ ଟଙ୍କାରେ ସ୍ଥାନୀୟ ମିଲର୍ସ ଧାନ ଦେବାକୁ ବାଧ୍ୟ ହେଉଥିଲେ । ଏସବୁ ଶୋଷଣରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି ଜିଲ୍ଲାର ଚାଷୀ । ଏହି ଘଟଣାରୁ ଜଣାପଡ଼ୁଛି ରାଜ୍ୟରେ ସରକାରଙ୍କ ଧାନ କ୍ରୟନୀତି ଫେଲ ମାରିଛି । ରବି ଧାନ ସଂଗ୍ରହ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୨ ସପ୍ତାହ ପରେ ଧାନ କିଣା ବନ୍ଦ ହେବ । ବରଗଡ଼ ଜିଲ୍ଲାର ୭୭ ହଜାର ଚାଷୀ ରବି ଧାନ ବିକିବା ପାଇଁ ପଞ୍ଜିକୃତ ହୋଇଥିଲେ । କିନ୍ତୁ ସରକାରୀ ତଥ୍ୟ ଅନୁସାରେ ୬୭ ହଜାର ଚାଷୀଙ୍କ ୪୭ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି ।
ଅର୍ଥାତ ୧୦ ହଜାର ଚାଷୀଙ୍କ ଧାନ ଏଯାଏଁ ଉଠିନାହିଁ । ଆଗକୁ କମ୍ ସମୟ ଥିବାରୁ ବଳକା ଚାଷୀଙ୍କ ଧାନ କିଣା ନେଇ ଆଶଙ୍କା ଉପୁଜିଛି । ପୁନର୍ବାର ଜିଲ୍ଲାବ୍ୟାପି ଟୋକନ ବିଭ୍ରାଟ ଦେଖାଦେଇଛି । ଧାନ କିଣା ଆରମ୍ଭ ଦିନ ଠାରୁ ସମସ୍ୟା ଲାଗି ରହିଛି । ତେଣୁ ବାଧ୍ୟହୋଇ ସ୍ୱଇଚ୍ଛାରେ ଆନ୍ଧ୍ରକୁ ଧାନ ପଠାଉଥିବା କହିଛନ୍ତି ଜିଲ୍ଲାର ଚାଷୀ ।
Follow Us