ଖୋର୍ଦ୍ଧା ଅଂଚଳରୁ ଦେଢ କେଜିର ବ୍ରାଉନସୁଗାର ଜବତ: ଆନୁମାନିକ ମୂଲ୍ୟ ହେବ ଦେଢ କୋଟିରୁ ଅଧିକ, ୩ ଗିରଫ

କାରବାର ପଛରେ ଅର୍ନ୍ତରାଜ୍ୟ ର୍ୟାକେଟର ହାତ ସନ୍ଦେହ

297

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ଅଂଚଳରୁ ୧୭ ଶହ ୪୯ ଗ୍ରାମର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢକୋଟିରୁ ଅଧିକ ଟଙ୍କା ହେବ । ଏତେ ପରିମାଣର ବ୍ରାଉନସୁଗାର ଧରାପଡିବା ଓଡିଶାରେ ପ୍ରଥମ । ଘଟଣାରେ ୩ ଜଣ ଗିରଫ ବି ହୋଇଛନ୍ତି । ଏୟାରଫିଲ୍ଡ, ଜଟଣୀ ଓ ପିପିଲି ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । କାଲି ଜଟଣୀ ଅଂଚଳରେ ବଡ ଧରଣର ବ୍ରାଉନ ସୁଗାର କାରବାର ଚାଲିଥିବା କୌଣସି ସୁତ୍ରରୁ ଏସଟିଏଫ ଖବର ପାଇଥିଲା । ଏହାପରେ ଏହି ଚଢାଉ କରାଯାଇଥିଲା ।

ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଗତ କିଛି ଦିନ ଧରି ବେଧଡକ ବ୍ରାଉନସୁଗାର କାରବାର ଚାଲିଛି । ଏହାକୁ ଧରିବା ପାଇଁ ବଡ ଧରଣର ଚଢାଉ ବି କରାଯାଇଛି । ବ୍ରାଉନସୁଗାର କାରବାର ପଛରେ ଏକ ବଡ ଧରଣର ରାକେଟ କାମ କରୁଥିବା ଜଣାଯାଇଛି । ବିଶେଷକରି ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଏହି ବ୍ରାଉନସୁଗାର ଭୁବନେଶ୍ୱରକୁ ଆସୁଛି । ପଡୋଶୀ ଦେଶକୁ ମଧ୍ୟ ଏହି ରାକେଟର ଚେର ଲମ୍ବିଛି । ଗତ ୨ ମାସ ମଧ୍ୟରେ ପ୍ରାୟ ୪ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି ।

ଗତକାଲି ଅପରାହ୍ନରେ ବି ଜଟଣୀ ଓ ନୂଆପଲ୍ଲୀ ଥାନା ଅଂଚଳରେ କମିସନରେଟ ପୁଲିସର ଡ୍ରଗ ଟାସ୍କ ଫୋର୍ସ ଚଢ଼ଉ କରି ୮୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୩ଟି ବାଇକ୍, ୧୦୫୦ ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଜବତ ନିଶାଦ୍ରବ୍ୟ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଜଟଣୀ ଅଂଚଳରେ ହୋଇଥିବା ଚଢ଼ଉରେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ସେହିଭଳି ନୂଆପଲ୍ଲୀ ଅଂଚଳରେ ହୋଇଥିବା ଚଢ଼ଉରେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଉଭୟ ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ତାଙ୍କ ଠାରୁ ୫୨ ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ୍, ଦୁଇଟି ମୋବାଇଲ ଫୋନ ଓ ୭୫୦ଟଙ୍କା ଜବତ କରା ଯାଇଥିଲା ।