ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା । ଗାଡି ପାର୍କିଂ ପାଇଁ ପ୍ରସ୍ତୁତ ହେଲା ୨ଦିନିଆ ରୁଟ୍ ଚାର୍ଟ । ୩୧ ଓ ୧ରେ ପୁରୀକୁ ବଡଗାଡି ମନା । ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ଉପରେ ଲାଗିଲା କଟକଣା

228

କନକ ବ୍ୟୁରୋ: ନୂଆବର୍ଷକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ସଜେଇ ହେଉଛି ଶ୍ରୀମନ୍ଦିର । ନୂଆବର୍ଷ ପାଇଁ ନବ ନିର୍ମିତ ସେଡ୍କୁ ଅଧିକ ଆକର୍ଷଣୀୟ କରାଯାଇଛି। ଫୁଲ କୁଣ୍ଡ ସଜାକାମ ସରିଥିବା ବେଳେ ସେଡ୍ ଉପରେ ଫୁଲ ସଜାହେଉଛି। ଏହି ବାଟ ଦେଇ ଭକ୍ତମାନେ ଯିବା ବେଳେ ସେମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ପାଇଁ ସେଡରେ ସାଉଣ୍ଡ୍ ବକ୍ସ (ସ୍ପିକର୍) ଲଗାଯାଇଛି। ଏଥିରେ ଭଜନ ଓ ଜଗନ୍ନାଥାଷ୍ଟକ ଓ ଭକ୍ତିପୂର୍ଣ୍ଣ ଭଜନ ବାଜିବ। ସେହିଭଳି ଭକ୍ତଙ୍କ ଉପରେ ନଜର ରଖିବାକୁ ଆଜି ଅତ୍ୟାଧୁନିକ ସିସି କ୍ୟାମେରା ଖଞ୍ଜାଯାଇଛି। ସେଡ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଗାଯାଇଛି ସିସି କ୍ୟାମେରା।

Image Courtesy:pratinidhiodia

ସେହିଭଳି ନୂଆ ବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର ସହ ସହର ଭିତରେ ଓ ବାହାରେ ୨୭୬ ଜଣ ଅଧିକାରୀ ଓ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅନ୍ୟପଟେ ନୂଆବର୍ଷରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଡିସେମ୍ବର ୩୧ ଓ ଜାନୁଆରି ୧ରେ ମାଲବାହୀ ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି। ଏହି ଦୁଇଦିନ ସହର ଭିତରେ ମାଲବାହୀ ଗାଡ଼ି ପ୍ରବେଶରେ ରୋକ୍ ଲଗାଯାଇଛି। ଦୈନନ୍ଦିନ ଯାତାୟାତ କରୁଥିବା ଯାତ୍ରୀବାହୀ ବସ ଓ ଟୁରିଷ୍ଟ ବସ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇନି। ପୂର୍ବଭଳି ପୁରୀ ବସଷ୍ଟାଣ୍ଡକୁ ଦୈନନ୍ଦିନ ଯାତାୟାତ କରୁଥିବା ବସ୍ ନିଜ ରୁଟରେ ଚଳାଚଳ କରିବ। ଟୁରିଷ୍ଟ ବସ୍ମାନେ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ।

କିନ୍ତୁ ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ଉପରେ କଟକଣା ଲଗାଯାଇଛି। ଚାରିଚକିଆ ଗାଡ଼ି ପ୍ରଥମେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପାର୍କିଂ କରିବେ। ଫେରିବା ବେଳେ ଜଟିଆ ବାବାଜୀ ଛକ ଦେଇ ଫେରିବେ। ଏଠାରେ ପାର୍କିଂ ସ୍ଥାନ ଅଭାବ ହେଲେ ମେଡିକାଲ ଛକରୁ ଗାଡ଼ିଗୁଡ଼ିକ ଅଟକାଯାଇ ପୁରୁଣା ଜେଲ ଜାଗାରେ ପାର୍କିଂ ବ୍ୟବସ୍ଥା କରାଯିବ। ଫେରିବା ବେଳେ ଅଠରନଳା ଦେଇ ଏମାନେ ଫେରିବେ। ତଥାପି ଯଦି ସ୍ଥାନାଭାବ ହେଲା, ମାଳତୀପାଟପୁର ଠାରୁ ଦିଗ ପରିବର୍ତ୍ତନ କରାଯାଇ ଓଭରବ୍ରିଜ୍ ଦେଇ ତାଳବଣିଆ ହେଲିପ୍ୟାଡ୍, ଇନଡୋର ଷ୍ଟାଡିୟମ ଖେଳପଡ଼ିଆ, ଶ୍ରୀଜଗନ୍ନାଥ ଖେଳପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯିବ। ବେଳାମାର୍ଗ ଆଡ଼ୁ ଆସୁଥିବା ଚାରିଚକିଆ ଗାଡ଼ି ଯାତ୍ରୀକା ଓ ଦିଗବାରେଣୀ ଠାରେ ପାର୍କିଂ କରିବେ। ଫେରିବା ବେଳେ ହୋଟେଲ ଚାରିଅଟ୍, ମଙ୍ଗଳାଘାଟ ଦେଇ ଯିବେ। ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଫ୍ଲୋରିସ୍ ଇଣ୍ଡିଆ ପାଖରେ ପାର୍କିଂ କରିବେ। ସେହିଭଳି ବିଭିନ୍ନ ସ୍ଥାନରୁ ଆସୁଥିବା ବାଇକଗୁଡ଼ିକ ମ୍ୟୁନିସିପାଲିଟି ମାର୍କେଟର ଖାଲି ଜାଗାରେ ପାର୍କିଂ କରିବେ। ଆବଶ୍ୟକ ପଡ଼ିଲେ ମେଡିକାଲ ଛକରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ପାର୍କିଂ ବ୍ୟବସ୍ଥା କରାଯିବ।