କନକ ବ୍ୟୁରୋ : ଖୋର୍ଦ୍ଧା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଛାତ୍ର ନିଖୋଜ ହେବା ଘଟଣା । ଛାତ୍ରଙ୍କୁ ଖୋଜିବାକୁ ନିୟାଜିତ ହେବ ରୋବର୍ଟ। ୪ ଦିନ ପରେ ବି ଛାତ୍ରଙ୍କୁ ଉଦ୍ଧାର କରିବାରେ ରେସକ୍ୟୁ ଟିମ୍ ବିଫଳ ହୋଇଥିବାରୁ ଏବେ ରୋବର୍ଟ ଦ୍ବାରା ଛାତ୍ରଙ୍କୁ ଖୋଜାଯିବ । ୪ ଦିନ ତଳେ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ଓମ ପ୍ରକାଶ ପାଣିରେ ବୁଡ଼ି ଯାଇଥିଲେ । ସେଲଫି ନେବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ ଓମପ୍ରକାଶ ।ଏହାପରେ ଓମପ୍ରକାଶଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା ଉଦ୍ଧାରକାରୀ ଦଳ ।

Advertisment

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ, ନାଭାଲ ଟିମ୍ ଓ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଥିଲେ ମଧ୍ୟ ଓମ ପ୍ରକାଶଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି । ୪୫ ଜଣିଆ ଟିମ୍ ପକ୍ଷରୁ ୪ ଦିନ ଅପରେସନ ଚାଲିଥିଲେ ବି ଛାତ୍ରଙ୍କ ପତ୍ତା ମିଳିନି । ଛାତ୍ରଙ୍କୁ ଖୋଜିବାରେ କ୍ୟାମେରା ମଧ୍ୟ ଫେଲ ମାରିଛି । ତେଣୁ ଏବେ ଉଦ୍ଧାର କାର୍ଯ୍ୟରେ ରୋବର୍ଟ ନିୟୋଜିତ କରାଯିବ । ତାପଙ୍ଗର ଏହି ଖଣି ଅଂଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଥିବାରୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି । ତେବେ ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।