ଆଜି ପବିତ୍ର ମାଘ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୁଷିତ ହେବେ ଶ୍ରୀଜିଉ

ରତ୍ନ ସିଂହାସନରେ ଗରୁଡ଼ ଉପରେ ବସି ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ; ସାଙ୍ଗରେ ରହିବେ ମା ଲକ୍ଷ୍ମୀ

260

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ । ମାଘ ପୂର୍ଣ୍ଣିମା ଦିନ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଗଜ ଉଦ୍ଧାରଣ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଗଜ ଉଦ୍ଧାରଣ ବେଶ ଦ୍ୱିପହର ଧୂପ ସରିବା ପରେ ଅନୁଷ୍ଠିତ ହୋଇ ସଂଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଗଜଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜରେ ବିଭୁଷିତ ହେବେ ।

ଚତୁଃହସ୍ତଧାରୀ ମହାପ୍ରଭୁ ଜଗନ୍ନାଥ ଗରୁଡ଼ ଉପରେ ବସି ଭକ୍ତଙ୍କୁ ଦର୍ଶନ ଦେବେ । ଉଡୟନରତ ଭଙ୍ଗୀରେ ଥିବା ଦୁଇଟି ପକ୍ଷ ବିଶିଷ୍ଟ ଗରୁଡ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥାଏ । ପକ୍ଷ ବିସ୍ତାରି ଉଡୁଥିବା ଗରୁଡ ପୁଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି । ଜଗନ୍ନାଥଙ୍କ ଚାରି ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ ।