ନିଜ ସତ୍ୟବାନ ପାଇଁ ୨୮ ବର୍ଷ ହେବ ଯମ ସହ ଲଢ଼େଇ କରୁଛନ୍ତି । ଭିନ୍ନକ୍ଷମ ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସୁରକ୍ଷା କବଚ ।

117

କନକ ବ୍ୟୁରୋ: ଜୀବନ-ଯନ୍ତ୍ରଣା ଓ ତା ମଝିରେ ଯମ । ଦିନେ କି ମାସେ ନୁହେଁ ୨୮ ବର୍ଷ ହେବ ନିଜ ସିନ୍ଦୂରର ସୁରକ୍ଷା କବଚ ସାଜି ଯମ ସାମ୍ନାରେ ଛିଡ଼ା ହୋଇଛନ୍ତି ଆଧୁନିକ ଯୁଗର ସାବିତ୍ରୀ । ପୁରାଣଗାଥାର ସାବିତ୍ରୀଙ୍କ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ, ହେଲେ ଆଜି ଆମେ ଆପଣଙ୍କୁ ଏ ଯୁଗର ସାବିତ୍ରୀଙ୍କ ସାକ୍ଷାତ କରାଇବୁ ଯିଏ ନିଜ ଶଙ୍ଖା ସିନ୍ଦୂର ପାଇଁ ସେବା-ସମର୍ପଣ ଓ ଭଲପାଇବାର ଏକ ଭିନ୍ନ ଉଦାହରଣ ଦେଇଛନ୍ତି ।

କୋହକୁ ଛାତିରେ ଚାପି, ସ୍ୱପ୍ନିଳ ଆଶାକୁ ମନରେ ମାରି ଶଯ୍ୟାଶାୟୀ ଭିନ୍ନକ୍ଷମ ସ୍ୱାମୀ । ତାଙ୍କ ମୁଣ୍ଡ ପାଖରେ ଜଗିକି ବସିଛନ୍ତି ଧର୍ମପତ୍ନୀ ବୁଦ୍ଧିମଣି ମାଇତି । ବିଧାତା ଦେଉଥିବା ଯନ୍ତ୍ରଣା ଓ ବିଛଣାରେ ଜୀବନ ସହ ସଂଗ୍ରାମ କରି ପଡିରହିଛନ୍ତି ସ୍ୱାମୀ । ଅର୍ଥ ଅଭାବ କାରଣରୁ ୨୮ ବର୍ଷ ପୂର୍ବ ହୋଇଥିବା ଦୁର୍ଘଟଣାର ଚିକିତ୍ସା କରିନପାରି ଏଭଳି ଦଶା ଭୋଗୁଛନ୍ତି ବ୍ରଜବନ୍ଧୁ । ସ୍ତ୍ରୀ ବୁଦ୍ଧିମଣି ହିଁ ଏବେ ତାଙ୍କ ପାଇଁ ସାଜିଛନ୍ତି ଭଗବାନ । ଖାଦ୍ୟ, ପାନୀୟ , ଶୌଚ ଆଦି ସେହି ବିଛଣାରେ କରାଉଛନ୍ତି ସ୍ତ୍ରୀ । ଛୋଟ ପିଲା ଭଳି ଲାଳନ ପାଳନ କରୁଛନ୍ତି ପତ୍ନୀ ବୁଦ୍ଧିମଣି । ମା ଭଳି ମୁଣ୍ଡ କୁଣ୍ଡାଇ ସେବା ବି କରୁଛନ୍ତି । ସ୍ତ୍ରୀଙ୍କ ଭଲ ପାଇବା ଆଉ ସମର୍ପଣଭାବକୁ ଦେଖି ବ୍ରଜବନ୍ଧୁ ମଧ୍ୟ ଭାବୁକ ହୋଇପଡ଼ିଛନ୍ତି ।

ଉଦଳା ସହରର କଲେଜ ରୋଡସ୍ଥିତ ନିଜ ପୈତୃକ ଘରେ ବିଛଣାରେ ଦିନ କାଟୁଛନ୍ତି ବ୍ରଜବନ୍ଧୁ । ସମ୍ବଳ କହିଲେ କେବଳ ସରକାରୀ ଚାଉଳ ଓ ଭିନ୍ନକ୍ଷମ ଭତ୍ତା । ୨୮ ବର୍ଷ ହେବ ବହୁ କଷ୍ଟରେ ସବୁ ଚଳାଇ ଆସୁଥିଲେ ବି ଏବେ ବାର୍ଦ୍ଦ୍ୟକ ବେଳର ଚିନ୍ତା । କାରଣ ବୟସ ଗଡ଼ି ଗଡ଼ି ଯିବା ସହ ପତ୍ନୀ ଭାଙ୍ଗିନପଡ଼ିଲେ ବି ଅସହାୟ ହୋଇପଡୁଛନ୍ତି । ୨୮ ବର୍ଷ ଧରି ନିଜ ସିନ୍ଦୂରକୁ ଯମ ମୁହଁରୁ ବଂଚାଇ ରଖିଛନ୍ତି ବୁଦ୍ଧିମଣି । ସାବିତ୍ରୀ ସାଜି ମୃତ୍ୟୁ ଆଗରେ ଛିଡା ହୋଇ ନିଜର ସ୍ୱାମୀକୁ ଦୀର୍ଘାୟୁ କରିଛନ୍ତି ଅଧୁନିକ ଯୁଗର ସାବିତ୍ରୀ ବୁଦ୍ଧିମଣି । ପ୍ରତି ବର୍ଷ ସାବିତ୍ରୀ ପୁଜା କରି ନିଜ ସ୍ୱାମୀର ଆୟୂଷ କାମନା କରିଚାଲିଛନ୍ତି ବୁଦ୍ଧିମଣି ।

ବ୍ରଜବନ୍ଧୁ ମ୍ୟାଟ୍ରିକ୍ ପରେ ବାରିପଦା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଇଲେକ୍ଟ୍ରିସିଆନ ଭାବେ ପାଠ ପଢି ଚାକିରୀ ସନ୍ଧାନରେ ଥିଲେ । ହେଲେ ଚାକିରୀ ନ ପାଇ ନିଜର ଏକ ଇଲେକ୍ଟ୍ରିକ ୟୁନିଟ୍ କରି ସ୍ୱାବଲମ୍ବୀ ହୋଇଥିଲେ । ଏହାର କିଛି ବର୍ଷ ପରେ ବୁଦ୍ଧିମଣିଙ୍କୁ ବିବାହ କରି ହସଖୁସିରେ ସଂସାର ଚାଲିଲା । ଦୁଇ ଝିଅଙ୍କୁ ନେଇ ବେଶ ଖୁସିଥିଲେ ବ୍ରଜବନ୍ଧୁ । ହେଲେ ଦୈବର କଣ ଇଛାଥିଲା କେଜାଣି ଅଳ୍ପ ଦିନ ରେ ନିଜ ଘର ସମୁଖରେ ଏକ ଦୁର୍ଘଟଣାର ଶିକାର ବନିଲେ । ଭାଗ୍ୟ ସ୍ୱାମୀଙ୍କୁ ଭିନ୍ନକ୍ଷମ ସଜାଇବା ପରେ ସରିନଥିଲା ଯନ୍ତ୍ରଣା । ବ୍ରଜବନ୍ଧୁଙ୍କ ଦୁଇ ଝିଅ ମଧ୍ୟରୁ ଜଣକୁ ବ୍ରେନ ଟ୍ୟୁମର ହୋଇଗଲା । ସ୍ୱାମୀର ଦୁର୍ଘଟଣା ସାଙ୍ଗକୁ ଝିଅର ଏଭଳି ରୋଗ , ଚିନ୍ତାରେ ପକାଇଦେଲା । ନା ଝିଅର ଚିକିତ୍ସା କରିବେ ନା ନିଜ ସ୍ୱାମୀର ଚିକିତ୍ସା କରିବେ , ଅଭାବ ଓ ଅବହେଳା ଭିତରେ ଆଖି ବୁଜିଦେଲା ଝିଅ ।

ତେବେ ୩୫ କେଜି ଚାଉଳ ଓ ୭୦୦ ଟଙ୍କାରେ କଟୁଛି ଜୀବନ । ସରକାରଙ୍କ ଚିକିତ୍ସା ସହାୟତାକୁ ଚାହିଁ ଚାହିଁ ଦିନ କାଟୁଛନ୍ତି । ନା ଚାଲି ପାରୁଛନ୍ତି ନା ଉଠି ପାରୁଛନ୍ତି , କେବଳ ସହଧର୍ମିଣୀ ବୁଦ୍ଧିମଣି ଭରସାରେ ଜୀବନ ବଂଚିଛି । ସତରେ ନିଜର ଭିନ୍ନକ୍ଷମ ସ୍ୱାମୀଙ୍କ ସେବାକରି ପ୍ରଶଂସା ସାଉଁଟୁଥିବା ବୁଦ୍ଧିମଣି ବାସ୍ତବରେ ଏ ଯୁଗର ସାବିତ୍ରୀ ବୋଲି ସ୍ଥାନୀୟ ଅଂଚଳରେ ଆଲଚନା ହୁଏ ।