ବିଶ୍ୱାସରେ ଭଗବାନ…ବରାହଜୀଉଙ୍କ ପୀଠରେ ଦେଖିବାକୁ ମିଳେ ଇଶ୍ୱରଙ୍କ ଅଲୌକିକ ମହିମା…ରହସ୍ୟରେ ଭରା ଏହି ଖଣ୍ଡିଆ ପଥର…ଭକ୍ତିରେ ଉଠାଇଲେ ଉଠିବ ହେଲେ ଅହଙ୍କାର କଲେ ବଳଶାଳୀ ବ୍ୟକ୍ତିଟିଏ ହେଲେ ବି ପାରିବ ନାହିଁ ଉଠାଇ

820

କନକ ବ୍ୟୁରୋ: ପୃଥିବୀରେ ମନୁଷ୍ୟ କେତୋଟି ମୌଳିକ ଚିନ୍ତାଧାରାକୁ ନେଇ ତାର ଜୀବନ ଧାରଣର ମାନ ପ୍ରସ୍ତୁତ କରିଥାଏ । ତା ମଧ୍ୟରେ ଅନ୍ୟତମ ବିଶ୍ୱାସ ଆଉ ଏହି ବିଶ୍ୱାସ ହିଁ ଭଗବାନ । ତେବେ ଭଗବାନଙ୍କ ଏହି ସୃଷ୍ଟିରେ ବହୁତ କିଛି ଅଲୌକିକ ଘଟଣା ରହିଛି । କାହାକୁ ନେଇ ମନୁଷ୍ୟ ତାର ଦୈନନ୍ଦିନ କାର୍ଯ୍ୟର ସଂରଚନା କରିଥାଏ ଆଉ ବିଶ୍ୱାସ କରିଥାଏ ସେଇଠାରେ ହିଁ ଥାଆନ୍ତି ଭଗବାନ । ତେବେ ସେହିଭଳି ଏକ ଅଲୌକିକ ମହିମା ଦେଖିବାକୁ ମିଳେ କେନ୍ଦ୍ରାପଡା ଜିଲ୍ଲା ଆଳି ବରାହଜିଉ ପୀଠରେ ।

କାହିଁ କେଉଁ କାଳରୁ ରହିଥିବା ଏହି ମନ୍ଦିରରେ ତ ଅନେକ ଅଲୌକିକ ଘଟଣା ଘଟିଛି କିନ୍ତୁ ଯିଏ ଏହି ମନ୍ଦିରକୁ ଥରେ ଯାଇଛି ସେ ହିଁ ଇଶ୍ୱରଙ୍କ ଏହି ଅଲୌକିକ ଘଟଣାକୁ ଅନୁଭବ କରିପାରିଛି । ତେବେ ମନ୍ଦିର ପରିସରରେ ପଡିଥିବା ଏହି ଛୋଟିଆ ପଥର ଖଣ୍ଡିକ ହିଁ ପୂରା ପୀଠର ଗୁରୁତ୍ୱ ବହନ କରୁଛି । କାହିଁକି ନା ପ୍ରଭୁ ବରାହଜିଉଙ୍କ ଦର୍ଶନ ପରେ ଭକ୍ତମାନେ ଏହି ପଥରରେ କରିଥାନ୍ତି ନିଜ ନିଜର ଭାଗ୍ୟ ପରୀକ୍ଷା । ତେବେ ପଥରଟି ବିଶେଷ ବଡ ନୁହେଁ କିନ୍ତୁ ଏଥିରେ ରହିଛି ଭାଗ୍ୟ ସହ ସମ୍ପର୍କ ।

ବିଶ୍ୱାସ ରହିଛି କି, ଯଦି କାହା ମନରେ ଗର୍ବ , ଅହଂକାର ଭରି ରହିଥାଏତେବେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ନାଁ କାହିଁକି ଏହି ପଥରକୁ ଉଠାଇ ପାରିବେ ନାହିଁ । କିନ୍ତୁ ଅତି ଦୁର୍ବଳ ହୋଇଥିଲେ ମଧ୍ୟ ଯଦି ମନରେ ଭକ୍ତି, ତ୍ୟାଗ, ସେବା ମନୋଭାବ ରହିଥାଏ ତେବେ ସେ ଏହି ପଥରଟିକୁ ନିଶ୍ଚୟ ଉଠାଇ ପାରିବ । ସେଥିପାଇଁ ଏହି ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ନିଜମନରେ ଥିବା ଭକ୍ତି, ଗର୍ବ, ଅଂହକାରର ପରିମାଣ ପରୀକ୍ଷା ପାଇଁ ଠାକୁରଙ୍କ ଦର୍ଶନ ପରେ ଏହି ପଥରକୁ ଉଠାଇଥାନ୍ତି ।

କିନ୍ତୁ ପ୍ରଶ୍ନ ଆସେ କେଉଁଠୁ ଆସିଲା ଏହି ପଥର ? ଏଥିପାଇଁ ଅନେକ କିମ୍ବଦନ୍ତି ମଧ୍ୟ ରହିଛି, ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ପାଣ୍ଡବମାନଙ୍କ ବନବାସରେ ରିଚକ ରାଜା ସହିତ ତାଙ୍କର ଯୁଦ୍ଧ ହୋଇଥିଲା ଓ ସେ ତାଙ୍କୁ ସଂହାର କରିଥିଲେ । ଏହି ଯୁଦ୍ଧ ସମୟରେ ଭୀମଙ୍କ ଗଦାର ଏକ ଭଗ୍ନାବଶେଷ ଆସି ଏଠାରେ ପଡିଥିଲା ବୋଲି ବିଶ୍ୱାସ ରହିଛି । ସେହିଭଳି ଅନ୍ୟ ଏକ ମତବାଦ ଅନୁଯାୟୀ, ହିରଣ୍ୟକଶ୍ୟପ ସହିତ ପ୍ରଭୁ ବରାହ ଜିୟୁଙ୍କର ଗଦାଯୁଦ୍ଧ ସମୟରେ ରାକ୍ଷସ ହାତରେ ପିନ୍ଧିଥିବା ଏକ ମୁଦ୍ରିକା ଆସି ଏହି ପୀଠରେ ପଡିଥିଲା ଯାହାକୁ ଏହି ପଥର ବୋଲି କୁହାଯାଉଛି । ତେବେ ମତ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ବିଶ୍ୱାସରେ ବନ୍ଧା । ଏହି ମନୁଷ୍ୟ ସମାଜ ପାଇଁ ଈଶ୍ୱର ହିଁ ସର୍ବଶକ୍ତିମାନ । ତେବେ ଗୋଟିଏ କଥା ବିଶ୍ୱାସ ହିଁ ଭଗବାନ ।