କନକ ବ୍ୟୁରୋ: ପୁଅର ମୃତ୍ୟୁ ଖବର ଶୁଣି ଜନ୍ମକଲା ମାଆ ଆଖିରୁ ଶୁଖୁନି ଲୁହ, ସ୍ୱାମୀ ଶବ ପାଲଟିଯାଇଥିବା ଖବର ପାଇ ପିଲାଙ୍କୁ ବୁଝାଇ ଲୁହକୁ ପିଇଯାଉଛନ୍ତି ପତ୍ନୀ । ଘରର ଏକମାତ୍ର ରୋଜଗାରିଆ ପୁଅ ଟ୍ରେନ୍ ଦୁର୍ଘଟଣାରେ ଆଖିବୁଜିବା ପରେ ଏବେ ପରିବାର ଆଖିରେ ଖାଲି ଲୁହ ହିଁ ଲୁହ... ହାୱଡା ମୁମ୍ବାଇ ଏକ୍ସପ୍ରେସ ଦୁର୍ଘଟଣା ପରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ କାହାଣୀ ।
ଝାଡ଼ଖଣ୍ଡ ଚକ୍ରଧରପୁରରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଚାଲିଯାଇଛି ଅଜିତ ସାମଲଙ୍କ ଜୀବନ । ହାୱାଡା ଷ୍ଟେସନରୁ ଟ୍ରେନରେ ଚଢ଼ିଥିବା ଅଜିତ ରାଉରକେଲା ନିଜ ଘରକୁ ଫେରୁଥିଲେ କିନ୍ତୁ ମୃତ୍ୟୁ ରୂପରେ ଛକି କି ବସିଥିଲା ମାଲବାହୀ ଟ୍ରେନ୍ । ଟ୍ରେନ୍ ଧକ୍କାରେ ହିଁ ସରିଗଲା ସାମଲ ପରିବାରର ସବୁ ସ୍ୱପ୍ନ, ସବୁ ହସ-ଖୁସି ।
ମୃତ ଅଜିତ ସାମଲଙ୍କ ଘର ରାଉରକେଲା ମାଲଗୋଦାମ ଅଞ୍ଚଳରେ । ୩୫ ବର୍ଷୀୟ ଅଜିତଙ୍କ ଘରେ ଅସୁମାରି ସମସ୍ୟା, ଦୁଃଖର ପାହାଡ଼ ତଳେ କଟୁଛି ପରିବାରର ଜୀବନ । ବାପା ମାନସିକ ରୋଗୀକୁ ବଡ଼ ଭାଇ ପାରାଲିସିସ୍ ରୋଗୀ । ନିଜ ଧର୍ମପତ୍ନୀ ଓ ଦୁଇ ପିଲା ଛୁଆଙ୍କ ସହ ପରିବାରର ସବୁକିଛି ଅଜିତଙ୍କ ଉପରେ ନିର୍ଭରଶୀଳ ଥିଲେ । ବ୍ୟବସାୟ ଜରିଆରେ ରୋଗିଣା ବାପା-ଭାଇଙ୍କ ଭଲମନ୍ଦ ବୁଝିବା ସହ ପରିବାର ପାଇଁ ରୋଜଗାରର ଏକମାତ୍ର ଜରିଆ ଥିଲେ ସେ । କିନ୍ତୁ ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ହିଁ ପୁଅର ଲହୁ ପିଇଗଲା ଲୌହ ଦାନବ ।
ରାଜଖରସୁଆଁ ବଡ଼ମ୍ବୋ ଷ୍ଟେସନ ନିକଟରେ ଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ହାୱାଡା ମୁମ୍ବାଇ ଏକ୍ସପ୍ରେସ । ୧୮ଟି ବଗି ଲାଇନଚ୍ୟୁତ ହୋଇଥିଲା ହେଲେ ଯେଉଁ ବଗିରେ ବସି ଘରକୁ ବାହୁଡୁଥିଲେ ଅଜିତ୍, ଅଧବାଟରୁ ହିଁ ଆଖି ବୁଜିଦେଇ ଆରପାରିକୁ ଚାଲିଗଲେ । ଅଜିତଙ୍କର ଦୁଇଟି ଛୋଟ ଛୋଟ ପିଲା, ଦଇବ ଦେଇଥିବା ଦୁର୍ଘଟଣା ଯାତନାରେ ଏବେ ଦୁଇଟି ପିଲାଙ୍କୁ କିଏ ଦେଖିବ? ଏତେବଡ଼ ଦୁନିଆରେ କ’ଣ କରିବି ବୋଲି କାନ୍ଦି କାନ୍ଦି ପ୍ରଶ୍ନ କରୁଛନ୍ତି ମୃତ ଅଜିତଙ୍କ ପତ୍ନୀ?
ସରକାରଙ୍କ ସେହି କେଇ ଲକ୍ଷ ଟଙ୍କାର ସହାୟତା ଅଜିତଙ୍କ ଏତେବଡ଼ ପରିବାର ପାଇଁ ସମୁଦ୍ରକୁ ଶଙ୍ଖେ ଭଳି । ବାପ ଛେଉଣ୍ଡ ଦୁଇ କୁନି କୁନି ପିଲାଙ୍କ ଭବିଷ୍ୟତ ଏବେ କେଉଁଆଡେ ଯିବ ତାହା କିଏ ବା ଜାଣେ? ସତରେ ଦୁର୍ଘଟଣାର ଦାଗ ସିନା ଟ୍ରାକରୁ ଲିଭିଯିବ କିନ୍ତୁ ଅଜିତଙ୍କ ମୃତ୍ୟୁ ପରେ ପରିବାରକୁ ମାଡ଼ି ଆସିଥିବା ଏ ଦୁଃଖର ଦାଗ କେବେ ଲିଭିବନି ।
Follow Us