କେବେ ଗଡିବ ମୋ ରିକ୍ସା…? ଚକ ଘୁରିଲେ ଘର ଚଳିବ… ଦିନେ ସେ ଗୋଟିଏ ହାତରେ ଟାଣୁଥିଲେ ସଂସାର ରିକ୍ସା, ଆଜି ତାଲାବନ୍ଦ ବୁଡାଇଛି ତାଙ୍କ ବେଉସା । କଟକଣା ପାଇଁ ରାସ୍ତାରେ ରିକ୍ସା ଗଡୁନି, ପେଟକୁ ଭାତ ମିଳୁନି… ଦେଖନ୍ତୁ କରୋନା ଭିତରେ ରିକ୍ସାବାଲା ବାପାର କନ୍ଦେଇଦେଲା ଭଳି କାହାଣୀ…

777

କନକ ବ୍ୟୁରୋ: ଚକ ଘୁରୁଥିଲା, ପରିବାର ଚଳୁଥିଲା । ଦୁଃଖ କଷ୍ଟର ଏ ଖଦଡିଆ ରାସ୍ତାରେ ବି ଖୁବ୍ ଗଡୁଥିଲା ଜୀବନର ରିକ୍ସା । ହାତ ସିନା ଗୋଟିଏ ହେଲେ ଜୀବନ ଯୁଦ୍ଧରେ କେବେ ହାରିଯାଇ ନାହାନ୍ତି ଏ ସାହସୀ ମଣିଷ । ଗୋଟିଏ ହାତରେ ବି ପୂରା ପରିବାରକୁ ସୁରକ୍ଷା ଦେଇଛନ୍ତି, ସମସ୍ତଙ୍କ ମୁହଁରେ ଦାନା ଦେଇଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ରିକ୍ସା ଟାଣିବା ପରି ନିଜ ସଂସାର ରିକ୍ସାକୁ ଗୋଟେ ହାତରେ ବୋହି ଚାଲିଛନ୍ତି ସତ୍ୟମ । ହେଲେ ଏବେ କିନ୍ତୁ ତାଙ୍କ ରିକ୍ସାରେ ତାଲା ଝୁଲୁଛି, ପରିବାର ଉପାସ ଶୋଉଛି…

ତାଲାବନ୍ଦ ପୂର୍ବରୁ ଖରା, ବର୍ଷା, ଶୀତକୁ ପିଠି କରି ରାୟଗଡା ରେଳ ଷ୍ଟେସନରୁ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ରୋଜଗାର କରୁଥିଲେ ଏସ. ସତ୍ୟମ । ଦୀର୍ଘ ୫୦ ବର୍ଷ ହେବ ନିରନ୍ତର ରିକ୍ସା ଟାଣି ପରିବାର ଚଳାଉଥିବା ସତ୍ୟମ ବି ବୟସର ଅପରାହ୍ଣରେ ଘରର ବୋଝ ବୋହୁଛନ୍ତି । ହେଲେ କରୋନା କଟକଣା ପାଇଁ ରୋଜଗାରରେ ରୋକ୍ ଲାଗିଥିବାରୁ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି ଏ ଦିବ୍ୟାଙ୍ଗ ରିକ୍ସା ଚାଳକ ।

୬୦ ବର୍ଷ ତଳେ ବାରହା ଶିକାର ପାଇଁ ବିଛାଯାଇଥିବା ବୋମାରେ ଅଜାଣତେ ହାତ ବାଜି ହାତ ହରାଇଥିଲେ ସତ୍ୟମ । ରାୟଗଡା ଇନ୍ଦିରା ନଗରରେ ରହୁଥିବା ସତ୍ୟମ ନିଜ ସ୍ତ୍ରୀ, ଝିଅ, ନାତିନାତୁଣିଙ୍କ ସହ ୫ ଜଣଙ୍କ ପେଟ କଥା ବୁଝୁଛନ୍ତି । କାହା ପାଖରେ ହାତ ନପାତି ସ୍ୱାଭିମାନର ସହ ବଞ୍ଚୁଛନ୍ତି । କିନ୍ତୁ କରୋନା କଟକଣା ପାଇଁ ବସ ଟ୍ରେନରେ ଲୋକ ହେଉନଥିବାରୁ ଏହାର ପ୍ରଭାବ ସତ୍ୟମଙ୍କ ଛୋଟ ସଂସାର ଉପରେ ସିଧା ସଳଖ ପଡିଛି ।

ସେପଟେ ପିତୃ ଦିବସ ପାଇଁ ସମସ୍ତେ ବାପାଙ୍କର ଗାଥା ଗାଉଥିବା ବେଳେ ସତ୍ୟମ ବି ସେମିତି ଜଣେ ବାପା । ଯିଏ ହାତ ହରାଇଲା ପରେ ବି ନିଜ ପିଲାଙ୍କୁ ହଇରାଣରେ ରଖି ନାହାନ୍ତି । ନିଜେ ଛିଣ୍ଡା ପିନ୍ଧି ପିଲାଙ୍କୁ ଭଲ ପିନ୍ଧାଇଛନ୍ତି, ନିଜେ ଭୋକେ ରହି ପିଲାଙ୍କୁ ଖୁଆଇଛନ୍ତି । କିନ୍ତୁ ଆଜି ସଂକ୍ରମଣ ରୋକିବାକୁ ସରକାର ଟାଣିଥିବା କଟକଣାର ଗାର ଜଣେ ବାପାକୁ କନ୍ଦାଇ ଦେଇଛି । ପିଲା ପେଟରେ ଦାନା ଗଣ୍ଡେ ଦେଇ ନପାରି ଗୋଟେ ରିକ୍ସାବାଲା ବାପା ନିଜ ବାପପଣିଆକୁ ଧିକ୍କାର କରୁଛି । ଆଉ ରାସ୍ତାରେ ରିକ୍ସା ରଖି ରୋଜଗାର ପାଇଁ ଅପେକ୍ଷା… ଅପେକ୍ଷା… ଆଉ ଅପେକ୍ଷା କରିଛି…