କନକ ବ୍ୟୁରୋ: ଡ୍ରାଗନ ଫ୍ରୁଟ୍ ଚାଷ କରୁଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । କିଛି କରିବାର ଆଗ୍ରହ ଥିଲେ ଉପାୟ ଆପେ ଆପେ ଆସିଥାଏ, ଏହା ସେ ପ୍ରମାଣ କରିଛନ୍ତି । ବର୍ଷକୁ ୨ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି । ୟୁଟ୍ୟୁବରୁ ସେ ଏହି ଚାଷ ବିଷୟରେ ଜାଣିବାକୁ ପାଇଥିଲେ । ଜୈବିକ ପ୍ରଣାଳୀରେ ଚାଷ କରୁଥିବାରୁ ଭଲ ଅମଳ ହେଉଛି ଓ ସେ ଭଲ ରୋଜଗାର କରୁଛନ୍ତି ।
ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା
ସେନାରୁ ଅବସର ନେଲେ ଡ୍ରାଗନ ଫ୍ରୁଟ୍ ଚାଷ କଲେ
ବାର୍ଷିକ ୨ ରୁ ୩ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ମୁକୁଳିସି ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରତାପ ଚନ୍ଦ୍ର ରାଉଳ । ୨୦୧୫ରେ ସେ ଚାକିରିରୁ ଅବସର ନେଇଥିଲେ। କିଛି ରୋଜଗାର ପାଇଁ ଚିନ୍ତା କରୁଥିବା ବେଳେ ବାଟ ଦେଖାଇଥିଲା ୟୁଟ୍ୟୁବ୍ । ଡ୍ରାଗନ ଫ୍ରୁଟ୍ ବିଷୟରେ ସେ ୟୁଟ୍ୟୁବରୁ ଜାଣିବାକୁ ପାଇଥିଲେ । ଏହି ଚାଷ ବିଶେଷକରି ପାହାଡ଼ିଆ ଅଞ୍ଚଳରେ ହୁଏ । ବସ୍ତା ପରି ବନ୍ୟାଞ୍ଚଳର ଆର୍ଦ୍ର ମାଟିରେ ହେବ କି ନାହିଁ, ଦ୍ବନ୍ଦ୍ବ ଭିତରେ ଲଗାଇଥିଲେ କିଛି ଚାରା । ସଫଳତା ପାଇବା ପରେ ଏହି ଚାଷ ପ୍ରତି ତାଙ୍କ ଆଗ୍ରହ ବଢ଼ିଥିଲା । ଏବେ ବାଡ଼ିରେ ୩ ଶହରୁ ଅଧିକ ଡ୍ରାଗନ ଫ୍ରୁଟ୍ ଗଛ ଲଗାଇଛନ୍ତି ପ୍ରତାପ । ଜୈବିକ ପ୍ରଣାଳୀରେ ଚାଷ କରୁଥିବାରୁ ଭଲ ଅମଳ ହେଉଛି । ମାସକୁ ୩ କ୍ବିଣ୍ଟାଲରୁ ଅଧିକ ଡ୍ରାଗନ ଫ୍ରୁଟ୍ ଅମଳ ହେଉଛି ।
ଡ୍ରାଗନ ଫ୍ରୁଟ୍ ଚାଷ ପାଇଁ ପ୍ରତାପ ଗୁଜରାଟରୁ ଚାରା ଆଣିଛନ୍ତି । ଏହି ଗଛ ଥରେ ଲଗାଇଲେ ୩୦ ବର୍ଷ ପର୍ଯ୍ୟନ୍ତ ଅମଳ ହୁଏ । ସିମେଣ୍ଟ ଖୁଣ୍ଟରେ ଲୁହା ଆଙ୍ଗେଲ ଦେଇ ଗଛ ବଢ଼ାଇଛନ୍ତି ପ୍ରତାପ । ସପ୍ତାହକୁ ଥରେ ପାଣି ଦେବାକୁ ପଡ଼ିଥାଏ । ଗୋବର, ଗୋମୂତ୍ର ଏବଂ ଲିମ୍ବତେଲକୁ ମିଶାଇ ସପ୍ତାହକୁ ଥରେ ମାତ୍ର ସାର ଆକାରରେ ଦିଆଯାଉଛି । ଅମଳ ପରେ ପ୍ରତାପ ସ୍ଥାନୀୟ ବଜାର ସହିତ ବାହାର ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ଖାଲି ଫଳ ନୁହେଁ ବରଂ ତାହା ସହ ଚାରା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ପ୍ରତାପ । ଅନ୍ୟ ରାଜ୍ୟ ଭଳି ବସ୍ତା ମାଟିରେ ଡ୍ରାଗନ ଫ୍ରୁଟ୍ ଭଲ ଅମଳ ହେଉଛି । ଏହି ଚାଷ କରି ଯୁବପିଢ଼ି ସ୍ୱାବଲମ୍ବୀ ହୋଇପାରିବେ ବୋଲି ପ୍ରତାପ କହିଛନ୍ତି ।
(ବାଲେଶ୍ୱର ଜିଲ୍ଲା ବସ୍ତାରୁ ରଞ୍ଜନ କୁମାର ବେହେରାଙ୍କ ରିପୋର୍ଟ)