କନକ ବ୍ୟୁରୋ : AK-47... ଯାହାକୁ ବିଟ୍ କଲା ଭଳି ଅସ୍ତ୍ର ଏବେ ଯାଏଁ ବାହାରିପାରିନାହିଁ । ଯିଏ ସେନାକୁ ଏକ ଅଦମ୍ୟ ଶକ୍ତି ପ୍ରଦାନ କରିଥିଲା । ଯିଏ ଯୁଦ୍ଧର ପରିଭାଷାକୁ ବଦଳାଇଦେଇଥିଲା । କିନ୍ତୁ ଜାଣିଛନ୍ତି କି, ଏହି ଘାତ ହତିଆରର ନିର୍ମାତା କିଏ? ଏବଂ କେଉଁ ପରିସ୍ଥିତିରେ ଏହି ଘାତକ ହତିଆରକୁ ନିର୍ମାଣ କରାଯାଇଥିଲା? ଆସନ୍ତୁ ଜାଣିବା ଏକେ-୪୭ ସହ ଜଡ଼ିତ କିଛି ରୋଚକ କଥା ।
AK-47 କୁ ସୋଭିଏତ୍ ୟୁନିଅନର ପ୍ରସିଦ୍ଧ ଅସ୍ତ୍ର ଡିଜାଇନର୍ ମିଖାଏଲ୍ କଲାସନିକୋଭ୍ ଡିଜାଇନ୍ କରିଥିଲେ। ତାଙ୍କର ଜନ୍ମ ୧୦ ନଭେମ୍ବର ୧୯୧୯ରେ ଋଷର କୁର୍ଯ୍ୟା ଗ୍ରାମରେ ହୋଇଥିଲା। ଏକ ସରଳ କୃଷକ ପରିବାରରୁ ଆସିଥିବା, କଲାସନିକୋଭ୍ ପିଲାଦିନରୁ ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆକର୍ଷିତ ହୋଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ସେ ସୋଭିଏତ୍ ସେନାରେ ଏକ ଟ୍ୟାଙ୍କ ଡ୍ରାଇଭର ଭାବରେ କାର୍ଯ୍ୟ କରିଥିଲେ। ୧୯୪୧ରେ ଯୁଦ୍ଧରେ ଗୁରୁତର ଆହତ ହୋଇ, ହସ୍ପିଟାଲରେ ଥିବା ସମୟରେ, ସେ ଅନୁଭବ କଲେ ଯେ ସୋଭିଏତ୍ ସୈନିକମାନଙ୍କୁ ଏକ ହାଲୁକା, ନିର୍ଭରଯୋଗ୍ୟ ଏବଂ ଦ୍ରୁତ-ଫାୟାରିଂ ରାଇଫଲ୍ର ଆବଶ୍ୟକତା ରହିଛି । ଏହି ଚିନ୍ତାଧାରା ତାଙ୍କୁ AK-47 ସୃଷ୍ଟି କରିବାକୁ ନେଇଗଲା ।
୧୯୪୭ ମସିହାରେ, କଲାସନିକୋଭ୍ ତାଙ୍କର ପ୍ରଥମ ରାଇଫଲ୍ ବିକଶିତ କରିଥିଲେ, ଯାହାକୁ ୧୯୪୯ ମସିହାରେ ସୋଭିଏତ୍ ସେନା ଦ୍ୱାରା ଆନୁଷ୍ଠାନିକ ଭାବରେ ଗ୍ରହଣ କରାଯାଇଥିଲା। "AK" ର ଅର୍ଥ "Avtomat Kalashnikova", ଅର୍ଥାତ୍ ଏହା କଲାସନିକୋଭର ସ୍ୱୟଂଚାଳିତ ରାଇଫଲ୍ ଅଟେ, ଏବଂ 47 ଏହାକୁ ଡିଜାଇନ୍ କରାଯାଇଥିବା ବର୍ଷକୁ ଦର୍ଶାଇଥାଏ ।
AK-47 ର ସବୁଠାରୁ ବଡ଼ ଶକ୍ତି, ଏହାର ସରଳ ଯନ୍ତ୍ରପାତି ଏବଂ ସମସ୍ତ ପରିସ୍ଥିତିରେ କାର୍ଯ୍ୟ କରିବାର କ୍ଷମତା । ମରୁଭୂମି, ଜଙ୍ଗଲ କିମ୍ବା ତୁଷାରପାତପୂର୍ଣ୍ଣ ଅଞ୍ଚଳରେ ହେଉ ନା କାହିଁକି, ଏହି ରାଇଫଲ୍ ବିନା ବାଧାରେ ଚାଲିଥାଏ । ଏହି କାରଣରୁ ଏହା ବିଶ୍ୱର ପ୍ରାୟ ପ୍ରତ୍ୟେକ ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ହୋଇଆସୁଛି ଏବଂ ଏବେ ମଧ୍ୟ ସେହିପରି ରହିଛି । ଏହି ରାଇଫଲ ସବୁ ପରିସ୍ଥିତିରେ କାମ କରିବା ପାଇଁ ଏଥିପାଇଁ ସକ୍ଷମ । କାହିଁକି ନା ଏହି ରାଇଫଲକୁ ନେଇ କଠିନ ପରୀକ୍ଷଣ କରାଯାଇଛି । ଏହି ରାଇଫଲକୁ ପାଣିରେ ବୁଡ଼ାଇ ବାଲି ଭର୍ତ୍ତି କରି, କାଦୁଅରେ ବୁଡ଼ାଇ ବାହାର କରିବା ପରେ ବି ଏହି ରାଇଫଲ ବିନା ଦ୍ବନ୍ଦ୍ୱରେ ଟାର୍ଗେଟକୁ ହିଟ୍ କରିଥିଲା । ଯେଉଁଠିକି ଅନ୍ୟ ରାଇଫଲ୍ ଜାମ୍ ହେବା ଫଳରେ ଗୁଳି ବାହାରିନଥିଲା । ସେବେଠୁ ଆଜି ଯାଏ ଏହି ରାଇଫଲ୍ କିଙ୍ଗ୍ ହୋଇ ରହିଛି ।
ଯଦିଓ ମିଖାଇଲ୍ କଲାସନିକୋଭ ମୃତ୍ୟୁ ଯାଏଁ ସେ ଦାବି କରିଥିଲେ ଯେ ସେ ଏହି ଅସ୍ତ୍ରଶସ୍ତ୍ର ଶକ୍ତି କିମ୍ବା ହିଂସା ପାଇଁ ନୁହେଁ, ବରଂ ତାଙ୍କ ଦେଶର ସୁରକ୍ଷା ପାଇଁ ସୃଷ୍ଟି କରିଥିଲେ । କିନ୍ତୁ ଆଜି ବି ଏହି ରାଇଫଲ୍ ବିଭିନ୍ନ ଦେଶର ସେନାଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଏହି ରାଇଫଲ୍ ଆଉ ଏକ ନାଁରେ ବି ପ୍ରସିଦ୍ଧ । ଏହି ରାଇଫଲକୁ "ମୃତ୍ୟୁ ଯନ୍ତ୍ର" ବୋଲି ମଧ୍ୟ କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/25/62-2025-09-25-12-51-07.jpg)