କନକ ବ୍ୟୁରୋ: ଯେଉଁ ଭାରତକୁ ଦିନେ ନମସ୍ତେ କହୁଥିଲେ ବିଶ୍ବର ଶକ୍ତିଶାଳୀ ନେତା ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ସିଏ ଭାରତ ପାଇଁ ଭଗାରୀ ସାଜିଛନ୍ତି । ଆଉ ଟାରିଫ୍ ପରେ ଟାରିଫ୍ ଲଗାଇଚାଲିଛନ୍ତି । ତେବେ କାହିଁକି ଭାରତକୁ ଟାରିଫ୍ ଡୋଜ୍ ପରେ ଡୋଜ୍ ଦେଉଛନ୍ତି ଡୋନାଲ୍ଡ ଟ୍ରମ୍ପ୍? ଏମିତି କ’ଣ ହେଲା ଯେ ଭାରତ-ଆମେରିକା ବନ୍ଧୁତା ବ୍ରେକଅପ୍ ହୋଇଗଲା? ଏସବୁ ପ୍ରଶ୍ନ ଉଠୁଥିବା ବେଳେ ଜଣେ ରାଜନୈତିକ ବିଶ୍ଳେଷକ ଖୋଲିଛନ୍ତି ଟ୍ରମ୍ପଙ୍କ ରାଗ ପଛର ଗୁମର ।
ବିଶ୍ଳେଷକଙ୍କ କହିବା ମୁତାବକ, ଭାରତ-ପାକିସ୍ତାନ ଯୁଦ୍ଧରେ ଅସ୍ତ୍ରବିରତିର ଶ୍ରେୟ ଦେବାକୁ ରାଜି ନ ହେବାରୁ ଟ୍ରମ୍ପ ଭାରତକୁ ଟାର୍ଗେଟ୍ କରୁଛନ୍ତି । ଦକ୍ଷିଣ ଏସିଆ ଇନ୍ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ମାଇକେଲ କୁଗେଲମ୍ୟାନ୍ ଏହାକୁ ଦୁଇ ଦେଶ ମଧ୍ୟରେ ରଣନୈତିକ ସହ ଯୋଗର ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ସମୟ ବୋଲି କହିଛନ୍ତି । ଏହି ଶୁଳ୍କ ବ୍ୟାପକ ଆମେରିକା-ଭାରତ ସମ୍ପର୍କ ଉପରେ ‘କ୍ଷତିକାରକ ପ୍ରଭାବ ପକାଇପାରେ । ଆମେରିକାର ଚାପ ସତ୍ତ୍ବେ ଭାରତ ମସ୍କୋରୁ ତୈଳ ଆମଦାନି ଜାରି ରଖିବାକୁ ଜିଦ୍ ଧରିଥିବାରୁ ହ୍ବାଇଟ୍ ହାଉସ୍ର ଟାରିଫ୍ ଘୋଷଣା ଉତ୍ତେଜନାକୁ ଦୁଇଗୁଣା ବଢ଼ାଇଛି ।
ଖାଲି ଏତିକି ନୁହେଁ କୁଗେଲମ୍ୟାନ୍ କହିଛନ୍ତି, ଅସ୍ତ୍ରବିରତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶ୍ରେୟ ଦେବାକୁ ମନା କରିବାରୁ ଭାରତ ସହ ଏହା ଘଟିଛି । ବାସ୍ତବରେ ଏହା ଏକ ଦୋମୁହାଁ ନୀତି । ଯିଏ ଯାହା କହୁଛି କହୁ, ଏହା ଟ୍ରମ୍ପଙ୍କ କପଟାଚରଣ ବା ହିପୋକ୍ରିସି ମନୋଭାବ ବୋଲି କୁଗେଲମ୍ୟାନ କଟାକ୍ଷ କରିଛନ୍ତି । ତେବେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଚୀନ୍ ଉପରେ ଅଧିକ ଶୁଳ୍କ ଲଗାଇବାକୁ ସଙ୍କେତ ଦେଇଛନ୍ତି, ଯାହା ୟୁକ୍ରେନରେ ସଂଘର୍ଷ ଶେଷ କରିବା ପାଇଁ ଋଷ୍ ଉପରେ ଚାପ ବଢ଼ାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ଆଦେଶରେ ସ୍ଵାକ୍ଷର କରିଛନ୍ତି, ଯେଉଁଥିରେ ଭାରତୀୟ ଆମଦାନି ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ଏହି ପଦକ୍ଷେପ ଆମେରିକା-ଭାରତ ସମ୍ପର୍କର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ାଇଛି । ଋଷ୍ ଠାରୁ ତୈଳ କ୍ରୟ ଜାରି ରଖିଥିବାରୁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଟ୍ରମ୍ପ, ଆଗକୁ ଆହୁରି କଟକଣା ଲଗାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।