କନକ ବ୍ୟୁରୋ : ଦେବ ଦେବ ମହାଦେବଙ୍କ ପବିତ୍ର ଶ୍ରାବଣ ମାସ ଚାଲିଛି । ତପେବର ନହେଲେ କୋପେବର ବାବା ଡମ୍ବରୁଧର ଯେତେ ସରଳ ସେତେ ରହସ୍ୟମୟ । ସେଥିପାଇଁ ତ ଜଗତ ତାଙ୍କୁ ଭୋଳାବାବା ବୋଲି ଡାକେ । ଶିବପୁରାଣ ଅନୁସାରେ , ଶିବଶମ୍ଭୁଙ୍କ ବେଶଭୂଷା, ଗଣ ,ରହଣୀ ସବୁ ଅନ୍ୟ ଦେବତାଙ୍କଠାରୁ ଭିନ୍ନ ସେଥିପାଇଁ ତ ଅନ୍ୟ ଦେବଙ୍କୁ ଦେବତା ଏବଂ ଭଗବାନ ଶିବଙ୍କୁ ମହାଦେବ ବୋଲି ସମ୍ବୋଧନ କରାଯାଏ । ଶାସ୍ତ୍ରରେ ଶିବଙ୍କ ସ୍ବରୂପର ବର୍ଣ୍ଣନା କରାଯାଇଛି । ଯେଉଁଥିରେ ଭଗବାନ ଶିବ ବ୍ୟାଘ୍ର ଚମଡ଼ା ପରିଧାନ କରି ଦେହରେ ଭସ୍ମ ବୋଳିଥିବାର ନଜର ଆସିଥା’ନ୍ତି । ଉଜ୍ଜୟିନୀର ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆଳତୀ ହୋଇଥାଏ , ଦେବାଧିଦେବ ମହାଦେବ ମଧ୍ୟ ଭସ୍ମର ଶୃଙ୍ଗାର କରନ୍ତି । ତେବେ ପ୍ରଭୁ କାହିଁକି ଏତେ ଭସ୍ମ ପ୍ରିୟ ? ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/07/22/mahakal-2025-07-22-17-09-22.jpg)
ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରମୁଖ ବସ୍ତ୍ର ହେଉଛି ଭସ୍ମ । ଭୋଳାନାଥଙ୍କ ସମ୍ପୂର୍ଣ୍ଣ ଶରୀର ଭସ୍ମରେ ଲେପ ହୋଇଥାଏ । ସାଧୁସନ୍ଥ ଯେପରିକି ଅଘୋରୀ, ସନ୍ନ୍ୟାସୀ ଏବଂ ନାଗା ସାଧୁ ମଧ୍ୟ ନିଜ ଶରୀରରେ ଭସ୍ମ ଲଗାଇଥା’ନ୍ତି । ମହାଦେବ ଭସ୍ମ ପ୍ରିୟ ହେବା ପଛରେ ମଧ୍ୟ ବୈଜ୍ଞାନିକ ଓ ଆଧ୍ୟାତ୍ମିକ କାରଣ ରହିଛି । ଭୋଳାନାଥ ଶରୀରରେ ଭସ୍ମ ଲଗାଇବାର ଦାର୍ଶନିକ ଅର୍ଥ ହେଉଛି ‘ଯେଉଁ ହାଡ଼ମାଂସରେ ତିଆରି ଶରୀର ଯାହାକୁ ନେଇ ଆମେ ତୁଚ୍ଛା ଗର୍ବ କରୁଛେ , ତାହା ଶେଷରେ ଭସ୍ମରେ ହିଁ ମିଶିଯିବ , ତେଣୁ ଏତେ ଗର୍ବ କାହିଁକି?’ ଭସ୍ମର ବିଶେଷତା ହେଉଛି ଶରୀରର କ୍ଷୁଦ୍ର ଛିଦ୍ରକୁ ଏହା ବନ୍ଦ କରିଦିଏ । ଯଦି କୌଣସି ବ୍ୟକ୍ତି ଶରୀରରେ ଭସ୍ମ ଲଗାନ୍ତି ତେବେ ଗ୍ରୀଷ୍ମରେ ଗରମ ଏବଂ ଶୀତରେ ଥଣ୍ଡା ଲାଗିବ ନାହିଁ ।
/filters:format(webp)/kanak/media/media_files/2025/07/22/shiva-2025-07-22-17-08-27.jpg)
ଆଧ୍ୟାତ୍ମିକ କଥା ଅନୁସାରେ କିଛି ଲୋକ ମୃତଦେହକୁ ଚାରିକାନ୍ଧ ଦେଇ ଶ୍ମଶାନ ଆଡ଼କୁ ନେଇ ଯାଉଥିଲେ ଏବଂ ଯିବା ସମୟରେ ରାମ ନାମ ସତ୍ୟ ହେ ବୋଲି କହୁଥିଲେ । ଭଗବାନ ଶିବ ଶ୍ରୀରାମଙ୍କ ନାଁ ଶୁଣି ଖୁସି ହେଲେ ଏବଂ ଲୋକଙ୍କ ପଛେ ପଛେ ଶ୍ମଶାନ ଆଡ଼କୁ ଗମନ କଲେ । ମୃତଦେହର ଅନ୍ତିମ ସଂସ୍କାର ପରେ ଯେତେବେଳେ ଲୋକ ଚାଲିଗଲେ ମହାଦେବ ସେତେବେଳେ ଭସ୍ମକୁ ନିଜ ଶରୀରରେ ବୋଳିଥିଲେ । ଅନ୍ୟ ଏକ କଥା ଅନୁସାରେ ମାତା ସତୀ ଯେତେବେଳେ ପିତାଙ୍କ ଭବନରେ ନିଜ ଉର୍ଜ୍ଜାରେ ହିଁ ନିଜକୁ ଜାଳିଦେଇଥିଲେ ମହାଦେବ ଏହି ବିରହକୁ ସହ୍ୟ କରିପାରିନଥିଲେ । ପ୍ରାଣପ୍ରିୟାଙ୍କ ବିୟୋଗର ଦୁଃଖ ବାବାଙ୍କୁ ଏତେ ମର୍ମାହତ କରିଥିଲା ଯେ ମାତାଙ୍କ ଦଗ୍ଧ ଶରୀରକୁ କୋଳରେ ଧରି ବାବା ପାଗଳ ପ୍ରାୟ ଘୁରି ବୁଲୁଥିଲେ । ପ୍ରଭୁ ନାରାୟଣ ମହାଦେବଙ୍କ ଏହି ଦୁଃଖକୁ ଦେଖି ନପାରି ସୁଦର୍ଶନ ଚକ୍ର ବୁଲାଇ ମାତାଙ୍କ ଦଗ୍ଧ ଶରୀରର ୫୧ ଖଣ୍ଡ କରିଥିଲେ , ଯାହା ପରେ ୫୧ ଶକ୍ତିପୀଠରେ ପୂଜିତ ହେଲେ । ମାତାଙ୍କ ଖଣ୍ଡ ଖଣ୍ଡ ଶରୀରରୁ ବାହାରିଥିବା ଭସ୍ମକୁ ତ୍ରିଶୂଳଧାରୀ ଦେହରେ ବୋଳି ହୋଇଥିଲେ । ଅର୍ଦ୍ଧାଙ୍ଗିନୀଙ୍କ ଦଗ୍ଧ ଶରୀରର ଭସ୍ମକୁ ଦେହରେ ବୋଳି ବିୟୋଗର ଅକଥନୀୟ ପୀଡ଼ାକୁ ଅନୁଭବ କରିଥିଲେ ଉମାପତି ।