କନକ ବ୍ୟୁରୋ: ପ୍ରେମରେ ବ୍ରେକଅପ୍ ହେଉଛି, ସ୍ବାମୀ-ସ୍ତ୍ରୀ ଭିତରେ ଡିଭୋର୍ସ ହେଉଛି କିନ୍ତୁ ଓଡ଼ିଶା ଆଉ ବାତ୍ୟା ଭିତରେ ଆପଣ କେବେ ବି ବ୍ରେକଅପ୍ ହୋଇଥିବ ତା’ ଶୁଣିନଥିବେ । ଉୟଭଙ୍କ ଭିତରେ ଏମିତି ଭିତିରି ସମ୍ପର୍କ ରହିଛି ଯେ ତାହା କେହି ବି ଠୋଉରେଇ ପାରୁନାହାନ୍ତି । ହଁ ପାଣିପାଗ ବିଜ୍ଞାନୀ ପାଗ, ଜଳବାୟୁର ଉଦାହରଣ ଦେଇ ଆପଣଙ୍କୁ ବୁଝାଇଦେବେ, ହେଲେ ଓଡ଼ିଶା ପ୍ରତି ବାତ୍ୟାର ଏତେ ଭଲ ପାଇବା ଯେ ବିଗତ ୧୧ ବର୍ଷରେ ୧୧ ଥର ଦେଖା କରିବାକୁ ସମୁଦ୍ର ବାଟ ଦେଇ ଚାଲିଆସିଛି ବାତ୍ୟା ।

Advertisment

ଓଡ଼ିଶାର ବିଭିନ୍ନ ଜିଲ୍ଲା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ବର୍ଷର ଅଧିକାଂଶ ସମୟରେ ଏଠାରେ ଝଡ଼, ବାତ୍ୟାର ଭୟ ରହିଥାଏ । ତେବେ ବିଗତ ଦିନର ଇତିହାସକୁ ଦେଖିଲେ ଜଣାଯାଏ ଅଧିକାଂଶ ବାତ୍ୟା ଖରାଦିନେ ଲ୍ୟାଣ୍ଡଫଲ କରୁଛି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଯାଇଥିବା ବଙ୍ଗୋପସାଗର ସବୁ ସମୟରେ ରାଜ୍ୟବାସୀଙ୍କୁ ସତେ ଯେମିତି ଡରାଉଛି ବର୍ଷ ତମାମ ଡରାଇ ଚାଲିଛି ।

ଅଧିକ ପଢ଼ନ୍ତୁ--ଏହି ଦେଶରେ ନାହାନ୍ତି କେହି ଗରିବ ; ସମସ୍ତଙ୍କୁ ଧନୀ କରୁଛନ୍ତି ସରକାର

ପୂର୍ବରୁ ଅକ୍ଟୋବର ମାନେ ବାତ୍ୟାର ଜନ୍ମମାସ ବୋଲି ବୋଲାଉଥିଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ଅକ୍ଟୋବର ନୁହେଁ ମେ ମାସରେ ବି ଓଡ଼ିଶା ଦେଖିଛି ଅନେକ ପ୍ରଳଙ୍କାରୀ ବାତ୍ୟା । ଏଇ ଯେମିତି, ୨୦୧୯ ମେ ୨ରେ ବାତ୍ୟା ‘ଫନି’, ୨୦୨୦ ମେ’ ୨୦ରେ ବାତ୍ୟା ‘ଅମ୍ଫାନ’, ୨୦୨୧ ମେ’ ୨୬ରେ ବାତ୍ୟା ‘ୟସ’, ୨୦୨୨ ମେ’ ୭ରେ ବାତ୍ୟା ‘ଅସାନୀ’ ଓଡ଼ିଶାରେ ତାଣ୍ଡବ ରଚିଥିଲେ ।

ସେହିଭଳି ୨୦୧୩ ଅକ୍ଟୋବର ୧୩ରେରେ ବାତ୍ୟା ‘ଫାଇଲିନ’, ୨୦୧୪ ଅକ୍ଟୋବର ୧୨ରେ ବାତ୍ୟା ‘ହୁଡୁହୁଡୁ’, ୨୦୧୮ରେ ବାତ୍ୟା ‘ତିତଲି’, ୨୦୧୯ରେ ବାତ୍ୟା ‘ବୁଲବୁଲ’, ୨୦୨୧ ସେପ୍ଟେମ୍ବରରେ ବାତ୍ୟା ‘ଗୁଲାବ’ ଓ ଡିସେମ୍ବରରେ ‘ଜୱାଦ’ ଆଉ ୨୦୨୪ ଅକ୍ଟୋବର ୨୫ରେ ବାତ୍ୟା ‘ଦାନା’ ଦେଖାଇଥିଲା ନାଲିଆଖି । ଗ୍ଲୋବାଲ ୱାର୍ମିଂ କାରଣରୁ ଏଭଳି ଶକ୍ତିଶାଳୀ ବାତ୍ୟା ଆସୁଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।

ଏପଟେ ସମ୍ଭାବ୍ୟ ବାତ୍ୟା ମନ୍ଥା ପାଇଁ ଏବେ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭୀଷଣ ବାତ୍ୟା 'ମନ୍ଥା' ୨୮ତାରିଖ ସନ୍ଧ୍ୟା ବା ରାତି‌ରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କଳିଙ୍ଗପାଟନାମ ଏବଂ ମଛଲିପଟନମ ମଧ୍ୟରେ ଥିବା କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ ବା ସର୍ବାଧିକ ୧୧୦କିମି ରହିବାର ସମ୍ଭାବନା ରହିଛି । ଓଡ଼ିଶାରେ ସ୍ଥଳଭାଗ ନଛୁଇଁଲେ ବି ଅଧିକ ପରିମାଣରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।