କନକ ବ୍ୟୁରୋ: ବୃନ୍ଦାବନରେ ରହୁଥିବା ପ୍ରେମାନନ୍ଦ ମହାରାଜ ଜଣେ ଜଣାଶୁଣା ସନ୍ଥ ବା କଥାବାଚକ । ଆଉ ପ୍ରେମାନନ୍ଦ ମହାରାଜଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ସନ୍ଥଙ୍କ ପାଦ ଧୋଇଦେଉଛନ୍ତି ଏବଂ ଭାବୁକ ହୋଇ ତାଙ୍କ ସିଂହାସନରୁ ଓହ୍ଲାଇ ସେ ସାଧୁ ଜଣଙ୍କୁ ବସାଇ ପୂଜା ମଧ୍ୟ କରୁଛନ୍ତି । ଦୁଇ ମହାନ ସାଧୁଙ୍କ ଏହି ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଭାବବିହ୍ବଳ କରିଦେଇଛି ।

Advertisment

ଭାଇରାଲ ଭିଡିଓରେ ପ୍ରେମାନନ୍ଦ ମହାରାଜ ଯେଉଁ ବ୍ୟକ୍ତିଙ୍କ ପାଦ ଧୋଇଦେଉଛନ୍ତି ସେ ହେଉଛନ୍ତି ଗୁରୁ ଶରଣାନନ୍ଦ । ଗୁରୁ ଶରଣାନନ୍ଦ ହେଉଛନ୍ତି ରମଣରେତି ମହାବନର ମହାରାଜ । ସେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପାଇଁ କେଳି କୁଞ୍ଜ ଆଶ୍ରମ ଆସିଥିଲେ ଆଉ ଆଶ୍ରମରେ ଉପସ୍ଥିତ ଲୋକମାନେ ଦୁହିଁଙ୍କୁ ଦେଖି ଅଭିଭୂତ ହୋଇଗଲେ । ପ୍ରେମାନନ୍ଦ ମହାରାଜ ଶରଣାନନ୍ଦ ମହାରାଜଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ପ୍ରେମାନନ୍ଦ ମହାରାଜ ଗୁରୁ ଶରଣାନନ୍ଦ ମହାରାଜଙ୍କୁ ତାଙ୍କ ସିଂହାସନରେ ବସାଇ ବିନମ୍ରତା ସହିତ ତଳେ ବସିଥିଲେ ।

ଖାଲି ଏତିକି ନୁହେଁ ନିଜ ହାତରେ ଗୁରୁ ଶରଣାନନ୍ଦଙ୍କ ପାଦ ଧୋଇଥିଲେ ପ୍ରେମାନନ୍ଦ ମହାରାଜ । ଅତ୍ୟନ୍ତ ନମ୍ରତାର ସହ ଗୁରୁ ଶରଣାନନ୍ଦଙ୍କୁ ନିଜ ସିଂହାସନ ଅର୍ପଣ କରିବା ପରେ ପ୍ରେମାନନ୍ଦ ମହାରାଜ ତାଙ୍କ ପାଦ ପାଖରେ ବସି ଶରଣାନନ୍ଦଙ୍କ ଆଳତି ମଧ୍ୟ କରିଥିଲେ । ଏହାକୁ ଦେଖି ଆଶ୍ରମରେ ଉପସ୍ଥିତ ପ୍ରତ୍ୟେକ ଶିଷ୍ୟ ଭାବୁକ ହୋଇଗଲେ ଆଉ ସେମାନଙ୍କ ଆଖିରୁ ଧାର ଧାର ଲୁହ ଝରିଗଲା ।

ଦୁଇ ସାଧୁଙ୍କ ହୃଦୟସ୍ପର୍ଶୀ ସାକ୍ଷାତ ପରେ ଗୁରୁ ଶରଣାନନ୍ଦ ଆଶ୍ରମରେ ଉପସ୍ଥିତ ସମସ୍ତ ସନ୍ଥଙ୍କୁ ପ୍ରସାଦ ଭାବରେ କାଜୁ, କିସମିସ୍ ଏବଂ ବାଦାମ ମଧ୍ୟ ବାଣ୍ଟିଥିଲେ । ପ୍ରକୃତରେ, ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଖବର ପାଇ ଗୁରୁ ଶରଣାନନ୍ଦ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ କେଳିକୁଞ୍ଜ ଆଶ୍ରମକୁ ଆସିଥିଲେ । କୁହାଯାଏ ଯେ ପ୍ରଥମ ଥର ପାଇଁ ଅନ୍ୟ ଜଣେ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ସିଂହାସନ ବସିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦୁଇ ସନ୍ଥ ପରସ୍ପରକୁ ଭାବପ୍ରବଣ ଭାବରେ ଭେଟିବା ଏବଂ ଆଲିଙ୍ଗନ କରିବାର ବୟାନ କରୁଛି ଯେ ଗୁରୁ ଶରଣାନନ୍ଦ ପ୍ରେମାନନ୍ଦ ମହାରାଜଙ୍କ ଅତି ନିକଟତର । ବଡ଼କଥା ହେଉଛି ଯେ ଗୁରୁ ଶରଣାନନ୍ଦ ହେଉଛନ୍ତି ପ୍ରେମାନନ୍ଦ ମହାରାଜଙ୍କ ଆଧ୍ୟାତ୍ମିକ ଗୁରୁ ଏବଂ ସେ ପ୍ରାୟତଃ ତାଙ୍କ ସହିତ ସତସଙ୍ଗ ପରିଚାଳନା କରନ୍ତି ।