କନକ ବ୍ୟୁରୋ: ଦୁନିଆ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପିଶାଚ ପୁଅଙ୍କ ପାଶବିକ ଅତ୍ୟାଚାରର କଳା କାରନାମା । କେଉଁଠି ଧାନ ପାଇଁ ବାପାର ଜୀବନ ନେଲା ପୁଅ ତ କେଉଁଠି ଧନ ପାଇଁ ବାପାର ତଣ୍ଟିଚିପିବାକୁ ପଛାଇଲାନି ପୁଅ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ବରଗଡ଼ ଭେଡ଼େନ ଥାନା ଅନ୍ତର୍ଗତ ବକଟି ପଞ୍ଚାୟତର ଅପାମରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦେଶୀ ଧରୁଆଙ୍କୁ ବଡ଼ପୁଅ ବାବୁଲାଲ ଧରୁଆ, ବୋହୂ ଯଶୋବନ୍ତୀ ଧରୁଆ ଓ ନାତି ବଳରାମ ଧରୁଆ ମିଶି ହତ୍ୟା କରିବା ସହ ଶବକୁ ବଲାଙ୍ଗୀର ନେଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ମୃତ ବିଦେଶୀଙ୍କ ସାନପୁଅ ତେଜରାଜ ଧରୁଆଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ବଡ଼ପୁଅ ବାବୁଲାଲ ଫେରାର ହୋଇ ଯାଇଥିବା ବେଳେ ଯଶୋବନ୍ତୀ ଓ ତାଙ୍କ ପୁଅ ବଳରାମଙ୍କୁ ପୁଲିସ ଅଟକ ରଖିଛି । ମୃତ ବିଦେଶୀ ଧରୁଆଙ୍କ ଦୁଇପୁଅ ଓ ଗୋଟିଏ ଝିଅ ସେ ତାଙ୍କ ଜମିର ଧାନବିକ୍ରି ପଞ୍ଜୀକରଣ ନିମନ୍ତେ ସାନପୁଅ ସହ ଗତ ୨୫ ତାରିଖରେ ଭେଡ଼େନ ଆସିଥିଲେ । ଏ ବିଷୟରେ ଖବର ପାଇ ବଡ଼ପୁଅ ବାବୁଲାଲ ଓ ନାତି ବଳରାମ ସେଠାରେ ପହଞ୍ଚି ବଡ଼ପୁଅ ନାଁରେ ସମସ୍ତ ଜମିର ପଞ୍ଜୀକରଣ କରିବାକୁ କହି ଗଣ୍ଡଗୋଳ କରିଥିଲେ । ପରେ ବିଦେଶୀ ସେଠାରୁ ଫେରିଆସି ଏକ ଦୋକାନରେ ଅଟକି ଥିଲେ । ଏହି ସମୟରେ ବଡ଼ପୁଅ ବାବୁଲାଲ ସେଠାରେ ପହଞ୍ଚି ବାପା ବିଦେଶୀଙ୍କୁ ମାଡ଼ପିଟ କରିବାରୁ ସାନପୁଅ ତେଜରାଜ ଓ ତାଙ୍କ ଭଉଣୀ ଜ୍ବାଇଁ ବାରଣ କରିଥିଲେ । ପରେ ବିଳମ୍ବିତ ରାତିରେ ବିଦେଶୀ ଘରକୁ ଫେରୁଥିବା ସମୟରେ ବଡ଼ପୁଅ ଓ ନାତି ଦନ୍ତା ନଦୀ ବ୍ରିଜ ନିକଟରେ ପୁଣି ମାଡ଼ପିଟ୍ କରିଥିଲେ । ଏଥିସହ ଅପାମରା ଗାଁରେ ନିର୍ମାଣ କରିଥିବା ନୂଆ ଘରକୁ ନେଇଥିଲେ । ସେଠାରେ ପୁଅ, ବୋହୂ ଓ ନାତି ମିଶି ଏକ ଲୁହାରଡ୍ରେ ଆକ୍ରମଣ କରିବାରୁ ବିଦେଶୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ବିଦେଶୀଙ୍କ ମୃତ୍ୟୁ ହୋଇଥିବା ଜାଣି ଅଭିଯୁକ୍ତମାନେ ଶବକୁ ବାଇକ୍ରେ ବଲାଙ୍ଗୀରସ୍ଥିତ ହାଟପଦା ଶ୍ମଶାନକୁ ନେଇ ପୋଡ଼ି ଦେଇଥିଲେ । ପରେ ଅନ୍ୟ ଏକ ଗାଡ଼ିରେ ଗ୍ରାମକୁ ଫେରି ଆସିଥିଲେ । ସାନପୁଅ ତେଜରାଜ ବାରମ୍ବାର ଫୋନ କରିଥିଲେ ହେଁ ସେମାନେ ଉଠାଇ ନଥିଲେ । ପରେ ବାପାଙ୍କୁ ଘରେ ନ ଦେଖିବାରୁ ସାନପୁଅ ସନ୍ଦେହ କରି ଭେଡ଼େନ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ମାଜିଷ୍ଟ୍ରେଟ୍ ଆଲମ ନାୟକ, ସମ୍ବଲପୁର ସାଇଣ୍ଟିଫିକ୍ ଟିମ, ଭେଡେନ ଥାନା ଅଧିକାରୀ ସୁଶାନ୍ତ ଦାଶ ପ୍ରମୁଖ ଅପାମରା ଗାଁକୁ ଯାଇ ତଦନ୍ତ କରିଛନ୍ତି ।
ଠିକ୍ ସେହିପରି ଆଉ ଏକ ପିଶାଚ ପୁଅର ଜଘନ୍ୟକାଣ୍ଡ ରାଜଧାନୀ ଉପକଣ୍ଠ ବାଲିଅନ୍ତାରୁ ଆସିଛି । ବାପାଙ୍କ ତଣ୍ଟିରେ ଚଢ଼ିଯାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପାହାଳ ଥାନା ପୁଲିସ । ବାଲିଅନ୍ତା ହରିଦାସପୁରର ମିର୍ଜା ଅତହାର୍ ବେଗଙ୍କ ସାନପୁଅ ମିର୍ଜା ଇସ୍ଲାମ୍ ବେଗ୍ । ପୁଲିସ ସୂଚନାନୁସାରେ ପୂର୍ବରୁ ଏକ ମାମଲାରେ ମିର୍ଜା ଇସ୍ଲାମ୍କୁ ପୁଲିସ ଜେଲ୍ ପଠାଇଥିଲା । ପୁଅର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କ ପତ୍ନୀଙ୍କ ଆବେଦନକୁ ବିଚାର କରି କୋର୍ଟ ମିର୍ଜା ଇସ୍ଲାମ୍କୁ ଜାମିନ ଦେଇଥିଲେ । ଜାମିନରେ ଆସିବା ପରେ ସେ ଘରେ ଗଣ୍ଡଗୋଳ ଆରମ୍ଭ କରିଦେଲେ । ନିଜର ଆର୍ଥିକ ସମସ୍ୟାରୁ ମୁକୁଳିବା ଲାଗି ସେ ଏକ ଜମି ବିକ୍ରି କରିବା ଲାଗି ବାପା ମିର୍ଜା ଅତହାରଙ୍କ ଉପରେ ଚାପ ପକାଇବାରୁ ବିବାଦ ଲାଗି ରହିଥିଲା । ଜମି ବିକିବା ପାଇଁ ପରିବାର ଲୋକେ ରାଜି ହୋଇନଥିଲେ । ପରିବାର ଲୋକେ ପ୍ରତିବାଦ କରିବାରୁ ସେ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାପାଙ୍କୁ ଆକ୍ରମଣ କରିଥିଲା । ବାପା ତଳେ ପଡ଼ିଯିବାରୁ ସେ ନିର୍ଦ୍ଦୟ ଭାବେ ତାଙ୍କ ବେକ ଉପରେ ଚଢ଼ି ଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ପରିବାର ଲୋକେ ଉଦ୍ୟମ କରିବାରୁ କ୍ରୋଧରେ ଅନ୍ଧ ହୋଇଯାଇଥବା ମିର୍ଜା ଇସ୍ଲାମ୍ ଏକ ବଡ଼ କଇଁଚି ଧରି ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । କେବଳ ସେତିକି ନୁହେଁ, ଏନେଇ କେହି ପୁଲିସକୁ ଜଣାଇଲେ ଓ ଜମି ବିକି ତୁରନ୍ତ ଟଙ୍କା ନଦେଲେ, ସେ ଗୋଟି ଗୋଟି କରି ହତ୍ୟା କରିବ ବୋଲି ଧମକ ଦେଲା । ପୂର୍ବରୁ ତା' ନାଁରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି ବୋଲି ପୁଲିସ ସୂଚନା ଦେଇଛି ।