କନକ ବ୍ୟୁରୋ : ଆଜି ଆସନ୍ତୁ ନ୍ୟୁଜ୍ ଦୁନିଆରୁ ବାହାରି ଟିକେ ଇତିହାସ ପୃଷ୍ଠାକୁ ଲେଉଟାଇବା । କିଛି ରୋଚକ, ଆଉ କିଛି ଆଶ୍ଚର୍ଯ୍ୟ କଲା ଭଳି କଥା ଜାଣିବା । ଜାତୀୟ ପିତା ମହାତ୍ମା ଗାନ୍ଧୀ, ଦେଶକୁ ସ୍ୱାଧୀନ କରିବାରେ ତାଙ୍କର ଅବଦାନ ଅନେକ । ତାଙ୍କ ବିସୟରେ କଣ ବା କହିବି ସବୁକିଛି ତ ଇତିହାସ ପୃଷ୍ଠାରେ ବର୍ଣ୍ଣନା ହୋଇଛି । କିନ୍ତୁ ତାଙ୍କ ବିସୟରେ ଏପରି କିଛି କଥା ରହିଛି ଯାହା ଇତିହାସ ପୃଷ୍ଠାରେ ବର୍ଣ୍ଣନା ହୋଇପାରିନି । ଆପଣ କେବେ ଭାବିଛନ୍ତି ମହାତ୍ମାଗାନ୍ଧୀ ପିନ୍ଧୁଥିବା ଚଷମା କେଉଁଠି ଅଛି? କେତେ ଟଙ୍କାରେ ତାଙ୍କର ଚଷମା ନିଲାମ ହୋଇଛି? 

Advertisment

ମହାତ୍ମା ଗାନ୍ଧୀ ୧୯୨୦ରୁ ଚଷମା ପିନ୍ଧା ଆରମ୍ଭ କରିଥିଲେ । ଏହି ଚଷମା ସୁନାରେ ଛାଉଣି ହୋଇଥିଲା । ବିଂଶ ଶତାବ୍ଦିର ଏହି ଚଷମା ୨୦୨୦ ମହିହାରେ ଅଗଷ୍ଟ ମାସରେ ନିଲାମ ହୋଇଛି । ଏବେ ଭାବୁଥିବେ ଏତେ ବର୍ଷ ହେବ ଏହି ଚଷମା କାହା ପାଖରେ ଥିଲା ଏବଂ ୨୦୨୦ କାହିଁକି ତା’ ପୂର୍ବରୁ ବି ନିଲାମ ହୋଇପାରିଥାନ୍ତା । 
ଆମେରିକାର ଏକ ନିଲାମୀ ଏଜେନ୍ସି ଇଷ୍ଟ ବ୍ରିଷ୍ଟଲ ଅକ୍ସନ୍ସ ମହାତ୍ମା ଗାନ୍ଧୀଙ୍କ ଚଷମାକୁ ନିଲାମ କରିଥିଲେ । କିନ୍ତୁ ଏହି ଚଷମା ପୂର୍ବରୁ ଏହି ଏଜେନ୍ସି ପାଖରେ ନଥିଲା । କମ୍ପାନୀର କହିବା ଅନୁସାରେ, ତାଙ୍କୁ ଏକ ସାଧା ଲଫାପାରେ ଏହି ଚଷମା ମିଳିଥିଲା । ଆଉ ଲଫାପା ଭିତରେ ଥିଲେ ଏକ ଚିଠି । ସେଥିରେ ଲେଖାଥିଲା ‘ଏହି ଚଷମା ମହାତ୍ମା ଗାନ୍ଧୀଙ୍କର’ । ଅଧିକ ଜାଣିବା ପାଇଁ ମତେ ଫୋନ୍ କରନ୍ତୁ... । ଏଜେନ୍ସିର ଜଣେ ବ୍ୟକ୍ତି ଦିଆଯାଇଥିବା ନମ୍ବରରେ କଲ୍ କଲେ । ଜଣେ ବୟସ୍କ ବ୍ୟକ୍ତି ଫୋନ୍ ଉଠାଇଲେ । ଆଉ ଆଶ୍ଚର୍ଯ୍ୟ କଲା ଭଳି କଥା କହିଲେ । 

୧୯୨୦ରେ ତାଙ୍କ ଦାଦା ଦକ୍ଷିଣ ଆଫ୍ରିକା ଯାଇଥିଲେ । ସେଠାରେ ତାଙ୍କର ସାକ୍ଷାତ ମହାତ୍ମା ଗାନ୍ଧୀଙ୍କ ସହ ହୋଇଥିଲା । ସେତେବେଳେ ମହାତ୍ମାଗାନ୍ଧୀ ଏହି ଚଷମାକୁ ତାଙ୍କ ଦାଦାଙ୍କୁ ଦେଇଥିଲେ । ଗାନ୍ଧୀଜୀ ଏହି ଚଷମା ତାଙ୍କ ଦାଦାଙ୍କୁ ଉପହାରରେ ଦେଇ ଧନ୍ୟବାଦ ଜଣାଇଥିଲେ । ତାଙ୍କ ପାଖରେ ଏହି ଚଷମା ଦୀର୍ଘ ୪୦ ବର୍ଷ ରହିଥିଲା । ପରେ ଗୋଟିଏ ପୀଢିରୁ ଆଉ ଏକ ପୀଢିକୁ ଏହି ଚଷମା ଆସିଥିଲା । ତେବେ ଯେଉଁ ବ୍ୟକ୍ତି ଏହି ଚଷମାକୁ ବିକ୍ରି କରିଛନ୍ତି ତାଙ୍କୁ ତାଙ୍କ ଦାଦାଙ୍କ ବିଷୟରେ ବେଶୀ କିଛି ଜଣାନାହିଁ । ତେଣୁ ଇତିହାସ ଅସ୍ପଷ୍ଟ ହୋଇ ରହିଯାଇଛି । 

ତେବେ ଏହି ଚଷମା ଗାନ୍ଧୀଜୀ ଆରମ୍ଭରୁ ପିନ୍ଧୁଥିଲେ ବୋଲି ଅନୁମାନ କରାଯାଉଛି । କାରଣ ଏଥିରେ ଲାଗିଥିବା ଲେନ୍ସ କୌଣସି ଯୁବକଙ୍କ ଆଖି ପାୱାର ସହ ମିଶୁଛି । ଏବେ ପ୍ରଶ୍ନ ଉଠୁଛି, ଏହି ଚଷମା ମହାତ୍ମା ଗାନ୍ଧୀଙ୍କର ବୋଲି କେମିତି ବିଶ୍ୱାସ କରିବା? ଏହାର ସମାଧାନ ବି ଏଜେନ୍ସି ଖୋଜି ବାହାର କରିଛି । ଚଷମାର ମଡେଲକୁ ନେଇ ଯାଞ୍ଚ କରିବା ପରେ ତାରିଖି ଏବଂ କିଣାଯାଇଥିବା ସ୍ଥାନ ଜଣାପଡିଥିଲା । କେବଳ ଏତିକି ନୁହେଁ ମ୍ୟୁଜିୟମରେ ଥିବା ମହାତ୍ମା ଗାନ୍ଧୀଙ୍କ ଆଉ ଏକ ଚଷମା ସହ ଏହି ଚଷମାକୁ ପରଖିଥିଲା ଏଜେନ୍ସି । ପରେ ଏହି ଚଷମାକୁ ନିଲାମ ଡାକିଥିଲା କମ୍ପାନୀ । ୧୦ରୁ ୧୫ ହଜାର ପାଉଣ୍ଡର ମୂଲ୍ୟ ରଖିଥିଲା କମ୍ପାନୀ । କିନ୍ତୁ ଏହା ବେଶ ଅଧିକରେ ବିକ୍ରି ହୋଇଥିଲା । ୨୬୦.୦୦୦ ପାଉଣ୍ଡରେ ଚଷମା ବିକ୍ରି ହୋଇଥିଲା । ଭାରତୀୟ ମୁଦ୍ରାରେ ୨କୋଟି ୫୫ ଲକ୍ଷରେ ବିକ୍ରି ହୋଇଥିଲା ମହାତ୍ମା ଗାନ୍ଧୀଙ୍କ ଚଷମା । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ, ଏହି ଚଷମା ଜଣେ ଆମେରିକା ନାଗରିକ କିଣିଛନ୍ତି