କନକ ବ୍ୟୁରୋ : ଆମେରିକା ଏବଂ ଭାରତର ଟ୍ରେଡ୍ ଡିଲ୍ ଏବେ ଚର୍ଚ୍ଚାରେ ରହିଛି । ଆମେରିକା ଭାରତର ଦୁଗ୍ଧଜାତୀୟ ପ୍ରଡକ୍ଟର ଉଦ୍ୟୋଗରେ ଏଣ୍ଟ୍ରି ପାଇବାକୁ ଇଚ୍ଛା ରଖିଛି କିନ୍ତୁ ଭାରତ ପକ୍ଷରୁ ସବୁଜ ସଂକେତ ମିଳିପାରୁନାହିଁ । ଯାହାର କାରଣ ହେଉଛି ‘ନନଭେଜ୍ କ୍ଷୀର’ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଡିଲ୍ ମାଧ୍ୟମରେ ଭାରତକୁ ବାର୍ଷିକ ୨୦୩୦ ପର୍ଯ୍ୟନ୍ତ ୫୦୦ ଅରବ ଡଲାରର ଲାଭ ହେବ । କିନ୍ତୁ ଭାରତ ସଫା ସଫା କରି କହିଛି କି ନାଗରିକ ସୁରକ୍ଷା ସହ ଦେଶ କୌଣସି ଉପାୟରେ ସାଲିସ୍ କରିପାରିବ ନାହିଁ । ଅଧିକାଂଶ ଭାରତୀୟ ଶାକାହାରୀ ଭୋଜନକୁ ପ୍ରାଧାନ୍ୟ ଦିଅନ୍ତି । ଯେଉଁଥିପାଇଁ ନନଭେଜ୍ କ୍ଷୀର ଉପରେ ଆଙ୍ଗୁଠି ଉଠିବା ସ୍ବାଭାବିକ । ତେବେ କ’ଣ ଏହି ନନଭେଜ୍ କ୍ଷୀର ଏବଂ ଏହା କେତେ ମାଂସାହାରୀ? କେତେ ଦେଶରେ ଏହି କ୍ଷୀରର ବ୍ୟବହାର କରାଯାଏ ଏବଂ ଏହାର କେତେ ଲାଭ ଓ କ୍ଷତି ରହିଛି ?
/filters:format(webp)/kanak/media/media_files/2025/07/17/us-cow-milk-2025-07-17-22-08-31.jpg)
ମାଂସାହାରୀ କ୍ଷୀର କ’ଣ?
ଯେଉଁ ଗାଈ ଏବଂ ଦୁଗ୍ଧ ଦେଉଥିବା ପଶୁମାନଙ୍କୁ ମାଂସ କିମ୍ବା ରକ୍ତ ଖାଦ୍ୟ ରୂପେ ଦିଆଯାଏ, ସେମାନଙ୍କଠାରୁ ମିଳୁଥିବା କ୍ଷୀରକୁ ମାଂସାହାରୀ କ୍ଷୀର କୁହାଯାଏ । ଗାଈମାନଙ୍କର ଓଜନ ବଢ଼ାଇବା ପାଇଁ ମାଂସାହାରୀ ଖାଦ୍ୟ ଦିଆଯାଏ । ଏଥିପାଇଁ ସେମାନଙ୍କୁ ଘୁଷୁରୀ, କୁକୁଡ଼ା, ମାଛ, ଘୋଡ଼ା, ବିଲେଇ ଏବଂ କୁକୁରର ମାଂସ ଖାଇବାକୁ ଦିଆଯାଏ । ବିବିସିର ରିପୋର୍ଟ ଅନୁସାରେ, ଦୁଗ୍ଧ ଦେଉଥିବା ପଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ବ୍ଲଡ୍ ମିଲ୍ (Blood Meal) ବ୍ୟବହାର କରାଯାଏ । ପଶୁମାନଙ୍କର ମୃତ୍ୟୁ ପରେ ସେମାନଙ୍କ ରକ୍ତକୁ ଶୁଖାଯାଏ ଏବଂ ଏହାଦ୍ୱାରା ଏକ ବିଶେଷ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହାକୁ ବ୍ଲଡ୍ ମିଲ୍ କୁହାଯାଏ । ଦାବି ମଧ୍ୟ କରାଯାଏ ଯେ ବ୍ଲଡ୍ ମିଲ୍ ଯୋଗୁଁ କ୍ଷୀର ଦେଉଥିବା ପଶୁମାନେ ସୁସ୍ଥ ରହିବା ସହିତ ଅଧିକ କ୍ଷୀର ମଧ୍ୟ ଦିଅନ୍ତି । ବ୍ଲଡ୍ ମିଲକୁ ଲାଇସିନର ଏକ ବଡ଼ ସ୍ରୋତ କୁହାଯାଏ ।
ନନ୍ଭେଜ୍ ଦୁଗ୍ଧର ଉପକାରିତା ଓ ଅପକାର :
ନନଭେଜ୍ ଦୁଗ୍ଧରେ ପଶୁମାନଙ୍କଠାରୁ ଆସିଥିବା ଉପାଦାନ ରହିଥାଏ ଯେମିତିକି ଜେଲାଟିନ୍, କୋଲେଜନ୍ ଏବଂ ଫିସ୍ ଅଏଲ୍ । ଯେଉଁ ଦେଶମାନଙ୍କରେ ଅଧିକ ଉଚ୍ଚ ପ୍ରୋଟିନ୍ ଡାଏଟ୍ର ପ୍ରଚଳନ ଅଛି ସେହି ଦେଶ ନନ୍ଭେଜ୍ ଦୁଗ୍ଧକୁ ଅଧିକ ପସନ୍ଦ କରେ । ଯେଉଁଠାରେ ୱାର୍କଆଉଟ୍ ଉପରେ ଅଧିକ ଫୋକସ୍ କରାଯାଏ ଏବଂ ଶାକାହାର କିମ୍ବା ମାଂସାହାର ଭଳି ବାଧ୍ୟତା ନଥାଏ । ଏହାକୁ ଆଣ୍ଟି-ଏଜିଙ୍ଗ୍ ଏବଂ ଫୋର୍ଟିଫାଏଡ୍ ମିଲ୍କ ଭାବରେ ମଧ୍ୟ ନିଆଯାଏ । ଏହାର ଉପକାରିତା ଏବଂ ଅସୁବିଧା ଉଭୟ ରହିଛି ।
କୋଲେଜନ୍, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଥିବା କାରଣରୁ ଏହା ହାଡ଼ ଏବଂ ମାଂସପେଶୀକୁ ମଜଭୁତ କରିଥାଏ । ଫିସ୍ ଅଏଲ୍ ଏବଂ ଓମେଗା-ଥ୍ରୀ ଦୁଗ୍ଧ ମସ୍ତିଷ୍କ ଏବଂ ହୃଦୟର ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ଚର୍ମ ଏବଂ କେଶ ପାଇଁ ମଧ୍ୟ ଖୁବ୍ ଉପକାରୀ । ଏହା ବ୍ୟତୀତ ଭିଟାମିନ୍ ଡି୩ ଭଳି ଉପାଦାନ ରୋଗ ସହିତ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର କାମ କରିଥାଏ । ତେବେ ଏଥିରେ କିଛି ଅପକାର ମଧ୍ୟ ରହିଛି । ପଶୁରୁ ବାହାରିଥିବା ଉପାଦାନ ଥିବା କାରଣରୁ ଏହା ଆଲର୍ଜି କରିପାରେ । ଏହା କୋଲେଜନ୍ କିମ୍ବା ଉଚ୍ଚ ପ୍ରୋଟିନ୍ ହଜମ ହେବାରେ ଅସୁବିଧା ସୃଷ୍ଟି କରିପାରେ । ତେଣୁ ବିଶେଷଜ୍ଞମାନେ ଏହାକୁ ପିଇବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବାକୁ ଜରୁରୀ ବୋଲି କହିଛନ୍ତି ।
ନନ୍-ଭେଜ୍ ଦୁଗ୍ଧ ପାଇଁ ଆମେରିକାର ନଜର ଭାରତ ଉପରେ କାହିଁକି ?
ଭାରତରେ ଅଧିକାଂଶ ଯୁବକ ଫିଟନେସ୍ ପ୍ରେମରେ ପାଗଳ । ଫିଟନେସ୍, ବଡିବିଲ୍ଡିଂ, ବ୍ୟୁଟି ଏବଂ ସ୍ପୋର୍ଟ୍ସରେ ସପ୍ଲିମେଣ୍ଟ ମିଲ୍କର ଚାହିଦା ବଢ଼ୁଛି । ଆମେରିକା କଥା ଯଦି କହିବା ଦୁଗ୍ଧ ରପ୍ତାନି କରିବାରେ ଏହି ଦେଶ ସବୁଠୁ ଆଗରେ । ଏଭଳି ପରିସ୍ଥିତିରେ ଭାରତରେ ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦ ବିକ୍ରି କରିବା ନିଜ ପାଇଁ ଏକ ନୂଆ ବଜାର ସୃଷ୍ଟି କରିବା ସହିତ ସମାନ । ଆମେରିକାରେ ପୂର୍ବରୁ ହିଁ ଦୁଗ୍ଧ ଉତ୍ପାଦନକାରୀ ପ୍ରୋସେସିଂ ଏବଂ ସପ୍ଲିମେଣ୍ଟ ଇଣ୍ଡଷ୍ଟ୍ରି ବହୁତ ଆଡଭାନ୍ସ ସ୍ତରରେ ରହିଛି । ଆମେରିକା ଏହାର ଫାଇଦା ଉଠାଇ ଭାରତରେ ନିଜର ବ୍ୟବସାୟର ପରିସର ବଢ଼ାଇବାକୁ ଚାହୁଛି ।