କନକ ବ୍ୟୁରୋ: ପ୍ଲାଷ୍ଟିକ୍ । ଏ ଶବ୍ଦ ଯେମିତି ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ିହୋଇଯାଇଛି । ସକାଳୁ ରାତି ଯାଏଁ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜିନିଷରେ ପ୍ଲାଷ୍ଟିକ ରହୁଛି । ସତେ ଯେମିତି ପ୍ଲାଷ୍ଟିକ ବିନା ଆମ ସମସ୍ତ କାମ ଅଧୁରା । ସକାଳ ଦାନ୍ତ ଘଷିବାର ବ୍ରଶ୍ ହେଉ କି ପାଣି ବୋତଲ, ସବୁ ପ୍ଲାଷ୍ଟିକ୍ । ଏସବୁ ସିନା ଦୃଶ୍ୟମାନ, କିନ୍ତୁ ଆମ ଅଜାଣତରେ ଆମ ଚାରିପଟେ ଘୂରିବୁଲୁଛି ମାଇକ୍ରୋପ୍ଲାଷ୍ଟିକ୍ । ପ୍ଲାଷ୍ଟିକ କଥା ତ ସଭିଁଏ ଜାଣିଛନ୍ତି । କିନ୍ତୁ ମାଇକ୍ରୋପ୍ଲାଷ୍ଟିକ କହିଲେ ମନରେ ଆସୁଛି ଅନେକ ପ୍ରଶ୍ନ । ତେବେ ଚାଲନ୍ତୁ ଜାଣିବା କ’ଣ ଏହି ମାଇକ୍ରୋପ୍ଲାଷ୍ଟିକ ।
ମାଇକ୍ରୋପ୍ଲାଷ୍ଟିକ । ସରଳ ଭାଷାରେ ପ୍ଲାଷ୍ଟିକ କଣିକା । ଏହାର ଆକାର ୫ ମିଲିମିଟରଠୁ ବି କମ୍ । ପ୍ଲାଷ୍ଟିକ୍ ପରି ଏଗୁଡ଼ିକ ଅକ୍ଷୟ । ସାଧାରଣତଃ ୨ଟି ଉପାୟରେ ଏଗୁଡ଼ିକ ପରିବେଶରେ ଉପସ୍ଥିତି ଜାହିର କରେ । ପ୍ରଥମଟି, ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରାଯାଇଥାଏ । ଖାସ୍ କରି କିଛି କମ୍ପାନି ଦ୍ୱାରା, ଫେସ୍ ୱାସ୍, ସ୍କ୍ରବ୍ ପରି କସ୍ମେଟିକ୍ ଜିନିଷ, ଟୁଥ୍ପେଷ୍ଟରେ ବହୁଳ ଭାବେ ବ୍ୟବହାର କରାଯାଏ । ଅନ୍ୟଟି, ବଡ଼ ବଡ଼ ପ୍ଲାଷ୍ଟିକ୍ ଖଣ୍ଡଗୁଡ଼ିକ କ୍ଷୟ ହୋଇନପାରି ଧୀରେଧୀରେ ଭାଙ୍ଗି ମାଇକ୍ରୋପ୍ଲାଷ୍ଟିକ୍ରେ ପରିଣତ ହୋଇଥାଏ ।
ଏହି ପ୍ଲାଷ୍ଟିକ କଣିକା ଗୁଡ଼ିକ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ଜାଣି ଆଶ୍ଚର୍ଯ୍ୟ ହେବେ ଯାନବାହନ ଓ କଳ କାରଖାନାରୁ ବାହାରୁଥିବା ଧୂଆଁ କେବଳ ବାୟୁକୁ ପ୍ରଦୂଷିତ କରିନଥାଏ । ମାଇକ୍ରୋପ୍ଲାଷ୍ଟିକ୍ ବି ବାୟୁ ପାଇଁ ବଡ଼ ବିପଦ ସୃଷ୍ଟି କରିଥାଏ । ତଥ୍ୟ ଅନୁସାରେ, କେବଳ ଗାଡ଼ି ଟାୟାର ଘର୍ଷଣରୁ ନିର୍ଗତ ପ୍ଲାଷ୍ଟିକ୍ କଣିକା ବାୟୁରେ ୩ରୁ ୭% ପ୍ରଦୂଷଣ ସୃଷ୍ଟି କରେ । ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ବୋତଲରେ ଯେ କେବଳ ପ୍ଲାଷ୍ଟିକ ରହିଛି ତାହା ଆମର ଭୁଲ୍ ଧାରଣା । ଆଲୁମିନିୟମ୍ କ୍ୟାନ୍ରେ ପତଳା ପ୍ଲାଷ୍ଟିକ୍ ଆସ୍ତରଣ ଦିଆଯାଉଛି । କାଗଜ କପ୍ର ବ୍ୟବହାର ପରିବେଶ ପାଇଁ ଭଲ ବୋଲି ଭାବୁଛେ । ହେଲେ କାଗଜ କପ୍କୁ ଲିକ୍-ପ୍ରୁଫ୍ କରିବା ପାଇଁ ପତଳା ପ୍ଲାଷ୍ଟିକ୍ ଆସ୍ତରଣ ଦିଆଯାଏ ।
ଆଉ ଏଗୁଡ଼ିକ ମାଟିରେ ମିଶିନପାରି ମାଇକ୍ରୋପ୍ଲାଷ୍ଟିକ୍ରେ ପରିଣତ ହେଉଛି । ସେମିତି ଆକ୍ରିଲିକ୍, ପଲିଷ୍ଟର୍, ନାଇଲନ୍ ଭଳି କୁତ୍ରିମ ପ୍ଲାଷ୍ଟିକ୍ ତନ୍ତୁଯୁକ୍ତ ପୋଷାକକୁ ସଫା କରିବା ସମୟରେ ପ୍ଲାଷ୍ଟିକ୍ କଣିକା ବାହାରୁଛି । ଯାହା ପାଣିରେ ଦ୍ରବୀଭୂତ ହୋଇ ନଦୀ, ନାଳ ଓ ସମୁଦ୍ରରେ ମିଶୁଛି । ଯାହା ସମୁଦ୍ର ଏବଂ ସେଥିରେ ଥିବା ଜୀବଜନ୍ତୁଙ୍କ ପାଇଁ ଅଭିଶାପ ପାଲଟିଛି । ସମୁଦ୍ରରେ ପ୍ଲାଷ୍ଟିକ ଆବର୍ଜନା ନିରନ୍ତର ବୃଦ୍ଧି ପାଇ ସମୟକ୍ରମେ ଏହା ଛୋଟ ଛୋଟ କଣିକାରେ ପରିଣତ ହୋଇ ସାମୁଦ୍ରିକ ଜୀବଜନ୍ତୁଙ୍କ ଶରୀରକୁ ପ୍ରବେଶ କରୁଛି । ଯାହା ସମୁଦ୍ରକୁ ପ୍ରଦୂଷିତ କରିବା ସହ ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି ।
ଆମ ଅଜାଣତରେ ମାଇକ୍ରୋପ୍ଲାଷ୍ଟିକ ଜଳ, ବାୟୁ ଓ ଖାଦ୍ୟ ମାଧ୍ୟମରେ ଶରୀରକୁ ପ୍ରବେଶ କରୁଛି । ମଣିଷ ଶରୀରରେ ଜମା ହୋଇ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଅନ୍ୟ ଜୀବଜନ୍ତୁ ମଧ୍ୟ ଏଥିରୁ ବର୍ତ୍ତି ନପାରନ୍ତି ।
ମଧୁମେହ, କ୍ୟାନ୍ସର, ନ୍ୟୁରୋଜିକାଲ୍ ଡିସଅର୍ଡର ଭଳି ଗମ୍ଭୀର ରୋଗ ସୃଷ୍ଟି କରୁଛି
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମାଉଛି
ଏକ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଡିମ୍ବାଶୟରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି
ମଣିଷ ମସ୍ତିଷ୍କ ଓ ରକ୍ତରେ ମଧ୍ୟ ରହିଛି ମାଇକ୍ରୋପ୍ଲାଷ୍ଟିକ୍
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରିସର୍ଚ୍ଚ ଅନୁଯାୟୀ, ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଆଣ୍ଟାର୍କଟିକାର ବରଫରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ୍ ଚିହ୍ନଟ କରିଛନ୍ତି । ଏହା ବରଫ ଖଣ୍ଡରେ ପ୍ଲାଷ୍ଟିକ୍ର ଉପସ୍ଥିତି ସାଂଘାତିକ ସମସ୍ୟା ସୃଷ୍ଟି କରିପାରେ । ସୂର୍ଯ୍ୟକିରଣ ପ୍ରତିଫଳିତ କରିବାର କ୍ଷମତା ହ୍ରାସ କରି ଆଣ୍ଟାର୍କଟିକା ବରଫ ଖଣ୍ଡକୁ ଶୀଘ୍ର ତରଳ କରିବାରେ ସାହାଯ୍ୟ କରିଥାଏ । ଯାହାକି ପ୍ରମାଣ କରୁଛି, ସାରାବିଶ୍ୱ ଏବେ ପ୍ଲାଷ୍ଟିକ୍ ପ୍ରଦୂଷଣ କବଳରେ ।