କନକ ବ୍ୟୁରୋ: ବିହାର ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ତୁମ୍ଭିତୋଫାନ ସେତିକି ବଢ଼ୁଛି । ଆଉ ବିହାର ବ୍ୟାଟେଲରେ ଇଣ୍ଡି ମେଣ୍ଟ ପାଇଁ କଣ୍ଟା ସାଜିଛନ୍ତି ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ନିକଟରେ ବହାର ମୈଦାନରେ ନିଜକୁ ନିଜେ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ତେଜସ୍ବୀ ଯାଦବ ମହାମେଣ୍ଟକୁ କଡ଼ା ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଗୁଆ ଘୋଷଣା ନ ହେଲେ ନିର୍ବାଚନ ନ ଲଢ଼ିବା ପାଇଁ ତେଜସ୍ବୀଙ୍କ ଚେତାବନୀ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।
ବିହାର ବୈଶାଳୀରେ ଏକ କାର୍ଯ୍ୟକ୍ରମରେ ତେଜସ୍ବୀ କହିଛନ୍ତି, ‘ଆମେ ବିଜେପି ଭଳି ବିନା ଚେହେରାରେ ନିର୍ବାଚନ ଲଢ଼ିବା ପ୍ରଶ୍ନ ଉଠୁନାହିଁ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିନା ଆମେ ନିର୍ବାଚନରେ ଲଢ଼ିବୁ ନାହିଁ ବୋଲି ଆଗୁଆ ସ୍ପଷ୍ଟ କରୁଛୁ ଏବଂ ସେହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବୁ ।’ ରାହୁଲ ଗାନ୍ଧୀଙ୍କୁ ଇଣ୍ଡି ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଭାବେ ତେଜସ୍ଵୀ ବିଭିନ୍ନ ସମୟରେ ସମର୍ଥନ କରି ଆସିଥିବାରୁ ଏବେ ବିହାର ନିର୍ବାଚନ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସେ ସର୍ତ୍ତ ରଖିଛନ୍ତି । ଯାହା ଏବେ ବିହାର ଲଢ଼େଇ ପୂର୍ବରୁ ଇଣ୍ଡି ମେଣ୍ଟର ମୁଣ୍ଡ ବିନ୍ଧା କରିଛି ।
ରାହୁଲଙ୍କ ଭୋଟର ଅଧିକାର ଯାତ୍ରା ଇତିମଧ୍ୟରେ ୩୮ଟି ଜିଲ୍ଲାରେ ୩,୫୦୦ କିଲୋମିଟର ଅତିକ୍ରମ କରି ବେକାରୀ, ଶ୍ରମିକଙ୍କ ପଳାୟନ ପ୍ରସଙ୍ଗ, ମୂଲ୍ୟବୃଦ୍ଧି, ଦୁର୍ନୀତି ଓ ଆଇନଶୃଙ୍ଖଳା ସମସ୍ୟାକୁ ଉତ୍ଥାପନ କରିଛି । ତେଜସ୍ବୀଙ୍କ ସର୍ତ୍ତ ଏବେ ମହାମେଣ୍ଟ ଉପରେ ଚାପ ସୃଷ୍ଟି କରିଥିବା ବେଳେ କଂଗ୍ରେସ ନେତା କ୍ରିଷ୍ଣା ଆଲାଭାରୁ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ କିଏ ହେବେ, ସେହି ନିଷ୍ପତ୍ତି ବିହାରର ଜନସାଧାରଣ ନେବେ । ସିପିଆଇ(ଏମ୍ଏଲ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ମେଣ୍ଟର ବିଜୟ ପରେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ନିଷ୍ପତ୍ତି ନେବାକୁ ସମର୍ଥନ କରିଛନ୍ତି ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ପୂର୍ବଥର ଭଳି ମଧ୍ୟ ଏ ବିଷୟରେ ମୁହଁ ଖୋଲି ନାହାନ୍ତି । ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟର ଆସନ ବଣ୍ଟନ ଓ ନେତୃତ୍ବ ନେଇ ଯେଉଁ ବିବାଦ ଦେଖାଦେଇଛି ତାହାର ଜରୁରୀ ସମାଧାନ ପାଇଁ ମେଣ୍ଟର ବରିଷ୍ଠ ନେତାମାନେ ମତ ରଖିଛନ୍ତି ।
Follow Us