କନକ ବ୍ୟୁରୋ: ଉତ୍ତରକାଶୀର ଧରାଲି ଓ ହର୍ଷିଲ ଅଞ୍ଚଳରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ସମୟରେ ସରକାରଙ୍କ ରିଲିଫ ପ୍ରଦାନ ଲୋକଙ୍କ ପାଇଁ କୌଣସି ଆଶ୍ବସ୍ତି ଆଣିପାରି ନାହିଁ । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୫୦୦୦ ଟଙ୍କାର ଚେକ୍ ନେବାକୁ ସ୍ଥାନୀୟ ବାସିନ୍ଦା ମନା କରିଦେଇଛନ୍ତି । ସରକାର ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରି ମାତ୍ର ୫ ହଜାର ଟଙ୍କା ଦେବା ସେମାନଙ୍କ ପାଇଁ ଅପମାନଜନକ ବୋଲି ପ୍ରତିବାଦ ବେଳେ ଜଣେ ଗ୍ରାମବାସୀ କହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ ଏତିକି ପରିମାଣ ସହାୟତା ରାଶି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହି ଲୋକମାନେ ପ୍ରତିବାଦ କରିଥିଲେ ।
ଉତ୍ତରକାଶୀ ଡିଏମ୍ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି, କେବଳ ମଧ୍ୟବର୍ତ୍ତୀକାଳୀନ ସହାୟତା ଭାବେ ଏହି ରାଶି ପ୍ରଦାନ କରାଯାଉଛି । କ୍ଷୟକ୍ଷତି ସମ୍ପୂର୍ଣ୍ଣ ଆକଳନ ପରେ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ସେହି ଅନୁଯାୟୀ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ବିପର୍ଯ୍ୟୟ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଶନିବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଥିଲେ । ଏହାସହିତ ଯେଉଁମାନଙ୍କର ଏଥିରେ ମୃତ୍ୟୁ ଘଟିଛି ସେମାନଙ୍କ ପାଇଁ ମଧ୍ୟ ସମାନ ସହାୟତା ରାଶି ଘୋଷଣା କରାଯାଇଥିଲା । ରାଜସ୍ବ ସଚିବଙ୍କ ନେତୃତ୍ବରେ ଏକ ତିନିଜଣିଆ କମିଟି ଗଠନ କରାଯାଇ ପୁନର୍ବାସ ଏବଂ ଜୀବନଜୀବକା ଯୋଜନା କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ ।
ଅନ୍ୟପକ୍ଷରେ ଶନିବାର ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉପାନ୍ତ ଅଞ୍ଚଳର ଫସି ରହିଥିବା ଲୋକଙ୍କୁ ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯାଇଛି । ଏପର୍ଯ୍ୟନ୍ତ ୧୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ତଲାସୀ କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ, ଉତ୍ତରାକାଶୀ ବନ୍ୟାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୯ ଜଣ ନିଖୋଜ ଅଛନ୍ତି ।