war Photograph: (kanak news)
କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଏବେ ଆହୁରି ଭୟଙ୍କର ରୂପ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଇରାନକୁ 'ସର୍ତ୍ତହୀନ ଆତ୍ମସମର୍ପଣ' ପାଇଁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଅନ୍ୟପଟେ ଆସନ୍ତା ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଯୁଦ୍ଧ ବିରତି ବା ସିଜ୍ଫାୟାର୍ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଆହୁରି ପଢ଼ନ୍ତୁ: ଆମେରିକା ଆଣିଲା ବଡ଼ ଅଭିଯୋଗ
ଆକାଶରୁ ବର୍ଷୁଛି ନିଆଁର ଗୋଳା... ଚାରିଆଡ଼େ କେବଳ ଭୟ ଆଉ ବିଭୀଷିକା । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଏହି ମହାସମର ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଗୋଟିଏ ପଟେ ଇସ୍ରାଏଲର ଶକ୍ତିଶାଳୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ବ୍ୟବସ୍ଥା ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିବା ବେଳେ, ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଘୋଷଣା ତେହେରାନର ନିଦ ହଜାଇ ଦେଇଛି ।
ଟ୍ରମ୍ପ ତାଙ୍କ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ଇରାନ ସହିତ କୌଣସି ଆଲୋଚନା ହେବ ନାହିଁ । ଯଦି ଇରାନ ବଞ୍ଚିବାକୁ ଚାହୁଁଛି, ତେବେ ତାକୁ 'ସର୍ତ୍ତହୀନ ଆତ୍ମସମର୍ପଣ' କରିବାକୁ ପଡ଼ିବ । ଟ୍ରମ୍ପ କହିଛନ୍ତି, ଇରାନ ସହିତ ସେତେବେଳେ ହିଁ ଚୁକ୍ତି ହେବ, ଯେତେବେଳେ ସେମାନେ ସମ୍ପୂର୍ଣ୍ଣ ଭାବେ ନଇଁଯିବେ । ଏହି ବାର୍ତ୍ତା କେବଳ ଏକ ଚେତାବନୀ ନୁହେଁ, ବରଂ ଇରାନର ଶାସନ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଏକ ସଙ୍କେତ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ତେବେ ଏହି ଉତ୍ତେଜନା ମଧ୍ୟରେ ଶାନ୍ତିର ଏକ କ୍ଷୀଣ ଆଶା ମଧ୍ୟ ଦେଖାଦେଇଛି । ସୂଚନା ଅନୁସାରେ, କିଛି ପ୍ରଭାବଶାଳୀ ଦେଶ ଏହି ଯୁଦ୍ଧକୁ ରୋକିବା ପାଇଁ ମଧ୍ୟସ୍ଥତା କରୁଛନ୍ତି । ଚର୍ଚ୍ଚା ହେଉଛି ଯେ, ଆସନ୍ତା ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ସିଜ୍ଫାୟାର୍ ବା ଯୁଦ୍ଧ ବିରତି ଘୋଷଣା ହୋଇପାରେ । ଯଦିଓ ଟ୍ରମ୍ପ 'ସର୍ତ୍ତହୀନ ଆତ୍ମସମର୍ପଣ' ଜିଦ୍ରେ ଅଛନ୍ତି, କିନ୍ତୁ କୂଟନୈତିକ ସ୍ତରରେ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରହିଛି ।
ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଲିଟର ପିଛା ୫୫ ଟଙ୍କା ବଢ଼ିଲା ତେଲ ଦର
ଇସ୍ରାଏଲର ପକ୍ଷ ମଧ୍ୟ ଅତ୍ୟନ୍ତ କଠୋର। ନେତାନ୍ୟାହୁ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଆତଙ୍କବାଦୀ ନେଟୱାର୍କ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ, ସେପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଥମିବ ନାହିଁ । ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ଖବର ପରେ ଦେଶରେ ଏକ ନେତୃତ୍ୱ ସଙ୍କଟ ଦେଖାଦେଇଛି, ଯାହା ଟ୍ରମ୍ପଙ୍କ ପାଇଁ ନିଜ ସର୍ତ୍ତ ଲଦିବା ସହଜ କରିଦେଇଛି ।
ଏହି ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ । ଏହାର ପ୍ରଭାବରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବାରେ ଲାଗିଛି । ଯଦି ମାର୍ଚ୍ଚ ୧୨ ସୁଦ୍ଧା କୌଣସି ସମାଧାନ ନବାହାରେ, ତେବେ ବିଶ୍ୱ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ । କ’ଣ ହେବ ଇରାନର ଭବିଷ୍ୟତ? ଟ୍ରମ୍ପଙ୍କ 'ସର୍ତ୍ତହୀନ ଆତ୍ମସମର୍ପଣ' ଦାବିକୁ ଇରାନ ଗ୍ରହଣ କରିବ ନା ମାର୍ଚ୍ଚ ୧୨ରେ ଏକ ନୂଆ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ ? ଏହା ଉପରେ ଏବେ ସାରା ବିଶ୍ୱର ନଜର ।
Follow Us