କନକ ବ୍ୟୁରୋ: କାରଖାନାକୁ ବିଜୁଳି ଯୋଗାଇବାକୁ ବେଆଇନ ଗଛକଟା । କମ୍ପାନି ସ୍ୱାର୍ଥ ପାଇଁ ଗ୍ରାମ୍ୟ ଜଙ୍ଗଲକୁ ଖାଲି କରିଦିଆଗଲା । ଖଣି ଓ କାରଖାନା ପାଇଁ ପ୍ରଦୂଷଣ ବଳୟରେ ଥିବା ଝାରସୁଗୁଡ଼ା ଜିଲ୍ଲା ପାଇଁ ଜଙ୍ଗଲ ହେଉଛି ଜୀବନ । ପୂର୍ବରୁ ଆମେ ଜାଣିଛେ, ଏଠାରେ ଯେଉଁ ହିସାବରେ ଖଣି ଖୋଳା ଚାଲିଛି ସେହି ଅନୁସାରେ ନୂଆ ଜଙ୍ଗଲ ସୃଷ୍ଟି ହେଉନି । ବୃକ୍ଷ, ରୋପଣ ହେଉନି କିନ୍ତୁ ଛେଦନ ଚାଲିଛି । ଗ୍ରାମ୍ୟ ଜଙ୍ଗଲରେ କେବଳ ଥୁଣ୍ଟା ମୂଳ ରହିଛି ।
ବିଜୁଳି ପାଇଁ ଗଛବଳି
କାହିଁକି ଏତେ କମ୍ପାନି ପ୍ରୀତି ?
କମ୍ପାନି ପ୍ରୀତିର ପରିଣତି
ଖାଲି ହେଉଛି ଗ୍ରାମ୍ୟ ଜଙ୍ଗଲ
ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ସ୍ଥିତ ରୁଙ୍ଗ୍ଟା ଇସ୍ପାତ କମ୍ପାନିକୁ ଓପିଟିସିଏଲ୍ ବିଦ୍ୟୁତ୍ ସଂଯୋଗ କରିବା ସମୟରେ ସାମ୍ନାକୁ ଯେଉଁ ଚିତ୍ର ଆସିଥିଲା ତାହା ଖୁବ୍ ଚିନ୍ତାଜନକ । ୩୩ କେଭି ବିଜୁଳି ତାର ଟଣା ଯାଉଛି । ସେଥିପାଇଁ ୨ ଦିନରେ ପଣ୍ଡରିପଥର ରବନାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୩୦୦ରୁ ଅଧିକ ଗଛ କଟା ଯାଇଛି । ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଗଛର ଡାଳ କାଟିବାକୁ ଅନୁମତି ଦେଇଥିଲା ବନ ବିଭାଗ
ମୂଳରୁ କାଟି ଦେଇଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା
କାର୍ଯ୍ୟାନୁଷ୍ଠାନ ଦାବି କଲେ ପଣ୍ଡରିପଥର ଗ୍ରାମବାସୀ
୧୦ ବର୍ଷ ହେବ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି ଗାଁ ଲୋକ । ଗଛର ଯତ୍ନ ନେଇ ଜଙ୍ଗଲ କଳେବର ବଢ଼ାଇଛନ୍ତି । ଜଙ୍ଗଲରେ ୩୩ କେଭି ତାର ଟାଣିବାକୁ ବନ ବିଭାଗରୁ ଅନୁମତି ଲୋଡ଼ିଥିଲା ବିଦ୍ୟୁତ୍ ବିତରଣକାରୀ ସଂସ୍ଥା । କେବଳ ଗଛ ଡାଳ କାଟିବାକୁ ଅନୁମତି ଦେଇଥିଲା ବିଭାଗ । ହେଲେ ବିନା ଅନୁମତିରେ, ଗଛକୁ ମୂଳରୁ କାଟି ଦିଆଯାଇଛି । ଗ୍ରାମବାସୀଙ୍କଠାରୁ ଏକଥା ଜାଣିବା ପରେ ତତ୍ପରତା ପ୍ରକାଶ କରିଛି ବନ ବିଭାଗ । ମାମଲାର ତଦନ୍ତ ଚାଲିଛି, ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି ବନ ଅଧିକାରୀ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଝାରସୁଗୁଡ଼ାରେ ଗଛ କଟା ବନ୍ଦ କରିବା ସହ ଗଛ ଲଗାଇବା ଜରୁରୀ ବୋଲି କହିଛନ୍ତି ପରିବେଶବିତ୍ ।
(ଝାରସୁଗୁଡ଼ାରୁ ବିକ୍ରମ ମହାପାତ୍ରଙ୍କ ରିପୋର୍ଟ)