କନକ ବ୍ୟୁରୋ: ଯୁବପିଢ଼ିଙ୍କ ପରେ ଏବେ ଅନ୍‌ଲାଇନ୍ ଖେଳର ଜାଲରେ ଫସିଯାଉଛି ଖାକି । ପୁଲିସ ବାଟାଲିୟନରେ କାର୍ଯ୍ୟରତ କର୍ମଚାରୀମାନେ ଡ୍ୟୁଟି ସମୟରେ ଅନ୍‌ଲାଇନ୍ ଗେମିଂ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ଯାହା ସେମାନଙ୍କ ପାଇଁ ଏବେ କାଳ ହେବାରେ ଲାଗିଛି । ଏହି ଆପ୍ଲିକେସନ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନିବେଶ କରି ଆର୍ଥିକ ସ୍ତରରେ ବରବାଦ୍ ହେଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ଦୁଇ ପୁଲିସ କର୍ମଚାରୀ ନିକଟରେ ଆତ୍ମହତ୍ୟା କରିବା ଭଳି ଘଟଣା ସଙ୍ଗିନ ସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସଶସ୍ତ୍ର ବଳ(ଏସ୍ଏପି) ଏଡିଜି ରାଜେଶ କୁମାର ସମସ୍ତ ବାଟାଲିୟନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଯଦି ଗେମିଂ ଆପ୍ଲିକେସନ୍‌ ବ୍ୟବହାର କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

Advertisment

ଖୋର୍ଦ୍ଧାରେ ଥିବା ଇଣ୍ଡିଆ ରିଜର୍ଭ ବାଟାଲିୟନ୍‌ର ସିପାହି ଭାବେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ଅନ୍‌ଲାଇନ୍ ଗେମିଂ ଆପ୍ଲିକେସନରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ମଧ୍ୟ ହରାଇଥିଲେ। ଏହି ସିପାହି ଜଣକ ପତ୍ନୀଙ୍କ ସହିତ କୋଲକାତା ବୁଲିଯାଇଥିଲେ । ସେଠାରେ ଆର୍ଥିକ କ୍ଷତିକୁ ନେଇ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସିପାହି ଜଣକ ଆତ୍ମହତ୍ୟା କରିଥିଲେ । ସେହିଭଳି ଓଡ୍ରାଫରେ କାର୍ଯ୍ୟରତ ଆଉ ଜଣେ ପୁଲିସ କର୍ମଚାରୀ ମଧ୍ୟ ଅନ୍‌ଲାଇନ୍ ଗେମିଂ ଆପ୍ଲିକେସନ୍‌ରେ ଅର୍ଥ ନିବେଶ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଦୁଇଟି ଘଟଣାକୁ ନେଇ ସ୍ବତନ୍ତ୍ର ସଶସ୍ତ୍ର ବଳରେ ଉଦ୍‌ବେଗ ସୃଷ୍ଟି ହୋଇଛି । ଦୁଇଟି ଘଟଣାର ବିଭାଗୀୟ ତଦନ୍ତ ସମୟରେ ଗେମିଂ ଆପ୍ଲିକେସନ୍‌ରେ ଆର୍ଥିକ କ୍ଷତି ହୋଇଥିବାରୁ ଏଭଳି ଆତ୍ମହତ୍ୟା ଘଟଣା ଘଟିଥିବା ଜଣାପଡ଼ିଥିଲା ।

ସବୁଠାରୁ ବଡ଼କଥା ହେଲା ଏସ୍ଏପିର ୨୨ଟି ବାଟାଲିୟନ୍‌ରେ କାର୍ଯ୍ୟ କରୁଥିବା ବେଳେ ୨୨ ହଜାର ପୁଲିସ ଫୋର୍ସଙ୍କ ସୁରକ୍ଷାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଅଧିକାଂଶ ବାଟାଲିୟନ୍‌ରେ ଥିବା ପୁଲିସ କର୍ମଚାରୀ ନକ୍ସଲ ଅପରେସନ୍‌ରେ ନିୟୋଜିତ ଅଛନ୍ତି । କିନ୍ତୁ ଅଧିକାଂଶ ପୁଲିସ ଫୋର୍ସ ଅଫିସ ଡ୍ୟୁଟି ସମୟରେ ଗେମିଂ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି । ଏହି ଆପ୍ଲିକେସନ୍ ମାଧ୍ୟମରେ ସେମାନେ ଟଙ୍କା ନିବେଶ କରି ଆର୍ଥିକ ସ୍ତରରେ କ୍ଷତି ସହିବା ଦ୍ଵାରା ମାନସିକ ଓ ଶାରୀରିକ ସ୍ତରରେ ଚାପଗ୍ରସ୍ତ ହେଉଛନ୍ତି । ଡ୍ୟୁଟି ଉପରେ ବି ଏହାର ସିଧାସଳଖ ପ୍ରଭାବ ପଡୁଛି । ଏଭଳି କାର୍ଯ୍ୟରେ ନିୟୋଜିତ ସମସ୍ତ ପୁଲିସ ଫୋର୍ସଙ୍କୁ ବାରଣ କରିବା ପାଇଁ ସମସ୍ତ ବାଟାଲିୟନ୍ କମାଣ୍ଡାଣ୍ଟଙ୍କୁ ଏସ୍ଏପି ଏଡିଜି ଚିଠିରେ ଉଲ୍ଲେଖ କରିଥିବା ବେଳେ ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।