କନକ ବ୍ୟୁରୋ: ମହଙ୍ଗା ହେଲା ମେଡିକାଲ ପାଠପଢ଼ା । ଏଣିକି ଓଡ଼ିଶାରେ ଥିବା ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ଫି ଦେବାକୁ ପଡ଼ିବ । ଏମ୍ବିବିଏସ୍ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୭୫ ପ୍ରତିଶତ ଅଧିକ ଫି ଦେବାକୁ ପଡ଼ିବ । ଯେତେବେଳେ କି ପିଜି ପାଠ୍ୟକ୍ରମ ଫି ମଧ୍ୟ ବୃଦ୍ଧି କରାଯାଇଛି । ଆଗରୁ କୌଣସି ସୂଚନା ନ ଦେଇ ଫି ବୃଦ୍ଧି କରାଯାଇଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତିନି ବର୍ଷ ତଳେ ସରକାରୀ ମେଡିକାଲ କଲେଜର ନାମଲେଖା ଫି ବୃଦ୍ଧି ହୋଇଥିଲା ବେଳେ ଏବେ ତିନୋଟି ଘରୋଇ ମେଡିକାଲ କଲେଜ ଫି ଅହେତୁକ ବୃଦ୍ଧି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପାଠପଢ଼ା ସ୍ବପ୍ନରେ ଡୋରି ବାନ୍ଧିଛି ।
ଓଡ଼ିଶାରେ ଡାକ୍ତରୀ ପାଠପଢ଼ା ଫି ଅଧିକ ରହିଥିବାରୁ ଛାତ୍ରଛାତ୍ରୀ ବିଦେଶ ଯାଇ ପାଠ ପଢୁଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପରିବାର ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ସରକାରୀ କଲେଜର ଫି ବୃଦ୍ଧି ନିଷ୍ପତ୍ତି ପରେ ଘରୋଇ କଲେଜ ମଧ୍ୟ ଫି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଦୁଇଟି ଶିକ୍ଷାବର୍ଷରେ କୌଣସି ପ୍ରକାର ବୃଦ୍ଧି ହୋଇ ନ ଥିଲା । ଏବେ ତିନୋଟି ଘରୋଇ ମେଡିକାଲ କଲେଜ ଯଥା ହାଇଟେକ ଭୁବନେଶ୍ବର, ଡ୍ରିମ୍ସ ମେଡିକାଲ କଲେଜ, କଟକ ଓ ହାଇଟେକ୍ ରାଉରକେଲାର ବିଭିନ୍ନ ପାଠ୍ୟକ୍ରମ ଫି ବଢ଼ିଛି । ହାଇଟେକ୍ ମେଡିକାଲ କଲେଜ ଏମ୍ବିବିଏସ୍ ପାଠ୍ୟକ୍ରମ ଫି ୬ଲକ୍ଷ ୫୦ ହଜାର ଥିବା ବେଳେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ୧୧ଲକ୍ଷ ୫୬ ହଜାର ଟଙ୍କା ହୋଇଛି । ପିଜି ଇନ୍ ଆନାଟୋମି/ସାଇକୋଲଜି/ବାୟୋ କେମେଷ୍ଟ୍ରି ପାଠ୍ୟକ୍ରମ ଫି ୪ଲକ୍ଷ ୫୦ ହଜାରରୁ ୬ଲକ୍ଷ ୯୩ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପିଜି ଇନ୍ ପାରା କ୍ଲିନିକାଲ୍ ପାଠ୍ୟକ୍ରମ ଫି ୭ଲକ୍ଷ ୧୫ ହଜାରରୁ ୮ଲକ୍ଷ ୬୭ହଜାର ଟଙ୍କା ଏବଂ ପିଜି ଇନ୍ କ୍ଲିନିକାଲ ପାଠ୍ୟକ୍ରମ ଫି ୭ଲକ୍ଷ ୧୫ହଜାରରୁ ୧୭ଲକ୍ଷ ୩୩ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ହାଇଟେକ୍ ମେଡିକାଲ କଲେଜ ରାଉରକେଲାର ଫି ବୃଦ୍ଧି କରାଯାଇଛି । ଏଠାରେ ଏମବିବିଏସ ପାଠ୍ୟକ୍ରମ ଫି ୫ଲକ୍ଷ ୫୦ ହଜାର ଥିବା ବେଳେ ୨୦୨୫- ୨୬ ଶିକ୍ଷାବର୍ଷ ପାଇଁ ୮ଲକ୍ଷ ୫୪ ହଜାର ଟଙ୍କା ହୋଇଛି । ପ୍ରଥମ ଥର ପାଇଁ ଏହି କଲେଜର ପିଜି ଇନ୍ ପାରା କ୍ଲିନିକାଲ୍ ଓ ପିଜି ଇନ୍ କ୍ଲିନିକାଲ ପାଠ୍ୟକ୍ରମ ଫି ଯଥାକ୍ରମେ ୬ଲକ୍ଷ ୪୧ହଜାର ଓ ୧୨ଲକ୍ଷ ୮୧ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।
କଟକ ସ୍ଥିତ ଡ୍ରିମ୍ସ ମେଡିକାଲ କଲେଜର ଏମ୍ବିବିଏସ୍ ପାଠ୍ୟକ୍ରମ ଫି ୬ଲକ୍ଷ ୫୦ ହଜାରରୁ ୯ଲକ୍ଷ ୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏସମ୍ପର୍କରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ଓଜେଇଇ କର୍ତ୍ତୃପକ୍ଷ ଫି ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ଯାହାକୁ ଅଭିଭାବକ ସହଜରେ ଗ୍ରହଣ କରି ପାରି ନାହାନ୍ତି । କାଉନସେଲିଂ ପାଇଁ ଚଏସ୍ ଲକିଂ ଓ ଫିଲିଂ ଶେଷ ହୋଇ ସାରିଥିବା ବେଳେ ହଠାତ୍ ଫି ବୃଦ୍ଧି ଯୋଗୁ ଅଭିଭାବକ ମହଲରେ ଫି ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ପୂର୍ବ ବର୍ଷ ଧାର୍ଯ୍ୟ ଫି ଅନୁଯାୟୀ ପିଲାଙ୍କ ନାମଲେଖା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏବେ ୫୦%ରୁ ଅଧିକ ଫି ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ରାଜ୍ୟ ସରକାର ଏନେଇ ଆଉଥରେ ବିଚାର କରିବାକୁ ଦାବି କରିଛନ୍ତି । ନ ହେଲେ ଚଏସ୍ ଲକିଂ ଓ ଫିଲିଂ ପାଇଁ ଆଉ ଥରେ ସୁଯୋଗ ଦେବାକୁ କେନ୍ଦୁଝର ଆନନ୍ଦପୁରର ଜଣେ ଅଭିଭାବକ ଅନୁରୋଧ କରିଛନ୍ତି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାର ଡାକ୍ତରୀ ପାଠପଢ଼ା ପାଇଁ ଆମେରିକା ପରି ୭୫% ଟିକସ ଲଗେଇଛନ୍ତି । ଏଭଳି ଫି ବୃଦ୍ଧି ଗ୍ରହଣୀୟ ନୁହେଁ । ଏଣିକି ଘୋର ବିରୋଧ କରାଯିବ ବୋଲି ସେ କହିଛନ୍ତି ।