କନକ ବ୍ୟୁରୋ: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏକଥା କେବଳ କଥାରେ ସୀମିତ ହୋଇ ଆଉ ନାହିଁ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜ୍ୟୋସ୍ନାମୟୀ ଦାସ । ବିନା ସରକାରୀ ସହାୟତାରେ ଗୋପାଳନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଜ୍ୟୋସ୍ନାମୟୀ ଦାସ । ସ୍ୱାମୀ ଓ ପରିବାର ଲୋକଙ୍କ ସହଯୋଗରେ ପ୍ରତିଦିନ ୬୦ରୁ ୭୦ ଲିଟର କ୍ଷୀର ଉତ୍ପାଦନ କରୁଛନ୍ତି । ଗାଈ ଦୁହିଁବା, ଗାଈଙ୍କୁ ଖାଇବାକୁ ଦେବା, ଗାଈଙ୍କୁ ଗାଧୋଇଦେବା ଭଳି ସମସ୍ତ କାମ ସେ ନିଜେ ହିଁ କରନ୍ତି । ଗୋଖାଦ୍ୟ ପାଇଁ ସେ ତାଙ୍କ ବାଡ଼ିରେ ଘାସ ଚାଷ କରିଛନ୍ତି । ମାତ୍ର ଗୋଟିଏ ଗାଈରୁ ଆରମ୍ଭ ହୋଇଥିବା ଏହି ଚାଷ ଏବେ ୩୦ରେ ପହଞ୍ଚିଲାଣି । ଦିନକୁ ୨୫୦୦ରୁ ୩୦୦୦ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର ଏଭଳି ଉଦ୍ୟମ ଅନେକ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛି ।
ଜ୍ୟୋତ୍ସାମୟୀ ନିଇତି ସକାଳୁ ଉଠିଲେ କାମରେ ଲାଗିପଡ଼ନ୍ତି । ଘରର ସମସ୍ତ କାମ କରି ସେ ୩ ଘଣ୍ଟା ସମୟ ଦିଅନ୍ତି ଗୋପାଳନରେ । ତାଙ୍କ କହିବା ଅନୁସାରେ, ପରିବାର ଲୋକଙ୍କ ପାଇଁ ରୋଷେଇ ସହ ପିଲାଙ୍କ ପାଠପଢ଼ା କଥା ଵି ବୁଝିବାକୁ ପଡିଥାଏ । ନିକଟସ୍ଥ ବଜାରରୁ ଦାନା କିଣି ଗାଈଙ୍କୁ ଖାଇବାକୁ ଦିଅନ୍ତି । କେବଳ କ୍ଷୀର ଉତ୍ପାଦନ ନୁହେଁ କ୍ଷୀରରୁ ଖୁଆ, ଦହି, ଘିଅ ଓ ଛେନା ତିଆରି କରି ବିକ୍ରି କରନ୍ତି । ଏହା ବ୍ୟତୀତ ଗୋବର ଖତ ଏକ ଟ୍ରିପ୍କୁ ୧୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ଜ୍ୟୋସ୍ନାମୟୀ । ସକାଳେ ଓ ସନ୍ଧ୍ୟାରେ ସ୍ଥାନୀୟ କ୍ଷୀର ସୋସାଇଟିରୁ ଆସୁଥିବା ଗାଡ଼ି ମାଧ୍ୟମରେ ୫୦ ରୁ ୬୦ ଲିଟର କ୍ଷୀର ବିକ୍ରି କରନ୍ତି । ବଳଙ୍ଗା, ସତ୍ୟବାଦୀ, ସାତଶଙ୍ଖ, ନିମାପଡ଼ା, ପିପିଲି, ଭୁବନେଶ୍ୱରରୁ ବ୍ୟବସାୟୀମାନେ ଅର୍ଡର ଦେଇ ତାଙ୍କଠାରୁ କ୍ଷୀର କିଣି ନିଅନ୍ତି । କହିବାକୁ ଗଲେ ନିଜର ଓ ପରିବାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଛି ଜ୍ୟୋସ୍ନାମୟୀଙ୍କ ଗୋପଳନ ।
ପିପିଲିରୁ ଅରୁଣ ରାଉତଙ୍କ ରିପୋର୍ଟ କନକ ନ୍ୟୁଜ୍