କନକ ବ୍ୟୁରୋ: ରୋବଟ୍ ରେଷ୍ଟୁରାଣ୍ଟରେ କାମ କରୁଥିବାର ଦେଖିଥିବେ, ଖାଦ୍ୟ ବାଢ଼ି ଦେଉଥିବାର ବି ଦେଖିଥିବେ । ହେଲେ ବିଶ୍ବରେ ଏମିତି ଏକ ରୋବଟ୍ ଅଛି ଯିଏ ଘରର ସବୁ କାମ କରୁଛି ଏବଂ ଥରକରେ ନିଜକୁ ନିଜେ ଚାର୍ଜ କରି ୫ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରୁଛି । 

Advertisment

ହ୍ୟୁମାନୋଇଡ୍ ରୋବୋଟ୍ ଉପରେ କାମ କରୁଥିବା କାଲିଫର୍ନିଆର ‘ଫିଗର ଏଆଇ’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ‘ଫିଗର ୦୩’ ରୋବଟ୍ କୁ ଲଞ୍ଚ କରିଛନ୍ତି । ଘରର ଯାବତୀୟ କାମ କରିବା ପାଇଁ ଏହି ନୂତନ ଯନ୍ତ୍ର ମାନବଟିକୁ ବିକଶିତ କରାଯାଇଛି ବୋଲି କମ୍ପାନି କହିଛି ।  ‘ଫିଗର ୦୩’ ଗଛରେ ପାଣି ଦେବାଠାରୁ ଆରମ୍ଭ କରି ଘର ସଫା କରିବା, ଖାଦ୍ୟ ପରଷିବା, ବାସନ ଧୋଇବା ଏବଂ ପୋଷାକପତ୍ର ସଫା କରି ତାକୁ ଭାଙ୍ଗିଭୁଙ୍ଗି ସାଇତି ରଖିବା ଭଳି ବିଭିନ୍ନ କାର୍ଯ୍ୟ କରିପାରୁଛି ।

ନୂତନ ତଥା ଉନ୍ନତ ହାର୍ଡୱେର୍ ଯୋଗୁଁ ‘ଫିଗର ୦୩’ ରୋବଟ୍ ଘର ପରି ଏକ ‘ଜଟିଳ ଓ ବିଶୃଙ୍ଖଳିତ ସ୍ଥାନ’ରେ ନିଜକୁ ବୁଦ୍ଧିମାନ ଭାବରେ ସ୍ଥାନିତ କରି ବିଭିନ୍ନ କାର୍ଯ୍ୟ ଭଲ ଭାବେ କରିପାରୁଛି । ଏଥିରେ ଲାଗିଥିବା ନରମ ଆଙ୍ଗୁଠି ଗୁଡ଼ିକ ବିଭିନ୍ନ ଆକୃତି ଓ ଆକାରର ବସ୍ତୁକୁ ଧରିବାରେ ସାହାଯ୍ୟ କରେ । ଏହାର ଆଙ୍ଗୁଠି ଟିପରେ ଲାଗିଥିବା ସେନ୍‌ସର ପେପରକ୍ଲିପ୍ ପରି, ମାତ୍ର ତିନି ଗ୍ରାମ ହେଲେ ବି ଓଜନ ଦାର୍ ଜିନିଷ ମଧ୍ୟ ଅନୁଭବ କରିପାରିବ ।

ସବୁଠାରୁ ବଡ଼ କଥା ହେଲା ଏହା ମଣିଷଠାରୁ ନିରନ୍ତର କାମ ଶିଖିପାରିବ ଏବଂ ସମୟ ଅନୁସାରେ ନିଜକୁ ଉନ୍ନତ କରିପାରିବ । ୬୧ କେଜି ଓଜନ ଓ ୫ ଫୁଟ ୮ ଇଞ୍ଚ ଉଚ୍ଚର ଏହି ରୋବଟ୍‌ ଏକ ୱାୟାରଲେସ୍ ଷ୍ଟାଣ୍ଡରେ ଛିଡ଼ା ହୋଇ ନିଜକୁ ଚାର୍ଜ କରିପାରିବ ଏବଂ ଥରେ ଚାର୍ଜ ହେଲେ ତାହା ୫ ଘଣ୍ଟା ଯାଏ କାମ କରିପାରିବ । କମ୍ପାନି ଏପର୍ଯ୍ୟନ୍ତ ଏହାର ବଜାର ମୂଲ୍ୟ ଧାର୍ଯ୍ୟ କରି ନାହିଁ । ତେବେ ଆସନ୍ତା ବର୍ଷ ତାହାର ବିକ୍ରି ଆରମ୍ଭ ହେବ ବୋଲି କୁହାଯାଉଛି ।