କନକ ବ୍ୟୁରୋ : ଭାରତର ଭୂସ୍ବର୍ଗ, ଭାରତର ମୁକୁଟ, ଦେଶର ମୂଲ୍ୟବାନ ସମ୍ପତ୍ତି ଆମ ଜମ୍ମୁ-କାଶ୍ମୀର । ପ୍ରାକୃତିକ ସୁନ୍ଦରତାରେ ଭରପୂର ଏହି ସ୍ଥାନକୁ ଦେଶର ଭୂସ୍ବର୍ଗ ବୋଲି କୁହାଯାଏ । କିନ୍ତୁ ଆଜି ଏହି ଭୂସ୍ବର୍ଗ ଭୋ ଭୋ ହୋଇ କାନ୍ଦୁଛି, ଆଉ କହୁଛି, ମୁଁ, କେତେ ଆଉ ପଥର ମାଡ଼ ଖାଇବି, ପାଇନ୍ ଗଛ ଫାଙ୍କରୁ କେତେ ଆଉ ଗୁଳି ମାଡ଼ ଖାଇବି... ବିଶାଳ ପର୍ବତ ଘେରା ମଝିରେ ଥାଇବି କେତେ ଆଉ ଷଡ୍ଯନ୍ତ୍ରର ଶିକାର ହେବି? କେତେ ମୁଁ ସହିବି... ଆଉ ପାରୁନି... ଆଉ ପାରୁନି... ଆଉ ସହି ପାରୁନି...
କାଶ୍ମୀର ଭିତରୁ ଯେତିକି ସୁନ୍ଦର ବାହାରୁ ତାକୁ ନେଇ ଲାଗି ରହିଥାଏ ସେତିକି ବିବାଦ । ଜମ୍ମୁ-କାଶ୍ମୀର ଭାରତର ଅମୂଲ୍ୟ ଅଙ୍ଗ ହୋଇଥିବା ବେଳେ ତାକୁ ଛଡ଼ାଇନେବାକୁ ପାକିସ୍ତାନ ସବୁବେଳେ ଷଡ୍ଯନ୍ତ୍ର କରିଆସିଛି । ପ୍ରତିଦିନ କାଶ୍ମୀର ଛାତି ଉପରେ ବୋମା ଫୁଟୁଛି, ଗୁଳି ମାଡ଼ ହେଉଛି । କିନ୍ତୁ ଏହି ଗୁଳିମାଡ଼, ବୋମା ବର୍ଷା କାଶ୍ମୀରକୁ ଯେତିକି କଷ୍ଟ ଦେଇଛି, ତାଠୁ ଅଧିକ କଷ୍ଟ ଦେଇଛି ତାରି କୋଳରେ ତା’ ସନ୍ତାନ ସହିଦ ହୋଇଯିବା ଘଟଣା... ଊରି ଆକ୍ରମଣ କଥା ହେଉ କି ପୁଲୱାମା ଆଟାକ୍, କି ପହଲଗାମ୍ ଆକ୍ରମଣ... ଶହ ଶହ ସନ୍ତାନକୁ ହରାଇ କାନ୍ଦିଛି କାଶ୍ମୀର... ଆଉ ଏତେ ସବୁ ଦୁଃଖକୁ ଭୁଲି ଟିକିଏ ହସିବାକୁ ଚେଷ୍ଟା କଲାବେଳେ କାଶ୍ମୀର କୋଳକୂ ଶୂନ୍ୟ କରିଦେଇଛି ପ୍ରକୃତିର ତାଣ୍ଡବ ।
ଜମ୍ମୁ-କାଶ୍ମୀରର ଜୀବନରେଖାରେ ବାରମ୍ବାର ଭୂସ୍ଖଳନ ଆଉ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ନଦୀ ଏବଂ ଝରଣାରେ ହଠାତ୍ ବନ୍ୟା ଆସିଛି । ଏପରିକି ଲଗାଣ ବର୍ଷାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି, ମୁଗଲ ରୋଡ୍ ଅବରୋଧିତ ହୋଇଛି ଏବଂ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ନନ୍ଦନୀ ସୁଡ଼ଙ୍ଗରେ ଭୂସ୍ଖଳନ ଯୋଗୁଁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଡୋଗ୍ରାହାଲ ଅଞ୍ଚଳରେ ବର୍ଷା ଯୋଗୁଁ ଏକ ସ୍କୁଲ କାନ୍ଥ ଭୁଶୁଡ଼ିପଡ଼ିଛି, ଏହା ବ୍ୟତୀତ, ରଟ୍ଟା ଛାମରେ ଏକ ବଡ଼ ଭୂସ୍ଖଳନ ଘଟିବା ପରେ ସୀମାନ୍ତବର୍ତ୍ତୀ ଜିଲ୍ଲା ରାଜୌରୀ ଏବଂ ପୁଞ୍ଚକୁ କାଶ୍ମୀର ଉପତ୍ୟକା ସହିତ ସଂଯୋଗ କରୁଥିବା ମୁଗଲ ରୋଡକୁ ଯାତାୟାତ ପାଇଁ ବନ୍ଦ କରିଦିଆଯାଇଛି । ନଦୀର ଦ୍ରୁତ ପ୍ରବାହ ଯୋଗୁଁ ତଳିଆ ଅଞ୍ଚଳ ଏବଂ ଜନବସତିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।
ଆତଙ୍କୀଙ୍କ ଆତଙ୍କରୁ ଟିକିଏ ନିଶ୍ବାସ ନେଉଥିବା ଭାରତର ଭୂସ୍ବର୍ଗ ଉପରେ ଭଗବାନ ସତେ ଯେମିତି କୋପ କରିଛନ୍ତି । ହୀରା ଭଳି ଚମକୁଥିବା ଜମ୍ମୁ-କଶ୍ମୀର ଉପରେ କେଜାଣି କାହାର ନଜର ଲାଗିଯାଇଛି? ଧବଳ ଦିଶୁଥିବା ଛାତିରେ ତା’ର କେତେବେଳେ ଶତ୍ରୁ ଦେଶର ରକ୍ତଛିଟା ତ କେତେବେଳେ ପ୍ରକୃତିର ପ୍ରଳୟ ଦେଖିବାକୁ ମିଳୁଛି ।