କନକ ବ୍ୟୁରୋ: ରାସ୍ତାଘାଟ ବନ୍ଦ, ଯାନବାହାନ ଠପ୍, ଖାଁ ଖାଁ ମାର୍କେଟ୍ ଏଭଳି କିଛି ଖବର ଆଜିର ହେଡଲାଇନ୍ ପାଲଟିଥିଲା । କାରଣ ରାଜ୍ୟବାପି ବନ୍ଦ ଡାକରା ଦେଇଥିଲା କଂଗ୍ରେସ । ଆଉ ଆଜିର ଓଡ଼ିଶା ବନ୍ଦ ଯୋଗୁଁ ହନ୍ତସନ୍ତ ହୋଇଛି ଜୀବନ । ଏଫଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ପରେ ବନ୍ଦ, ରାସ୍ତାରୋକ, ଜଳାପୋଡ଼ା ଭଳି ଘଟଣା ଦେଖୁଛି ଓଡ଼ିଶା । ରାଜନୈତିକ ଦଳମାନେ ମଧ୍ୟ ପଲିଟିକ୍ସର ତତଲା ତାୱାରେ ନିଜ ରୁଟି ସେକୁଛନ୍ତି । ହେଲେ ସେଥିରୁ ମିଳୁଛି କ’ଣ? ଆନ୍ଦୋଳନରେ ସରକାର ଅଡୁଆରେ ପଡ଼ନ୍ତୁ କି ନାହିଁ, ଲୋକମାନେ କିନ୍ତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅସ୍ତରଙ୍ଗ, ଭୁବନେଶ୍ୱରରେ ରୋଗୀଟିଏ ଡାକ୍ତରଖାନାକୁ ଯିବା ନାକେଦମ୍ ହୋଇଛି । ଆନ୍ଦୋଳନକାରୀ ସେମାନଙ୍କୁ ନଛାଡ଼ିବାରୁ ରାଜରାସ୍ତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।

Advertisment

ଖାଲି ଏତିକି ନୁହେଁ ମାଲକାନଗିରିରେ ଜଣେ ଦିବ୍ୟାଙ୍ଗ ଯୁବକ ବ୍ୟାଙ୍କକୁ ଆସିଥିବା ବେଳେ ବନ୍ଦ ଯୋଗୁଁ ନିରାଶରେ ଫେରିଛନ୍ତି । ସମ୍ବଲପୁରରେ ରିକ୍ସାବାଲାଙ୍କ ରୋଜଗାର ବନ୍ଦ ହୋଇଯାଇଛି । ହଁ କେତେଟା ଘଟଣାରେ ନ୍ୟାୟ ପ୍ରଦାନରେ ସଫଳ ହୋଇଛି ଏଭଳି ଆନ୍ଦୋଳନ । କାରଣ ବ୍ୟବସ୍ଥାରେ କେତେ ମାତ୍ରାରେ ସୁଧାର ଆସୁଛି । ହେଲେ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯେଉଁ ବନ୍ଦ ବ୍ରହ୍ମାସ୍ତ୍ର ବ୍ୟବହାର କରୁଛନ୍ତି ରାଜନୈତିକ ଦଳମାନେ ସେଥିରେ ବାରମ୍ବାର ଆଘାତ ପାଉଛନ୍ତି ସାଧାରଣ ଜନତା ।

ଓଡ଼ିଶା ବନ୍ଦ କେଉଁଠି ଶାନ୍ତିପୂର୍ଣ୍ଣ ତ କେଉଁଠି ଅଶାନ୍ତ ହୋଇଥିବା ମଧ୍ୟ ଦେଖିଛନ୍ତି ଓଡ଼ିଶାବାସୀ । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସର ଗୁଣ୍ଡାଗର୍ଦ୍ଦି ଖବର ମଧ୍ୟ ଆସିଛି । ଜଗତସିଂହପୁରରେ ଯାତ୍ରୀଙ୍କୁ ଅଟକାଇ ବାଡ଼ିଆପିଟା କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ସେମିତି ବାରିପଦାରେ କଂଗ୍ରେସ କର୍ମୀ ସରକାରୀ ଅଫିସ୍‌ ଭିତରେ ପଶି ହଙ୍ଗାମା ମଧ୍ୟ କରିଛନ୍ତି । କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଓଡ଼ିଶା ବନ୍ଦ ଯୋଗୁଁ ଲୋକ ହଇରାଣ ହେଉଥିବାର ଦେଖିବାକୁ ମିଳିଥିଲା । ସେହିପରି ଅବିଭକ୍ତ କୋରାପୁଟର ଜାତୀୟ ରାଜପଥ ୩୨୬କୁ ଅବରୋଧ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କଂଗ୍ରେସ କର୍ମୀ । ଏପରିକି ବନ୍ଦ ଯୋଗୁଁ ନାରାୟଣପାଟଣା ଦେଇ ଆନ୍ଧ୍ରକୁ ଯାତାୟାତ ଠପ୍ ହୋଇଯାଇଥିଲା ।

କଟକରୁ କେନ୍ଦ୍ରାପଡ଼ା, ଭୁବନେଶ୍ବରରୁ ଭୋଗରାଇ ରାଜ୍ୟବ୍ୟାପୀ ବନ୍ଦ ଡାକରାରେ ସତେ ଯେମିତି ଅଣନିଃଶ୍ବାସୀ ହୋଇଯାଇଛି ଓଡ଼ିଶା । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବାଲାଗି ଓଡ଼ିଶାବାସୀଙ୍କ ମନରେ ଦରଦ ଥିବ ଦାବି ଉଠୁଥିବ ନିଶ୍ଚୟ କିନ୍ତୁ ଏଭଳି ଆନ୍ଦୋଳନ ଫଳରେ ସାଧାରଣ ଜନତା ଭୋଗୁଥିବା ସମସ୍ୟାକୁ କିଏ ବୁଝିବ?